38.1 C
Bhubaneswar
Friday, April 26, 2024
Homeଅପରାଧନକଲୀ ସୁନା ମୁଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କାର ଠକେଇ ୩ ଅଭିଯୁକ୍ତ ଗିରଫ ,...

ନକଲୀ ସୁନା ମୁଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କାର ଠକେଇ ୩ ଅଭିଯୁକ୍ତ ଗିରଫ , ୩ ଫେରାର

ବଲାଙ୍ଗୀର,- ଗୁପ୍ତଧନ ର ଚକ୍କର ରେ ଅନେକ ପଡି ନିଜର ଧନ ଜିବନ ପର୍ଯ୍ୟନ୍ତ ହରାନ୍ତି । ତଥାପି ସମାଜରେ ଗୁପତଧନର ଲୋଭ ଯାଇନି । ଏହାର ଠିକ ଫାଇଦା ଉଠାନ୍ତି ଠକ ଓ ଭଣ୍ଡୁଆ । ଏଭଳି ଏକ ଘଟଣା ବଲାଙ୍ଗୀରରେ ଦେଖୀବାକୁ ମିଲିଛି ।
ବଲାଙ୍ଗୀର ତଥା ଆଖପାଖ ଜିଲ୍ଲାରେ ନକଲୀ ସୁନା ମୁଣ୍ଡା ଦେଖାଇ ଏକ ଗ୍ୟାଙ୍ଗ ଦୀର୍ଘ ଏକ ବର୍ଷ ହେଲା ଲୋକଙ୍କୁ ଠକେଇ କରି ଚାଲିଥିଲା । ଏହି ଗ୍ୟାଙ୍ଗ ପ୍ରାୟ ୧୫ ଲକ୍ଷ ଟଙ୍କାର ଠକେଇ କରିଥିଲେ । ତେବେ ଏହି ଗ୍ୟାଙ୍ଗକୁ ବଲାଙ୍ଗୀର ସଦର ଥାନା ପୁଲିସ କାବୁ କରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ପୁଲିସ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୩ ଜଣ ଫେରାର ଅଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ପାଟଣାଗଡ ଥାନା ଅନ୍ତର୍ଗତ ପାଟଣାଗଡ ସହର ମେହେରପଡାର ଦୀପକ ମେହେର(୨୮) , କଳାକାହ୍ନୁ ମେହେର(୫୦) ଓ ଲାଠୋର ଥାନା ଅନ୍ତର୍ଗତ ଝାଲିଆଲିଟିର ରାମଦାସ ମାଝି ବୋଲି ଆଜି ସଦର ଥାନାରେ ଆୟୋଜିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ଦେଢ କିଲୋ ଓଜନର ଏକ ନକଲୀ ସୁନା ମୁଣ୍ଡା , ଏକ ଡ୍ରିଲ ମେସିନ , ୩ ଟି ମୋବାଇଲ ଫୋନ , ଏକ ମୋଟର ସାଇକଲ ଓ ୯ ହଜାର ଟଙ୍କା ପୁଲିସ ଜବତ କରିଛି । ତେବେ ଏହି ଲୁଟେରା ଦଳର ମାଷ୍ଟର ମାଇଣ୍ଡ ପାଟଣାଗଡର ଜୟକୃଷ୍ଣ ମେହେର , ଲାଠୋର ର ଅର୍ଜୁନ ମେହେର ଓ ବେଲପଡାର ଶୁକ ମେହେର ଫେରାର ଅଛନ୍ତି ।

ପୁଲିସର ସୂଚନା ଅନୁଯାୟୀ , ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାଁର ରଞ୍ଜନ କୁମାର ମେହେର(୩୫)ଙ୍କୁ ଗତ ୪ ତାରିଖ ରାତି ୧୦ ଟାରେ ଏକ ଫୋନ କଲ ଆସିଥିଲା । ଫୋନରେ ତାଙ୍କୁ କୁହାଯାଇଥିଲା ଯେ , କୂଅ ଖୋଲୁଥିବା ସମୟରେ ଏକ ସୁନା ମୁଣ୍ଡା ମିଳିଛି । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା । ଆମେ ତାହାକୁ ବିକ୍ରି କରିବାକୁ ଚାହୁଁଛୁ ବୋଲି ଫୋନ କରିଥିବା ବ୍ୟକ୍ତି କହିଥିଲେ । ତେବେ ରଞ୍ଜନ ଏହା ପୂର୍ବରୁ ଅନୁରୂପ ଭାବେ ପାଟଣାଗଡ ଅଂଚଳର କିଛି ବ୍ୟକ୍ତିଙ୍କ ଦ୍ୱାରା ୨ ଲକ୍ଷ ଟଙ୍କା ଠକେଇ ସ୍ୱୀକାର ହୋଇ ସାରିଥିଲେ । ପୂର୍ବରୁ ରଞ୍ଜନ ୨ ଲକ୍ଷ ଟଙ୍କା ଦେଇ ଏଭଳି ସୁନା କିଣି ନେଇଥିଲେ ଓ ତାହା ପରୀକ୍ଷା କରିବା ପରେ ନକଲୀ ବୋଲି ଜଣା ପଡିଥିଲା । ଫଳରେ ଫୋନ କଲ ପାଇବା ପରେ ରଞ୍ଜନ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଧେଶ କ୍ରମେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ଓ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ ପୁଲିସ ଏମାନଙ୍କୁ ପାଟଣାଗଡ ଅଂଚଳରୁ କାବୁ କରିଥିଲା । ସୂଚନାଯୋଗ୍ୟ ଯେ , ଏମାନେ ନକଲୀ ସୁନା ମୁଣ୍ଡା ଦେଖାଇ ବିଭିନ୍ନ ଅଂଚଳରେ ଲୋକଙ୍କୁ ଠକେଇ କରୁଥିଲେ । ଏକ ଡ୍ରିଲ ମେସିନ ସାହାର୍ଯ୍ୟରେ ବିଶ୍ୱାସ ଜନ୍ମାଇବା ପାଇଁ କୌଶଳ କରି କିଛି ସୁନା ଗୁଣ୍ଡ ବାହାର କରି କ୍ରେତାଙ୍କୁ ଦେଉଥିଲେ । ବିଶ୍ୱାସ ହେଲା ପରେ କ୍ରେତା ସୁନା କିଣି ନେଉଥିଲେ ଓ ଠକାମୀର ଶିକାର ହେଉଥିଲେ । ଏମାନଙ୍କ ନାରେ ପାଟଣାଗଡ ଥାନାରେ ଗୋଟାଏ ମାମଲା , ବଲାଙ୍ଗୀର ଟାଉନ ଥାନାରେ ଦୁଇଟି ମାମାଲ , ଲରମ୍ଭା ଥାନାରେ ଗୋଟାଏ ମାମଲା ଓ ସଦର ଥାନାରେ ଗୋଟାଏ ମାମଲା ରହିଛି । ତେବେ ଆଉ କେତେକ ଲୋକେ ଠକେଇର ଶିକାର ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାମଲା କରିନଥିବା ପୁଲିସ କହିଛି । ଭବିଷ୍ୟତରେ ହୁଏତ ସେମାନେ ମାମାଲା ରୁଜୁ କରି ପାରନ୍ତି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking