ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ-୨୦୨୧ର ପ୍ରିଲିମିନାରୀ (ପ୍ରିଲିମ୍) ପରୀକ୍ଷା ଆସନ୍ତା ଅକ୍ଟୋବର ୧୬ ତାରିଖ (ରବିବାର)ରେ ହେବ । ଏଥର ପ୍ରଶ୍ନ ଇଂରାଜୀ ସହ ଓଡ଼ିଆରେ ବି ଆସିବ । ପରୀକ୍ଷାର୍ଥୀ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆରେ ନିଜର ଉତ୍ତର ଲେଖିପାରିବେ । ଭାଷା ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ଅପ୍ସନାଲ୍ ପରୀକ୍ଷାର ପ୍ରଶ୍ନ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପ୍ରସ୍ତୁତ ହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍ସିକୁ ଚିଠି ଦିଆଯାଇଛି ।
ବହୁ ପୂର୍ବରୁ ଓଡ଼ିଆରେ ଓଏଏସ୍ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସଂସ୍ଥାର ଉପାଧ୍ୟକ୍ଷା ସିପ୍ରା ମଲ୍ଲିକ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ୧୬ରେ ହେବାକୁ ଥିବା ପରୀକ୍ଷା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଆଦି ୫ଟି ଜୋନ୍ରେ ହେବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପ୍ରତି ସିଟିଂରେ ଅଧିକ ୪୦ ମିନିଟ୍ ସମୟ ଦିଆଯିବ। ଆଡମିସନ ସାର୍ଟିଫିକେଟ୍ ଏବଂ ‘ଇନଷ୍ଟ୍ରକସନ୍ ଟୁ କ୍ୟାଣ୍ଡିଡେଟ୍ସ’ ଓପିଏସ୍ସି ୱେବ୍ସାଇଟ୍ରେ ଉପଲବ୍ଧ ହେବ ବୋଲି ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।