ନୂଆଦିଲ୍ଲୀ: ଜୁଲାଇ ୧ ତାରିଖ ସୁଦ୍ଧା ସୋସିଆଲ୍ ମିଡିଆ ସଂସ୍ଥା ଟ୍ୱିଟର୍ ନୂଆ ଆଇଟି ନିୟମ ୨୦୨୧ର ଅନୁପାଳନ କରିନାହିଁ ବୋଲି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି । ଟ୍ୱିଟର୍ ସମେତ ଅନ୍ୟ ସୋସିଆଲ୍ ମିଡିଆ ସଂସ୍ଥାଙ୍କୁ ଜଣେ ମୁଖ୍ୟ ଅନୁପାଳନ ଅଧିକାରୀ, ଆବାସିକ ଅଭିଯୋଗ ଶୁଣାଣି ଅଧିକାରୀ ଓ ଜଣେ ନୋଡାଲ୍ ଅଧିକାରୀ ନିଯୁକ୍ତି ପାଇଁ ୩ ମାସର ପର୍ଯ୍ୟାପ୍ତ ସମୟ ପ୍ରଦାନ କରାଯାଇଥିଲେ ମଧ୍ୟ ଟ୍ୱିଟର୍ ଏଥିରେ ବିଫଳ ହୋଇଛି ।
ଫଳରେ ଆଇଟି ନିୟମ ୨୦୦୦ର ଧାରା ୭୯ (୧) ଅନୁସାରେ ପ୍ରଦାନ କରାଯାଇଥିବା ସଂରକ୍ଷଣକୁ ଟ୍ୱିଟର୍ ହରାଇଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ହାଇକୋର୍ଟରେ ଦାଖଲ କରିଥିବା ଏକ ଆଫିଡେଭିଟ୍ରେ କହିଛି । ପୂର୍ବରୁ ଟ୍ୱିଟର୍ ପକ୍ଷରୁ କୋର୍ଟକୁ କୁହାଯାଇଥିଲା ଯେ ନୂଆ ଆଇଟି ନିୟମ ଅନୁସାରେ ଉପରୋକ୍ତ ଅଧିକାରୀ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୩ ମାସର ସମୟ ଏକ ନିର୍ଦ୍ଦେଶ ଥିଲା, ଅନିବାର୍ଯ୍ୟ ନଥିଲା । ତେବେ ଅଭିଯୋଗ ନିବାରଣ ପାଇଁ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସଂସ୍ଥା ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ।