40.1 C
Bhubaneswar
Tuesday, April 30, 2024
Homeଓଡିଶାବିଜେପି ଅନୁରୋଧକୁ ନବୀନଙ୍କ ପ୍ରତ୍ୟାଖ୍ୟାନ!

ବିଜେପି ଅନୁରୋଧକୁ ନବୀନଙ୍କ ପ୍ରତ୍ୟାଖ୍ୟାନ!

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବିଜେପିକୁ ବାଟ ନ ଛାଡ଼ିବା ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି । ଗୋଟିଏ ଆସନ ଛାଡ଼ିବା ପାଇଁ ନବୀନଙ୍କୁ ବିଜେପିରୁ ଅନୁରୋଧ ଆସିଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବିଜେପିର ଏଥର ୨୩ ବିଧାୟକ ଥିବାରୁ ବିଜେଡିର ସହାୟତା ମିଳିଥିଲେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ଦଳ ପଠାଇ ପାରିଥାନ୍ତା । କିନ୍ତୁ ନବୀନ ଏଥର ମୁହଁ ମୋଡ଼ି ଦେଲେ । ନବୀନ ଏଥର ଏକ ବଡ଼ ରାଜନୀତିକ ଚାଲ ଖେଳିଥିବା କୁହାଯାଉଛି । ଗତଥର ଗୋଟିଏ ଆସନ ଛାଡ଼ି ଯେଉଁ ଭୁଲ ବାର୍ତ୍ତା ନବୀନ ନିଜ କ୍ୟାଡର ପାଇଁ ସୃଷ୍ଟି କରିଥିଲେ ଏଥର ଆଉ ତାହାର ପୁନରାବୃତ୍ତି କରିବାକୁ ଚାହିଁ ନ ଥିବା କଥା ଆଲୋଚନା ହେଉଛି । ଆଗକୁ ପୌର ନିର୍ବାଚନ ଓ ପରେ ପଞ୍ଚାୟତ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଏକ୍ଷେତ୍ରରେ ଗୋଟିଏ ରାଜ୍ୟସଭା ଆସନ ବିଜେପି ହାତକୁ ଟେକିଦେଲେ ଏକ ଭିନ୍ନ ବାର୍ତ୍ତା ଯିବ । ଯାହା ଦଳ ପାଇଁ ବହୁ କ୍ଷତିକାରକ ହୋଇପାରେ ବୋଲି ବିଜେଡି ପରାମର୍ଶଦାତାମାନେ ସୂଚାଇ ଦେଇଥିବା କଥା କୁହାଯାଉଛି । ଏଣୁ ନବୀନ ଏଥର ଭିନ୍ନ ଚାଲ ଚଳାଇଲେ ।
ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିବା ପାଇଁ ଯେ, ବିଜେପିରୁ ଅନୁରୋଧ ଆସିନାହିଁ ଏକଥା ଠିକ ନୁହେଁ । ବିଜେପିର ବରିଷ୍ଠ ନେତା ନବୀନଙ୍କୁ ଏ ନେଇ ଅନୁରୋଧ କରିଥିଲେ ବୋଲି କିଛି ଦଳୀୟ ନେତା ମତ ରଖୁଛନ୍ତି । ଏହା ଯଦି ସତ ହୋଇଥାଏ ନବୀନ କଣ ଏତେ ନିଜକୁ ସୁଦୃଢ଼ କଲେଣି ଯେ, ବିଜେପି ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବେ? ଏକଥା ମଧ୍ୟ ଉଠୁଛି । ହେଲେ ଏହା ସତ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ସବୁବେଳେ ସମାନ ସ୍ଥିତି ନ ଥାଏ । ନବୀନଙ୍କୁ ପୁଣି ନିଜ ଦଳକୁ ଦେଖିବାକୁ ପଡ଼ିବ । ଗତଥର ପରେ ଏଥର ଯଦି ରାଜ୍ୟସଭାରେ ବିଜେପିକୁ ବାଟଛାଡ଼େ ତେବେ ସ୍ପଷ୍ଟ ହୋଇଯିବ ଯେ, ବିଜେପି-ବିଜେଡି ପୁଣି ମେଣ୍ଟ କରିବାକୁ ଯାଇପାରନ୍ତି । ବିଜେଡିର ଯେଉଁ କ୍ୟାଡରମାନେ ଅଛନ୍ତି ଓ ଯେଉଁ ସାଧାରଣ ଭୋଟରମାନେ ଭଲ ପାଇ ଭୋଟ ଦେଉଛନ୍ତି ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ । ଯାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିବ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁ ପରିସ୍ଥିତି ବିଜେଡିକୁ ଭୋଗିବାକୁ ପଡ଼ିଥିଲା ତାହା ଏଥର ବି ପୁନରାବୃତ୍ତି ହୋଇପାରେ । ଏଣୁ ନବୀନ ଦଳର ସୁରକ୍ଷା ପାଇଁ ଏଥର ବିଜେପିର କଥା ରଖି ନ ଥିବା ଆଲୋଚନା ହେଉଛି ।
ନବୀନ ଭଲଭାବେ ଜାଣିଥିଲେ ଗତଥର ବିଜେପି ଗୋଟିଏ ଆସନ ଅଜାଚିତ ଭାବେ ନେଇଥିବାରୁ ଏଥର ନିଶ୍ଚୟ ଅନୁରୋଧ ଆସିବ । ଏଣୁ ନିର୍ବାଚନ ଆଗରୁ ନବୀନଙ୍କୁ ଏକ ସୁଯୋଗ ମିଳିଥିଲା ବିଜେପି ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ । ସେଥିପାଇଁ ଓଡ଼ିଶାକୁ ଅମିତ ଶାହ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲା ବେଳେ ତାଙ୍କୁ ନବୀନ ନିବାସକୁ ମଧ୍ୟାହ୍ନ ଭୋଜନ ପାଇଁ ନବୀନ ନିମନ୍ତ୍ରଣ କରିଥିଲେ । ଏପରି କି ଧର୍ମେନ୍ଦ୍ରଙ୍କୁ ମଧ୍ୟ ଡାକିଥିଲେ । ଉଭୟ ଶାହ ଓ ଧର୍ମେନ୍ଦ୍ର ନବୀନଙ୍କ ଅନୁରୋଧ ରକ୍ଷା କରି ମଧ୍ୟାହ୍ନ ଭୋଜନରେ ଯୋଗ ଦେଇଥିଲେ । ଏପରି କି ଶାହଙ୍କୁ ଅଧିକ ଖୁସି କରିବା ପାଇଁ ରାଜନୈତିକ ସମାଲୋଚନାକୁ ନ ଡରି ଉକ୍ତ ସରକାରୀ କାର୍ଯ୍ୟକ୍ରମକୁ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଡାକିଥିଲା ବେଳେ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତାଙ୍କୁ ଡାକି ନ ଥିଲେ । କୁହାଯାଏ ଶାହଙ୍କୁ ଖୁସି କରିବା ପାଇଁ ନବୀନ କଂଗ୍ରେସକୁ ଦୂରେଇ ରଖିଥିଲେ ।
ଶାହ ଓ ଅନ୍ୟ ବିଜେପି ନେତାମାନେ ଆଉ ନବୀନଙ୍କ ଉପରେ କ୍ଷୁବ୍ଧ ହେବେନାହିଁ । ରାଜ୍ୟସଭା ଅନୁରୋଧ ରକ୍ଷା ନ କଲେ ବି ଶାହ ଆଉ ନବୀନଙ୍କ ଉପରେ କଠୋର ମନୋଭାବ ପୋଷଣ କରି ନ ପାରନ୍ତି । ଶାହଙ୍କୁ ଡାକି ନବୀନ ତାଙ୍କୁ ଫସାଇ ଦେଇଛନ୍ତି । ଏହା ପରେ ଯଦି କିଛି ବି ବିରୋଧାତ୍ମକ ପଦକ୍ଷେପ କେନ୍ଦ୍ର ସରକାର ନିଅନ୍ତି ତେବେ ରାଜନୀତିରେ ବିଜେପି ପାଇଁ ଭୁଲ ବାର୍ତ୍ତାଯିବ । ସେଥିପାଇଁ ନବୀନ କୁଆଡ଼େ ଭାବିଚିନ୍ତି ଆଗରୁ ବାଟ କାଢ଼ିଥିଲେ । ସେଥିରେ ଶାହ ଓ ଧର୍ମେନ୍ଦ୍ର ଫସିଥିଲେ । ଏବେ ଆଉ ସେମାନଙ୍କ ପାଖରେ ଅନ୍ୟ କିଛି ଚାରା ନାହିଁ । ନବୀନ ବିଜେପି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସବୁଠାରୁ ବଡ଼ କଥା ବୋଲି କୁହାଯାଉଛି । ଯେଉଁ ନବୀନ ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସେତେବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଫୋନ ପାଇଲା କ୍ଷଣି ପ୍ରତ୍ୟେକ କଥାରେ ହଁ ଭରି ଚାଲିଥିଲେ ଓ ସହାୟତା ଦେଉଥିଲେ ସେ ପୁଣି କିଭଳି ଭାବରେ ଏ କ୍ଷେତ୍ରରେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ତାହା ନିଶ୍ଚୟ ସନ୍ଦେହ ସୃଷ୍ଟି କରୁଥିବ । ନିଜର ରାଜନୈତିକ ସୁରକ୍ଷା ପାଇଁ ନବୀନଙ୍କ ଏହା ବାଧ୍ୟବାଧକତା ବୋଲି କୁହାଯାଉଛି । ଆପୋଶ ଆଲୋଚନା ମଧ୍ୟରେ ଏହା ହୋଇଥିବା ମଧ୍ୟ କେହି କେହି କହୁଛନ୍ତି । ସେ ଯାହା ବି ହେଉ ନବୀନ ଏଥର ବିଜେପିକୁ ବାଟ ନଛାଡ଼ିବା ତାଙ୍କ ରାଜନୀତିକ ସୁରକ୍ଷାର ବଡ଼ ମାପଦଣ୍ଡ ବୋଲି ଅନେକ ମତ ଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking