33.1 C
Bhubaneswar
Saturday, April 27, 2024
Homeବିଜିନେସ୍ଅକ୍ଟୋବର ୧ରୁ ଦେଶରେ ୫ଜି ସେବା: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଅକ୍ଟୋବର ୧ରୁ ଦେଶରେ ୫ଜି ସେବା: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ ବୋଲି ‘ନ୍ୟାସନାଲ ବ୍ରଡ୍‌ବ୍ୟାଣ୍ଡ୍ ମିଶନ’ ପକ୍ଷରୁ ଶନିବାର ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ୫ଜି ସେବା ପ୍ରଚଳନ କରାଯିବ । ଏହି ସହରଗୁଡିକ ହେଲା ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରବାଦ, ଅହମ୍ମଦାବାଦ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁଡ୍‌ଗାଓଁ, ଜାମନଗର, ଲକ୍ଷ୍ନୌ ଓ ପୁଣେ । ୫ଜି ସେବା ପ୍ରଚଳନ କରାଗଲେ, ଦେଶରେ ବିକୀରଣ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଏହା ଉପରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୫ଜି ଦ୍ୱାରା ଯେଉଁ ବିକୀରଣ ସୃଷ୍ଟି ହେବ, ତାହାର ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମାତ୍ର ତୁଳନାରେ ଯଥେଷ୍ଟ କମ ।

ଉନ୍ନତମାନର ୫ଜି ସେବା ଯୋଗାଇଦେବାକୁ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ମନିଟର କରିବାକୁ ମାଡ୍ରାସ ଆଇଆଇଟିରେ ଏକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି । ୫ଜି ସେବା ପ୍ରଚଳନ ଦ୍ୱାରା ଟେଲିକମ ଶିଳ୍ପରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ ଆଶାବ୍ୟକ୍ତ କରିଛନ୍ତି । ଆସନ୍ତା ଦୁଇ ତିନିବର୍ଷ ମଧ୍ୟରେ ଦେଶବ୍ୟାପୀ ୫ଜି ସେବା ଉପଲବ୍ଧ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଏହି ନୂତନ ସେବା କାର୍ଯ୍ୟକାରୀ ହେବାଫଳରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ ବୋଲି କୁହାଯାଇଛି । ପୁନଶ୍ଚ ୫ଜି ସେବା ପ୍ରଚଳିତ ହେଲେ ୨୦୩୦-୪୦ ମସିହା ସୁଦ୍ଧା ଭାରତୀୟ ଅର୍ଥନୀତିରେ ୪୫୫ ବିଲିୟନ ଡଲାରର ଉନ୍ନତି ଘଟିବ ବୋଲି ଅର୍ଥନୀତିଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି ।

ସ୍ୱଳ୍ପ ସମୟ ମଧ୍ୟରେ ଦେଶର ୮୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ଉପଲବ୍ଧ କରାଇବାକୁ ଟେଲିକମ୍ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏକାଧିକ ବିକାଶିତ ରାଷ୍ଟ୍ର ଦୀର୍ଘ ବର୍ଷ ଉଦ୍ୟମ କରି କେବଳ ୪୦ରୁ ୫୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ଚାଲୁ କରିଥିବାବେଳେ ଭାରତ କିନ୍ତୁ ୮୦ ପ୍ରତିଶନ ଅଞ୍ଚଳ କଭର କରିବାକୁ ଲକ୍ଷ୍ୟ ରଖିଛି । କିଛିମାସ ପୂର୍ବେ ଦେଶରେ ୫ଜି ସେବା ପାଇଁ ଟେଣ୍ଡର ଡକାଯାଇଥିଲା । ଏଥିରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌କୁ ସିଂହଭାଗ ମିଳିଥିବାବେଳେ ଭଡାଫୋନ, ଭାରତୀ ଏୟାରଟେଲ ଓ ଅଦାନୀ ଗ୍ରୁପ୍‌କୁ ମଧ୍ୟ ଏହି ସୁଯୋଗ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking