29.1 C
Bhubaneswar
Wednesday, May 1, 2024
Homeଓଡିଶା୫୮,୦୮୯ ସ୍କୁଲ୍‌କୁ ମିଳିବ ସ୍ୱତନ୍ତ୍ର ଅନୁଦାନ

୫୮,୦୮୯ ସ୍କୁଲ୍‌କୁ ମିଳିବ ସ୍ୱତନ୍ତ୍ର ଅନୁଦାନ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ସ୍କୁଲ୍‌ଗୁଡିକ ଲାଗି ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ମିଳୁଥିବା ବେଳେ ଆସନ୍ତାବର୍ଷ ଠାରୁ ସରକାର ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବେ । ବିଶେଷକରି ସ୍କୁଲ୍ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ଏବଂ କିଛି ଛାତ୍ରୀ ସ୍କୁଲ୍‌ଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଏହି ଅନୁଦାନ ପ୍ରଦାନ କରାଯିବ । ତେବେ ପ୍ରଥମପର୍ଯ୍ୟାୟରେ ଏଥିପାଇଁ ୧୫ହଜାର ପ୍ରାଥମିକ ସ୍କୁଲ ଏବଂ ୧୭ହଜାର ଉଚ୍ଚପ୍ରାଥମିକ ସ୍କୁଲ୍‌କୁ ତାଲିକାଭୁକ୍ତ କରାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ସରକାରୀସ୍କୁଲ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁଯାୟୀ, ବିଜ୍ଞାନ ଉପକରଣ ଲାଗି ପ୍ରତି ସ୍କୁଲକୁ ୫ହଜାର, ପାଠ୍ୟପୁସ୍ତକ ଲାଗି ୮ହଜାର, ଖେଳ ସରଞ୍ଜମ ଲାଗି ଅଢ଼େଇ ହଜାର, ଛାତ୍ରୀ ସ୍କୁଲଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ହଜାର ଟଙ୍କା ଦିଆଯିବ । ମୋଟ୍ ଉପରେ ପ୍ରତି ସ୍କୁଲ୍‌କୁ ୨୧, ୫୦୦ଟଙ୍କା ପ୍ରଦାନ କରାଯିବ । ପ୍ରତି ୩ବର୍ଷକୁ ଥରେ ଏହି ଅନୁଦାନ ଦିଆଯିବ । ସେହିପରି ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେକ ସ୍କୁଲକୁ ବାର୍ଷିକ ଅତିରିକ୍ତ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଶିକ୍ଷକଙ୍କ ଲାଗି ତାଲିମ୍‌, ବିଭିନ୍ନ ପ୍ରତିଯୋଗିତା ଓ ପ୍ରଦର୍ଶନୀର ଆୟୋଜନ ଲାଗି ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୩୭ଲକ୍ଷ ୭୧ହଜାର ୨୪୯ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨ଲକ୍ଷ ୧ହଜାର ୬୨୧ ରହିଛି । ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨% ପିଲାଙ୍କର ସଠିକ୍ ଦକ୍ଷତା ବୃଦ୍ଧି ଘଟୁଥିବା ବେଳେ ୬୫% କ୍ରୀଡ଼ା ଓ ବିଜ୍ଞାନରେ ପଛରେ ଥାନ୍ତି । ଏପରିକି ସରକାରୀ ସ୍କୁଲଗୁଡିକରେ କେବଳ ପିଲାଙ୍କୁ ପାଠ୍ୟପୁସ୍ତକରେ ସୀମିତ ରଖାଯାଉଥିବା ବେଳେ ଆସନ୍ତା ଶିକ୍ଷାବର୍ଷରୁ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ମୁକାବିଲା କରିବାର ଦକ୍ଷତାବୃଦ୍ଧି ଲାଗି ପ୍ରୟାସ କରାଯିବ ।

ଏନେଇ ମଧ୍ୟ ସେମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ସହ କ୍ରୀଡ଼ା, କଳା, ସଙ୍ଗୀତ, ବିଜ୍ଞାନ ଆଦି ଯେଉଁ କ୍ଷେତ୍ରରେ ପିଲାଙ୍କର ରୁଚିଥିବ ସମ୍ପୃକ୍ତ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ର୍ରୟାସ କରାଯିବ । ବିଶେଷକରି ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକରେ ପିଲାଙ୍କୁ ଯେପରି ଭାବେ ପ୍ରସ୍ତୁତ କରାଯାଉଛି; ସେହିଭଳି ସୁବିଧା ଯୋଗାଇ ଦିଆଯିବ । ତେବେ ଏପରି ବ୍ୟବସ୍ଥା ଦେଶର ରାଜସ୍ଥାନ, ଆନ୍ଦ୍ରପ୍ରଦେଶ ଏବଂ କେରଳରେ ଲାଗୁ ହୋଇଥିବା ବେଳେ ଚତୁର୍ଥ ରାଜ୍ୟ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ ହେବ । ସେଥିପାଇଁ ଅତିରିକ୍ତ ବ୍ୟୟବରାଦ ଯୋଜନା କରାଯିବ । ସମଗ୍ରଶିକ୍ଷାରେ ରାଜ୍ୟକୁ ଯେତିକି ଅନୁଦାନ ମିଳୁଛି; ଆସନ୍ତାବର୍ଷ ଠାରୁ ଅନୁଦାନ ରାଶି ବଢ଼ାଇବା ଲାଗି ସ୍ୱତନ୍ତ୍ର ପ୍ରସ୍ତାବ ଦିଆଯିବ । ଏନେଇ ଜିଲ୍ଲାୱାରୀ ପିଲାଙ୍କ ଦକ୍ଷତା ଏବଂ ସ୍କୁଲର ଭିତ୍ତିଭୂମିର ସ୍ଥିତି ସମୀକ୍ଷା ପରେ ରିପୋର୍ଟ ପ୍ରସ୍ତୁତ କରାଯିବ । ଖୁବ୍‌ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking