29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଜିଏସ୍‌ଟି କାଉନ୍‌ସିଲ୍‌ର ୫୦ତମ ବୈଠକ: କର୍କଟ ଓ ବିରଳ ରୋଗର ଔଷଧ ଟିକସମୁକ୍ତ

ଜିଏସ୍‌ଟି କାଉନ୍‌ସିଲ୍‌ର ୫୦ତମ ବୈଠକ: କର୍କଟ ଓ ବିରଳ ରୋଗର ଔଷଧ ଟିକସମୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସ୍ଥାନୀୟ ବିଜ୍ଞାନ ଭବନରେ ଜିଏସ୍‌ଟି (ଦ୍ରବ୍ୟ ଓ ସେବା କର) କାଉନ୍‌ସିଲ୍‌ର ୫୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍‌ଲାଇନ ଗେମିଂ, କ୍ୟାସିନୋ ଏବଂ ଘୋଡା ଦୌଡ (ହର୍ସ ରେସିଂ) ଉପରେ ୨୮ ପ୍ରତିଶତ ଟିକସ ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ କର୍କଟ ସମେତ ବିରଳ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ଏବଂ ଡାକ୍ତରଙ୍କ ଦ୍ୱାରା ସୁପାରିସ କରାଯାଇଥିବା ସ୍ୱତନ୍ତ୍ର ଖାଦ୍ୟ ଆଇଟମକୁ ଜିଏସ୍‌ଟିମୁକ୍ତ କରାଯାଇଛି । ଚାରିଟି ଆଇଟମ ଯଥା ରନ୍ଧା କିମ୍ବା ଫ୍ରାଏ ହୋଇନଥିବା ସ୍ନାକ୍‌ସ ପେଲେଟ୍‌ସ, ଫିସ୍ ସଲ୍ୟୁବୁଲ ପେଷ୍ଟ୍‌, ଇମିଟେସନ ଜରି ସୂତା ଓ ୟାର୍ନ ଏବଂ ଏଲଡି ସ୍ଲାଗ୍ ଉପରେ ଜିଏସ୍‌ଟିକୁ ହ୍ରାସ କରାଯାଇଛି । ଫ୍ରାଏ ହୋଇନଥିବା ସ୍ନାକ୍‌ସ ପେଲେଟ୍ ଓ ଫିସ୍ ସଲ୍ୟୁବୁଲ ପେଷ୍ଟ୍ ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଥିବାବେଳେ ଇମିଟେସନ ଜରି/ୟାର୍ନ ଉପରେ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ଏବଂ ଏଲଡି ସ୍ଲାଗ୍ ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୂର୍ବରୁ ଯେଉଁ ୫ଟି ଆଇଟମ୍ ଉପରେ ଜିଏସ୍‌ଟି ଲାଗୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ତାହାକୁ ଉକ୍ତ ବୈଠକରେ ଦୂର କରାଯାଇଛି । ଏଗୁଡିକ ମଧ୍ୟରେ ଟ୍ରମା ଓ ସ୍ପାଇନୋ-ଇମ୍‌ପ୍ଲାଣ୍ଟ୍‌ସ ଉପରେ ୨୦୨୨ ଜୁଲାଇ ୧୮ରୁ ଜିଏସ୍‌ଟି ଲାଗୁ କରାଯିବ । ଚାଷୀଙ୍କ ଦ୍ୱାରା ସମବାୟ ସମିତିକୁ ପଠାଯାଉଥିବା କପା ଉପରେ ବର୍ତ୍ତମାନଠାରୁ ଜିଏସ୍‌ଟି ଲାଗୁ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ ପିଛିଲାଭାବେ ସଂପୃକ୍ତ ବ୍ୟବସାୟୀଙ୍କଠାରୁ ଏହା ଆଦାୟ କରାଯିବ ନାହିଁ ବୋଲି କୁହାଯାଇଛି । ଏସ୍‌ୟୁଭି ଉପରେ ଜିଏସ୍‌ଟି ପରିସୀମାକୁ ବ୍ୟାପକ କରାଯାଇଛି । କେଉଁ ଏସ୍‌ୟୁଭି ଉପରେ କେତେ ପରିମାଣର ଜିଏସ୍‌ଟି ଲାଗୁ କରାଯିବ, ତାହା କାଉନ୍‌ସିଲ୍ ପକ୍ଷରୁ ସୂଚୀତ କରାଯାଇଛି । ସେଡାନ୍ ଉପରେ ଜିଏସ୍‌ଟି ଲାଗୁ ନ କରିବାକୁ ପଞ୍ଜାବ ଓ ତାମିଲନାଡୁ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ବୈଠକରେ ଅନୁମୋଦିତ ହୋଇଛି । ବିଦେଶୀ ବାଣିଜ୍ୟ ପଲିସୀ (ଫରେନ୍ ଟ୍ରେଡ୍‌) ପ୍ରସଙ୍ଗରେ କେତେକ ବୈଷୟିକ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । ଘରୋଇ କମ୍ପାନୀ ଦ୍ୱାରା ଉପଗ୍ରହ ପ୍ରକ୍ଷେପଣ ସେବା ଉପରୁ ଜିଏସ୍‌ଟି ହଟାଇ ଦିଆଯାଇଛି । ସିନେମା ହଲ୍‌ରେ ପରିବେଷଣ କରାଯାଉଥିବା ଖାଦ୍ୟ ଓ ସ୍ନାକ୍‌ସ ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଅନ୍‌ଲାଇନ ଗେମିଂ ଇଣ୍ଡଷ୍ଟ୍ରି ଉପରେ ଜିଏସ୍‌ଟି ବୃଦ୍ଧି କରାଯିବା ଦ୍ୱାରା ଏହି ଶିଳ୍ପ ରୁଗ୍‌ଣ ହେବ ନାହିଁ କି ବୋଲି ପ୍ରଶ୍ନ ପଚରାଯିବାରୁ ନିର୍ମଳା କହିଛନ୍ତି ଯେ ସବୁ ପ୍ରକାର ଶିଳ୍ପ କିମ୍ବା ବ୍ୟବସାୟକୁ ତିଷ୍ଠି ରହିବାକୁ ସୁଯୋଗ ଦିଆଯିବ । ଗୋଆ ଓ ସିକ୍କିମ ସରକାର କ୍ୟାସିନୋରୁ ବିପୁଳ ରାଜସ୍ୱ ଆଦାୟ କରୁଥିବା ନିର୍ମଳା କହିଛନ୍ତି । ବିଭିନ୍ନ ରାଜ୍ୟରେ ଜିଏସ୍‌ଟି ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।

ବିଭିନ୍ନ ରାଜ୍ୟରେ ଜିଏସ୍‌ଟି ବେଞ୍ଚ୍ ପ୍ରତିଷ୍ଠା ପାଇଁ ୫୦ଟି ପ୍ରସ୍ତାବ ଆସିଥିବାବେଳେ ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି । ଅବଶ୍ୟ ସଂପୃକ୍ତ ରାଜ୍ୟର ରାଜଧାନୀରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ଏହାବ୍ୟତୀତ ଜାଲ୍ ଜିଏସ୍‌ଟି ରେଜିଷ୍ଟ୍ରେସନ ଏବଂ ଆଇଟିସି କ୍ଲେମ୍ ଠକେଇ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ରେଜିଷ୍ଟ୍ରେସନ ସମୟରେ ବୈଧ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦାଖଲକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ରେଜିଷ୍ଟ୍ରସନ ଆପେ ଆପେ ବାତିଲ ହେବ ବୋଲି କୁହାଯାଇଛି । ଆବେଦନକାରୀଙ୍କ ଆଧାରକାର୍ଡ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହେଉଥିଲେ ସୁଦ୍ଧା ବ୍ୟବସାୟିକ ସ୍ଥାନକୁ ଯାଞ୍ଚ କରାଯିବ । ତେବେ ଯାଞ୍ଚ ସମୟରେ ଆବେଦନକାରୀଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ ପଡିବ ନାହିଁ ବୋଲି କୁହାଯାଇଛି । ଜିଏସ୍‌ଟି କାଉନ୍‌ସିଲ୍‌ର ୫୦ତମ ବୈଠକ ଉପଲକ୍ଷେ ଡାକବିଭାଗ ପକ୍ଷରୁ ଡାକଟିକଟ ଓ ଫାଷ୍ଟ ଡେ’ କଭର ଉନ୍ମୋଚିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking