ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୬ ଜଣ ମହିଳାଙ୍କୁ ଟିଟିଲାଗଡ଼ ଜିଆର୍ପି ପୁଲିସ ଗିରଫ କରିଛି। ମହିଳାମାନଙ୍କ ନିକଟରୁ ମୋଟ ୩୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଟିଟିଲାଗଡ଼ ଜିଆର୍ପି ପୁଲିସ ସମତା ଏକ୍ସପ୍ରେସର ବିଭିନ୍ନ ବଗିରେ ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ କିଛି ମହିଳା ସନ୍ଦେହଜନକ ଭାବେ ଯାତ୍ରା କରୁଥିବା ପୁଲିସର ନଜରକୁ ଆସିଥିଲେ । ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବ୍ୟାଗ ଭିତରୁ ଗଞ୍ଜେଇ ଠାବ ହୋଇଥିଲା । ପରେ ପୁଲିସ ଗଞ୍ଜେଇ ଜବତ କରିବା ସହ ୬ ଜଣ ମହିଳାଙ୍କୁ ଗିରଫ କରିଥିଲା । ଗିରଫ ମହିଳାମାନଙ୍କ ମଧ୍ୟରେ ସଇଁତଳାର କୁଆରଗାଁ, କଳାହାଣ୍ଡିର କର୍ଲାମୁଣ୍ଡା ଓ ବରଗଡ଼ର ବିଜେପୁର ଅଞ୍ଚଳର ମହିଳା ଥିବା ବେଳେ ଦକ୍ଷିଣ ଦିଲ୍ଲୀର ଦୁଇ ଜଣ ମହିଳା ମଧ୍ୟ ରହିଥିବା ଜଣାପଡ଼ିଛି ।ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।










