ନୂଆଦିଲ୍ଲୀ:ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ସ୍କ୍ବାସ୍ ଦଳ କାଂସ୍ୟ ପଦକ ଜିତିଛି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲ୍ରେ ଭାରତ ୧-୨ରେ ହଂକଂଠାରୁ ପରାସ୍ତ ହେବା ପରେ ଫାଇନାଲ୍ ଆଶା ଶେଷ ହୋଇଥିଲା। ଅନାହାତ ସିଂହ, ତନ୍ବୀ ଖାନା ଓ ଅଭିଜ୍ଞ ଜ୍ୟୋତ୍ସ୍ନା ଚିନାପ୍ପାଙ୍କୁ ନେଇ ଭାରତୀୟ ଦଳ ମଇଦାନକୁ ଓହ୍ଲାଇଥିଲା।ପ୍ରଥମ ମ୍ୟାଚ୍ରେ ୧୮ ବର୍ଷୀୟା ଅନାହାତ ସିଂହ ହଂକଂର ସିନ୍ ୟୁକ୍ ଚାନ୍ଙ୍କ ବିପକ୍ଷରେ କଡ଼ା ଲଢ଼େଇ କରିଥିଲେ। ତେବେ ଦୀର୍ଘ ସଂଘର୍ଷ ପରେ ସେ ପରାସ୍ତ ହେବାରୁ ଭାରତ ୦-୧ରେ ପଛୁଆ ହୋଇଯାଇଥିଲା। ପରବର୍ତ୍ତୀ ମ୍ୟାଚ୍ରେ ତନ୍ବୀ ଖାନା ଦମଦାର ପ୍ରଦର୍ଶନ କରି କା ୟି ଲିଙ୍କୁ ହରାଇ ମୁକାବିଲାକୁ ୧-୧ ସ୍ଥିତିକୁ ଆଣିଥିଲେ। ଏହା ସହ ଭାରତର ଫାଇନାଲ୍ ପ୍ରବେଶ ଆଶା ପୁଣି ଜୀବିତ ହୋଇଥିଲା।
ନିର୍ଣ୍ଣାୟକ ତୃତୀୟ ମ୍ୟାଚ୍ରେ ଭେଟେରାନ୍ ଜ୍ୟୋତ୍ସ୍ନା ଚିନାପ୍ପା ହଂକଂର ହୋ ତିଜି ଲୋକ୍ଙ୍କ ସମ୍ମୁଖୀନ ହୋଇଥିଲେ। କିନ୍ତୁ ଜ୍ୟୋତ୍ସ୍ନା ୪-୧୧, ୭-୧୧, ୯-୧୧ରେ ପରାଜିତ ହେବାରୁ ଭାରତ ୧-୨ରେ ସେମିଫାଇନାଲ୍ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲା।ଏହି ପଦକ ସହ ୪୦ ବର୍ଷୀୟା ଜ୍ୟୋତ୍ସ୍ନା ଚିନାପ୍ପା ନିଜ ନାଁରେ ଆଉ ଏକ ବିଶେଷ କୀର୍ତ୍ତିମାନ ଯୋଡ଼ିଛନ୍ତି। ସେ ଲଗାତାର ୭ଟି ଏସୀୟ କ୍ରୀଡ଼ାରେ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ୨୦୦୨ରେ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଜ୍ୟୋତ୍ସ୍ନା ଏପର୍ଯ୍ୟନ୍ତ ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ମୋଟ ୭ଟି ପଦକ ଜିତିଛନ୍ତି। ଏଥିସହ ସେ ସର୍ବାଧିକ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି।










