ନୂଆଦିଲ୍ଲୀ : ଦେଶରେ ରୋଷେଇ ଗ୍ୟାସ୍ ଦର ସାଧାରଣ ପରିବାରର ବଜେଟ୍ ଉପରେ ଚାପ ପକାଉଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ରହିଛି ଆଶ୍ୱସ୍ତିର ଖବର । କେବଳ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ନୁହେଁ, ୫ କିଲୋଗ୍ରାମର ଛୋଟ ସିଲିଣ୍ଡର ବ୍ୟବହାର କରୁଥିବା ଯୋଗ୍ୟ ଉଜ୍ଜ୍ୱଳା ହିତାଧିକାରୀମାନେ ମଧ୍ୟ ଅନୁପାତିକ ଭାବେ ସବସିଡି ପାଇପାରିବେ । ସରକାର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୧୪.୨ କିଲୋ ଏଲପିଜି ସିଲିଣ୍ଡର ପିଛା ₹୩୦୦ ଟାର୍ଗେଟେଡ୍ ସବସିଡି ଦେଇଆସୁଛନ୍ତି । ୫ କିଲୋ ସିଲିଣ୍ଡର କ୍ଷେତ୍ରରେ ଏହି ସବସିଡି ସିଲିଣ୍ଡରର ଓଜନ ଅନୁଯାୟୀ ଅନୁପାତିକ ଭାବେ ନିର୍ଦ୍ଧାରଣ ହୁଏ । ଅର୍ଥାତ୍ ୧୪.୨ କିଲୋ ସିଲିଣ୍ଡର ପାଇଁ ଯେତେ ସବସିଡି ରହିଛି, ସେହି ହାରରେ ୫ କିଲୋ ସିଲିଣ୍ଡର ପାଇଁ କମ୍ ପରିମାଣର ସବସିଡି ମିଳିବ ।ଛୋଟ ଏଲପିଜି ସିଲିଣ୍ଡର ବିଶେଷକରି ସେହି ଲୋକଙ୍କ ପାଇଁ ଉପଯୋଗୀ, ଯେଉଁମାନଙ୍କୁ କମ୍ ପରିମାଣର ଗ୍ୟାସ୍ ଆବଶ୍ୟକ କିମ୍ବା ଏକାଥରକେ ବଡ଼ ସିଲିଣ୍ଡର ରିଫିଲ୍ର ଖର୍ଚ୍ଚ ବହନ କରିବା କଷ୍ଟକର । ଦିନମଜୁରିଆ, ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ଭଡ଼ାଘରେ ରହୁଥିବା ଲୋକ, କମ୍ ଆୟର ପରିବାର ଓ ଏକାକୀ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ସୁବିଧାଜନକ ହୋଇପାରେ ।










