ବିଜେପି ଖଣି ମାଲିକଙ୍କ ପାଇଁ ଓକିଲାତି କଲା ବେଳେ ବିଜେଡି ଓଡିଶା ଲୋକଙ୍କ ଅଧିକାର ପାଇଁ ଲଢେଇ କରୁଛି
ସିଏଜି ରିପୋର୍ଟକୁ ଆଶା ବାଡ଼ି କରି ବିଜେପି ମିଛ ରାଜନୀତି କରୁଛି
ଡିଏମଏଫ ଫଣ୍ଡକୁ ନେଇ ବିଜେପି ମିଛ କହି ଲୋକଙ୍କୁ ଭ୍ରମିତ କରୁଛି
ଭୁବନେଶ୍ୱର: ଡିଏମଏଫ ଫଣ୍ଡକୁ ନେଇ ଡବଲ ଇଞ୍ଜିନ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେପି ମୁଖପାତ୍ର ଓ ସାଂସଦମାନେ ମନ ଗଢ଼ା କଥା କହି ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି । ଏମଏମଡିଆର ଭଳି ପ୍ରସଙ୍ଗକୁ ଏଡାଇ ଦେବାକୁ ବିଜେପି ଚକ୍ରାନ୍ତ କରି ମିଛ କହି ଲୋକଙ୍କୁ ଭ୍ରମିତ କରୁଛି । ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ।
ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ସରକାର ଶାସନ କାଳରେ ଡିଏମଏଫ ଫଣ୍ଡରୁ ୨୬,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ସିଏଜି ରିପୋର୍ଟରେ ଜଣା ପଡ଼ିଛି ବୋଲି ବିଜେପି ମୁଖପାତ୍ର କହିଛନ୍ତି । ତେବେ ଉକ୍ତ କଥା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ଲୋକଙ୍କୁ ଭ୍ରମିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଚକ୍ରାନ୍ତ କରୁଛି । ବିଜେପି ମୁଖପାତ୍ର ଗଣମାଧ୍ୟମ ସମ୍ମୁଖରେ ମିଥ୍ୟା କଥା ଉପସ୍ଥାପନ କରୁଛନ୍ତି । ଏ ବାବଦରେ କହିବା ପୂର୍ବରୁ ବିଜେପି ମୁଖପାତ୍ର ସିଏଜି ରିପୋର୍ଟ ପଢ଼ିବାର ଆବଶ୍ୟକ ରହିଛି । ବିଜେଡି ଶାସନ ସମୟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ୨୬,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । କିନ୍ତୁ ବାସ୍ତବରେ ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟରେ ସିଏଜି ଦର୍ଶାଯାଇଛି । ତେବେ ୨୬,୦୦୦ କୋଟି ଦୁର୍ନୀତି କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେଡି । ୨୬,୦୦୦ କୋଟି ଟଙ୍କାର ଦୁର୍ନୀତି ନେଇ ରିପୋର୍ଟରେ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ ।
ତେବେ ବିଜେପି ମନ ଗଢ଼ା କଥା କହି ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି । ସମ୍ପୂର୍ଣ୍ଣ ଡିଏମଏଫ ଫଣ୍ଡରେ ୨୬,୦୦୦ କୋଟି ଟଙ୍କା ଆଦାୟ ହୋଇଛି । ତେବେ ସମ୍ପୂର୍ଣ୍ଣ କେମିତି ଦୁର୍ନୀତି ହେଲା । ୨୦୨୪ ସୁଦ୍ଧା ଫଣ୍ଡରେ ୧୬,୦୦୦ କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିଲା । ଏବେ ତାହା ଆହୁରି ବୃଦ୍ଧି ପାଇଥିବ । ସେଥିରୁ କେତେ ଖର୍ଚ୍ଚ କରିଛ ସେ ନେଇ ବିଜେପି ସରକାର ସ୍ପଷ୍ଟୀକରଣ ପ୍ରଦାନ କରୁ । ବିଜେପି ଯେଉଁ ଅନିୟମିତତା ନେଇ ଅଭିଯୋଗ କରୁଛି ତାହାର କୌଣସି ପ୍ରମାଣ ନାହିଁ । ଉକ୍ତ ଫଣ୍ଡ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ମନିଟରିଂ ହୋଇଥାଏ । ଜିଲ୍ଲାପାଳ ମାନେ ଏହାର ମୁଖ୍ୟ । ତେବେ ଦୁର୍ନୀତି ନେଇ ବିଜେପି ଅଭିଯୋଗ କରିବା ଅର୍ଥ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ଦୁର୍ନୀତିରେ ସଂପୃକ୍ତ ଅଛି । ସ୍ୱାସ୍ଥ୍ୟ, ପାନୀୟ ଜଳ, କୋଭିଡ ପରିଚାଳନା, ସ୍ୱଚ୍ଛତା, ବିଦୁ୍ୟତ୍, ଶିକ୍ଷା ଆଦି ଜରୁରୀ କାଳୀନ କ୍ଷେତ୍ରରେ ଉକ୍ତ ଫଣ୍ଡ ଖର୍ଚ୍ଚ ହୋଇଛି । ତେବେ କୋଭିଡ୍ ଭଳି ଜରୁରୀ କାଳୀନ ପରିସ୍ଥିତିରେ ଟଙ୍କା ଖର୍ଚ୍ଚ କରିବା କଣ ଭୁଲ ବୋଲି ପ୍ରଶ୍ନ କରିଛି ବିଜେଡି । ଉକ୍ତ ସମୟରେ ବିଜେପି ବାରମ୍ବାର ଡିଏମଏଫ ଫଣ୍ଡ ବାବଦରେ କଥା ଉଠାଇବା ପଛରେ ଅନେକ ଚକ୍ରାନ୍ତ ରହିଛି । ଏମଏମଡିଆର ପ୍ରସଙ୍ଗରେ ଲୋକେ ବିଜେପି ସରକାରଙ୍କୁ ପ୍ରଶ୍ନ କରୁଥିବା ବେଳେ ସେଥିରୁ ନଜର ହଟାଇବା ପାଇଁ ବିଜେପି ସରକାର ବଡ ଷଡ଼ଯନ୍ତ୍ର କରୁଛି । ଯାହାକୁ ନେଇ ମିଥ୍ୟା ଆରୋପ କରାଇବାରେ ବ୍ୟସ୍ତ ରହିଛନ୍ତି ।
ଏମଏମଡିଆର ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚିଥିବା ବେଳେ ଏହାକୁ ସାମ୍ନା କରିବା ପାଇଁ ବିଜେପି ସରକାର ପାଖରେ ସତ୍ସାହସ ନାହିଁ । ସିଏଜି ରିପୋର୍ଟର ସାହାରା ନେଇ ତାହାକୁ ଆଶା ବାଡ଼ି କରି ବିଜେପି ମିଛ ରାଜନୀତି କରୁଛି । ଓଡ଼ିଶାର ଅର୍ଥନୈତିକ ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । ସେ କଥାକୁ ଲୋକଲୋଚନରୁ ହଟାଇବା ପାଇଁ ଚକ୍ରାନ୍ତ କରାଯାଉଛି । ପିଏମ୍ କେୟାର, ଆୟୁଷ୍ମାନ ଭାରତ ଆଦି ଅନେକ ଯୋଜନାରେ ଅନିୟମିତତା ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ସରକାର ଚୁପ ବସିଛନ୍ତି । ବିଜେଡି ଶାସନ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋଭିଡ଼ରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍ ଫଣ୍ଡରୁ ଭାରତର ପ୍ରଥମ କୋଭିଡ଼ ହସପିଟାଲ ପ୍ରତିଷ୍ଠା କରିଥିଲେ । ଲୋକଙ୍କ ସେବା ପାଇଁ ବିଜେଡି ଡିଏମଏଫ ଫଣ୍ଡକୁ ବ୍ୟବହାର କରିଛି । କିନ୍ତୁ ବିଜେପି ସରକାର ତାହା ନକରି ଖଣି ମାଲିକ ଓ ପୁଞ୍ଜିପତି ମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଏମ୍ଏମ୍ଡିଆର ଆଇନ ଆଣି ଓଡ଼ିଶା ବାସୀଙ୍କ ହକକୁ ଛଡାଇ ନେଇଛି ବିଜେପି ସରକାର । ଓଡିଶାବାସୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ଦାବି ନମିଳିବା ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ ।










