27.1 C
Bhubaneswar
Friday, May 10, 2024
Homeଓଡିଶା୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ; ଦୁଇ ବର୍ଷରେ କାହାକୁ ପଢ଼ାଇଛ ରିପୋର୍ଟ ଦିଅ

୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ; ଦୁଇ ବର୍ଷରେ କାହାକୁ ପଢ଼ାଇଛ ରିପୋର୍ଟ ଦିଅ

ଭୁବନେଶ୍ୱର: ଘରୋଇ ସ୍କୁଲର ପ୍ରିୟାପ୍ରିତି ଏବଂ ମନମ୍ମୁଖୀ କାର୍ଯ୍ୟ ସମ୍ପର୍କରେ ସବୁ ସ୍ତରରେ ବିରୋଧର ସ୍ୱର ଉଠିବା ପରେ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ୨୫% କୋଟା ସିଟ୍‌ର ଯାଞ୍ଚ କରାଯିବ । ତେବେ ଯେଉଁ ଘରୋଇ ସ୍କୁଲଗୁଡିକ ସରକାରଙ୍କ ନିୟମକୁ ଅବମାନନା କରିଥିବା ଜଣାପଡ଼ିବ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଶିକ୍ଷା ଅଧିକାର ଆଇନ୍ ଲାଗୁ ହେବା ପରେ ରାଜ୍ୟର ସବୁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଲାଗି ୨୫ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ନିର୍ଦ୍ଦେଶକୁ ଘରୋଇ ସ୍କୁଲ ପାଳନ କରୁଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ ଲିଖିତ ଭାବେ ପ୍ରତିବର୍ଷ ରପୋର୍ଟ ଦାଖଲ କରୁଛନ୍ତି । ମାତ୍ର ଘରୋଇ ସ୍କୁଲଗୁଡିକରେ ଗରୀବ ପିଲାଙ୍କ ଲାଗି ସଂରକ୍ଷିତ ସିଟ୍‌ରେ ମ୍ୟାନେଜମେଣ୍ଟ କୋଟା ନାଁରେ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି’ ଆଦାୟ କରି ପିଲାଙ୍କୁ ନାମ ଲେଖାଉଛନ୍ତି । ଫଳରେ ଗରୀବ ପିଲାମାନେ ସେମାନଙ୍କର ଅଧିକାର ପାଇବାରୁ ବଞ୍ôଚତ ହୋଇଛନ୍ତି ।

ରାଜ୍ୟରେ ଥିବା ୪୭୦ ଘରୋଇ ସ୍କୁଲରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ସରକାର ଘରୋଇ ସ୍କୁଲ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେଉଁ ସବୁ ଘରୋଇ ସ୍କୁଲରେ କେତେ ପିଲା ସଂରକ୍ଷିତ ସିଟ୍‌ରେ ପଢ଼ୁଛନ୍ତି ତାହାର ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହି ରିପୋର୍ଟ ଜୁନ ଶେଷ ସୁଦ୍ଧା ବିଭାଗ ପାଖରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ତେବେ ଯେଉଁ ସ୍କୁଲରେ ଅନିୟମିତତା ଥିବା ଜଣାପଡ଼ିବ ସେହି ସ୍କୁଲ କର୍ତ୍ତୃପକ୍ଷଙ୍କ ସ୍କୁଲରେ ତାଲା ପଡ଼ିବ ବୋଲି ଜଣାଇ ଦିଆଯାଇଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଏପରି ଅବ୍ୟବସ୍ଥାକୁ ନେଇ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ପୂର୍ବରୁ ବହୁବାର ଗରିବ ପିଲାଙ୍କୁ ପଢ଼ିବାର ସୁଯୋଗ ନଦେଲେ ଘରୋଇ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସରକାର ଚେତାବନୀ ଦେଇଥିଲେ । ମାତ୍ର ଗରିବ ପିଲାଙ୍କ ୨୫ପ୍ରତିଶତ ସିଟ୍ ଲାଗି ଯେଉଁ ନିୟମ ଧାର୍ଯ୍ୟ ହୋଇଛି, ସେପରି ପିଲା ମିଳୁନାହାନ୍ତି ବୋଲି କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଥିଲେ । ଏପରିକି ସମ୍ପୃକ୍ତ ସିଟ୍ ଲାଗି କୌଣସି ସ୍ୱତନ୍ତ୍ର ଆବେଦନପତ୍ର ଆସିନଥିବାରୁ ସମ୍ପୃକ୍ତ ସିଟ୍ ଖାଲି ପଡ଼ିଛି ବୋଲି ମଧ୍ୟ କର୍ତ୍ତୃପକ୍ଷ ଦର୍ଶାଉଥିଲେ ।

ମାତ୍ର ସଂରକ୍ଷିତ ସିଟ୍‌ରେ ନାମଲେଖା ଲାଗି ଘରୋଇ ସ୍କୁଲର କର୍ତ୍ତୃପକ୍ଷ ଗରୀବ ଅଭିଭାବକଙ୍କୁ ଯେପରି ବ୍ୟବହାର କରୁଛନ୍ତି ସେଥିରେ ଅନେକ ଅଭିଭାବକ ଭୟରେ ଘରୋଇ ସ୍କୁଲରେ ସେମାନଙ୍କ ପିଲାଙ୍କୁ ପଢ଼ାଇବାକୁ ଅନିଛା ପ୍ରକାଶ କରୁଛନ୍ତି । ଏପରି ଅଭିଯୋଗ ମିଳିବା ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।
ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଶିକ୍ଷା ଅଧିକାର ଆଇନ୍‌-୨୦୦୯ ଅନୁଯାୟୀ ଘରୋଇ ସ୍କୁଲର ଶିକ୍ଷା ଦାନ ବ୍ୟବସ୍ଥା, ଭିତ୍ତିଭୂମି, ରୋଷେଇଘର, ଖେଳପଡିଆ, ଅଭିଜ୍ଞ ଶିକ୍ଷକ ଆଦି ଶୈକ୍ଷିକ ପରିବେଶ ସଂପର୍କରେ ପ୍ରତିବର୍ଷ ଯାଞ୍ଚ ହେଉଛି ।

ଏପରିକି ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆଣିବା ଲାଗି ୨୫% କୋଟା ସିଟ୍ ଲାଗି ସରକାର ସ୍ୱତନ୍ତ୍ର ୱେବସାଇଟ ବ୍ୟବସ୍ଥା କରିଛନ୍ତି । ତଥାପି ସେଥିରେ ସମସ୍ୟା ରହୁଥିବା ଅଭିଯୋଗ ହେଉଛି । ଏପରି ସମସ୍ୟାକୁ ଯାଞ୍ଚ କରିବା ସହ ଘରୋଇ ସ୍କୁଲ ଗୁଡିକରେ ନାମଲେଖା ସମୟରେ କେତେ ଫି’ ଆଦାୟ ହେଉଛି ତା’ର ମଧ୍ୟ ତଦାରଖ କରାଯିବ । ଏହାବ୍ୟତୀତ ଯଦି କୌଣସି ଘରୋଇ ସ୍କୁଲ ୨୫ପ୍ରତିଶତ ସଂରକ୍ଷିତ ସିଟ୍‌ରେ ଗରିବ ପିଲାଙ୍କୁ ନପଢ଼ାନ୍ତି ତେବେ ସେହି ସ୍କୁଲକୁ ମଧ୍ୟ ଏନ୍‌ଓସି ମିଳିବ ନାହିଁ ।

ତେବେ ପ୍ରତିବର୍ଷ ରାଜ୍ୟର ସବୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ୨୫ପ୍ରତିଶତ ସିଟ୍‌ରେ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ବୋଲି ଦର୍ଶାଉଛନ୍ତି । ଏହାବ୍ୟତୀତ ଘରୋଇ ସ୍କୁଲରେ ଯେଉଁ ପ୍ୟାରେଣ୍ଟସ୍ ଆସୋସିଏସନ ରହିଛି ସେମାନେ ମଧ୍ୟ ସମ୍ପୃକ୍ତ ସ୍କୁଲ ସପକ୍ଷରେ ରିପୋର୍ଟ ପ୍ରଦାନ କରିଥାନ୍ତି । ମାତ୍ର ଅନେକ ସ୍କୁଲର ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଚାପରେ ସେମାନଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ଏଣିକି ସରକାର ନିଜେ ସିଧାସଳଖ ସବୁ ଘରୋଇ ସ୍କୁଲ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାସ୍ତରରେ ସବୁ ଘରୋଇ ସ୍କୁଲକୁ ଯାଞ୍ଚ ଲାଗି ଏକ କମିଟି ଗଠନ କରାଯିବ ।

କମିଟିରେ ସରକାରୀ ସ୍କୁଲର ବରିଷ୍ଟ ଶିକ୍ଷକ ଏବଂ ଶିକ୍ଷାବିତମାନେ ସଦସ୍ୟ ଭାବେ ରହିବେ । ପ୍ରତି କମିଟିରେ ୪ଜଣ ଲେଖାଏ ସଦସ୍ୟ ମନୋନିତ ହେବେ । ସମ୍ପୃକ୍ତ କମିଟି ଜିଲ୍ଲାର ସବୁ ଘରୋଇ ସ୍କୁଲରେ ୨୫% ସଂରକ୍ଷିତ ସିଟ୍‌ରେ ଗତ ୨ବବର୍ଷ ହେବ କେତେ ପିଲା ପଢ଼ୁଛନ୍ତି ତାହା ରିପୋର୍ଟ ଦେବେ । ରିପୋର୍ଟରେ ପିଲାଙ୍କ ନାମ, ଅଭିଭାବକଙ୍କ ନାମ, ପିଲାଙ୍କ ଆଧାର ନମ୍ବର, ବାର୍ଷିକ ଆୟ ପ୍ରମାଣପତ୍ର ରହିବ । ବିପିଏଲ୍ ବର୍ଗର ପିଲାଙ୍କ ଲାଗି ବିପିଏଲ୍ କାର୍ଡର କପି ସଂଲଗ୍ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking