34.1 C
Bhubaneswar
Saturday, April 27, 2024
Homeଓଡିଶାତିନିରଥର ୩୬ ଗୋଟି ଚକର ନିର୍ମାଣ ଓ ୫ ଟି ନାହାକା ଅଖ ନିର୍ମାଣ କାର୍ଯ୍ୟ...

ତିନିରଥର ୩୬ ଗୋଟି ଚକର ନିର୍ମାଣ ଓ ୫ ଟି ନାହାକା ଅଖ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ : ଆଉ ମାତ୍ର ୩୫ ଦିନ ବାକି ରହିଲା ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଂଚଳ ରଥଖଳା । ଆଜି ରଥ ନିର୍ମାଣର ତ୍ରୟୋବିଂଶ ତମ ଦିବସରେ ତିନି ରଥର ମୋଟ ୧୯୭ ଜଣ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ସୁଦ୍ଧା ତିନିରଥର ୩୬ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା ।

ତେବେ ଆଜିର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ ଚକରୁ ୩୮ ଗୋଟି ଚକର ନିର୍ମାଣ ଶେଷ ହୋଇଯାଇଛି । ତିନିରଥର ୫ ଟି ନାହାକା ଅଖ ନିର୍ମାଣ ମଧ୍ୟ ଶେଷ ହୋଇଯାଇଛି । ଏଥି ସହ ତାଳଧ୍ୱଜ ରଥର ୨ ଟି, ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଗୋଟିଏ ଲେଖାଁଏ ପଡିନାହାକା ଅଖ ନିର୍ମାଣ ଶେଷ ହୋଇଛି । ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ନିରାଡ଼ି କାଠର ଚଉପଟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

ତାଳଧ୍ୱଜ ରଥର ମୋଟ ୧୪ ଗୋଟି ଚକରୁ ଆଜି ସୁଦ୍ଧା ୧୨ ଟି ଚକର ନିର୍ମାଣ ଶେଷ ହୋଇ ବାକି ଦୁଇଗୋଟି ଚକର ତୂମ୍ବରେ ଅର ସଂଯୋଗ ସହ ଅରରେ କଣ୍ଟା ବାଡ଼ିଆ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ଗୋଟିଏ ନାହାକା ଅଖ ନିର୍ମାଣ ପୂର୍ବରୁ ଶେଷ ହୋଇଥିଲା, ଆଜି ତାଳଧ୍ୱଜ ରଥର ଦୁଇଟି ପଡି ନାହାକା ଗୋଟିଏ ଗୋଟିଏ ବଡ ଉଛଳା ଏବଂ ସାନ ଉଛଳା ଅଖ ନିର୍ମାଣ ମଧ୍ୟ ଶେଷ ହୋଇଛି । ଏଥି ସହ ତାଳଧ୍ୱଜ ରଥର ୮ ଗୋଟି ଚଉତା କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା, ଆଜି ବାକି ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ସେହିପରି ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକରୁ ଆଜି ସୁଦ୍ଧା ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇଛି ।

ଶେଷ ଚକଟିର ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇ ସେବକ ମାନେ ଶେଷ କରିଥିଲେ । ତଥା ଦର୍ପଦଳନ ରଥର ଦୁଇଟି ନାହାକା ଅଖ ନିର୍ମାଣ ଶେଷ ହେବା ସହ ଗୋଟିଏ ପଡି ନାହାକା ଅଖ ନିର୍ମାଣ ଶେଷ ହୋଇଛି । ଏଥି ସହ ଦର୍ପଦଳନ ରଥର ୪ଗୋଟି ନିରାଡିରୁ ୨ ଗୋଟି ୨୦ଫୁଟିଆ ନିରାଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି । ୧୨ ଗୋଟି ଚଉତା କାଠରୁ ୮ ଟିର ଚଉପଟ ସାରି ବାକି ୪ ଗୋଟି ଚଉତର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସହ ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ଆଜି ସୁଦ୍ଧା ୧୫ ଗୋଟି ଚକର ନିର୍ମାଣ ଶେଷ ହୋଇଛି ।

ଶେଷ ଚକ ତୂମ୍ବରେ ଅର ସଂଯୋଗ ପରେ ଯନ୍ତାଗାଡ଼ ଠାରେ ଆଜି ସିଙ୍ଗଡ଼ା ବାଡ଼ିଆ ବା ତୁମ୍ବ ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ଦୁଇଟି ନାହାକା ଅଖ ଏବଂ ଗୋଟିଏ ପଡି ନାହାକା ଅଖ ନିର୍ମାଣ ମଧ୍ୟ ଶେଷ ହୋଇଛି । ଏଥିସହ ୪ଗୋଟି ନିରାଡ଼ି ରୁ ୨ ଗୋଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ୧୨ଗୋଟି ଚଉତା କାଠ ରୁ ୧୦ ଗୋଟି ଚଉତର ଚଉପଟ ସରି ଶେଷ ଦୁଇଟିର ଚଉପଟ ଜାରୀ ରହିଛି ।

ଅନ୍ୟପଟେ ତିନିରଥର ରୂପକାର ସେବକ ମାନେ ତିନିରଥ ର ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପ ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି । କରତି ସେବକ ମାନେ ତାଳଧ୍ୱଜ ରଥର ଗୋଟିଏ ୨୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ତଥା ତିନିରଥର ଭୋଇ ସେବକ ମାନେ ତିନିରଥର ଶେଷ ଗୋଟିଏ ଗୋଟିଏ ତୂମ୍ବରେ ଅର ସଂଯୋଗ ପୂର୍ବକ କଣ୍ଟା ବାଡ଼ିଆ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । କିନ୍ତୁ ସନ୍ଧ୍ୟାରେ ସାମାନ୍ୟ ବର୍ଷା କାରଣରୁ ଯନ୍ତାଗାଡ଼ ମୁଦ କାର୍ଯ୍ୟ ଆସନ୍ତାକାଲି କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking