30.1 C
Bhubaneswar
Friday, April 26, 2024
Homeଓଡିଶାପିଇବା ପାଣି ପାଇଁ ତାତିଲେ ମହିଳା : ରାସ୍ତାରେ ବସିଲେ, ରୋଷେଇ କରି ଖାଇଲେ

ପିଇବା ପାଣି ପାଇଁ ତାତିଲେ ମହିଳା : ରାସ୍ତାରେ ବସିଲେ, ରୋଷେଇ କରି ଖାଇଲେ

ସାନଖେମୁଣ୍ଡି : ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ କାର୍ଯ୍ୟ କରୁଛି । ବିପୁଳ ଅର୍ଥ ବ୍ୟୟରେ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଆଜି ବି ଅନେକ ଗ୍ରାମବାସୀ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ବିଭାଗୀୟ ଅବହେଳା ଓ ଅଦୂରଦର୍ଶିତା ଯୋଗୁଁ ଲୋକେ ସେମାନଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପାନୀୟ ଜଳ ସମସ୍ୟାରେ ଅତିଷ୍ଠ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଡି ୪ ନମ୍ବର ୱାର୍ଡ ନୂଆସାହିର ମହିଳାମାନେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ । ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା ନ ହେଲେ ଭୋଟଦାନରୁ ବିରତ ରହିବେ ବୋଲି ଚେତବାନୀ ଦେବା ସହ ହାଣ୍ଡି, ମାଠିଆ ଧରି ହିଞ୍ଜିଳି-ପି. ଜଗନ୍ନାଥପୁର ରାଜ୍ୟ ରାଜପଥକୁ ୯ ଘଣ୍ଟା ଧରି ଅବରୋଧ କରିଥିଲେ ।

ରାସ୍ତା ଉପରେ ରୋଷେଇ କରି ଖାଇବା ସହ ଦାବି ପୂରଣ ନହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ନୂଆସାହି ବାସିନ୍ଦା ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନଠାରେ ପୂର୍ବରୁ ପାନୀୟ ଜଳ ଯୋଗାଣ ନେଇ ବହୁବାର ଦାବି ଜଣାଇଛନ୍ତି । କିନ୍ତୁ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଆଜି ସକାଳ ୮ରୁ ଶତାଧିକ ମହିଳା ଧାରଣାରେ ବସିଥିଲେ । ନୂଆ ସାହିରେ ଏକମାତ୍ର ପୋଖରୀ ରହିଛି । ତାହା ବି ପରିତ୍ୟକ୍ତ ଅବସ୍ଥାରେ । ନଳକୂପ ରହିଛି ସତ କିନ୍ତୁ ତାହାର ପାଣି ପିଇବାଯୋଗ୍ୟ ନାହିଁ । ଏକମାତ୍ର ନଳକୂପ ଅଚଳ ହୋଇଥିବା ବେଳେ ୨୦୦୫ ମସିହାରୁ ନିର୍ମିତ ପାଇପ୍ ଲାଇନ୍ ଜଳ ଯୋଗାଣ ପ୍ରକଳ୍ପରୁ ଗତ ୩ ବର୍ଷ ଧରି ପାଣି ଆସୁନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

ପାଟପୁର ପୋଲିସ ଧାରଣା ସ୍ଥଳରେ ପହଞ୍ôଚ ଆନ୍ଦୋଳନରତ ମହିଳାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା । ବିଡ଼ିଓ କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେନି ବୋଲି ମହିଳାମାନେ ରୋକ୍‌ଠୋକ୍ ଜଣାଇଥିଲେ । ଅପରାହ୍ନ ୪ଟାରେ ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ. ଶ୍ରୀନିବାସ ବେହେରା, ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଧାରଣାସ୍ଥଳରେ ପହଞ୍ôଚ ସମସ୍ୟା ସମାଧାନ ନେଇ ଆଲୋଚନା କରିଥିଲେ । ନିର୍ବାଚନ ଆଚରଣବିଧି ହଟିବା ପରେ ମାର୍ଚ୍ଚରେ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ନଳକୂପ ସହ ପ୍ରତି ଘରକୁ ପାଇପ୍ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ବିଡ଼ିଓ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପରେ ଦୀର୍ଘ ୯ ଘଣ୍ଟାର ରାସ୍ତାରୋକରୁ ମହିଳାମାନେ ଉଠିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking