29.1 C
Bhubaneswar
Sunday, May 5, 2024
Homeଓଡିଶାଖୋଲିବ କି ପ୍ରାଥମିକ ସ୍କୁଲ !

ଖୋଲିବ କି ପ୍ରାଥମିକ ସ୍କୁଲ !

ଯୁଗ-ଅଯୁଗ୍ମ ଫର୍ମୁଲା ଆପଣାଇବାକୁ ପରାମର୍ଶ
ଭୁବନେଶ୍ୱର:  ରାଜ୍ୟରେ କରୋନା ପ୍ରକୋପ କମିବା ପରେ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଛି । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଏବଂ ପରେ ନବମ ଶ୍ରେଣୀ ପିଲାଙ୍କ କ୍ଲାସ୍ ଆରମ୍ଭ ହୋଇଛି । ଏହାରି ଭିତରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଶ୍ରେଣୀ ଶିକ୍ଷାଦାନ ଲାଗି ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରାଥମିକ ଶ୍ରେଣୀ ଖୋଲିବାକୁ ସରକାରଙ୍କୁ ସୁପାରିସ୍ କରିବେ ବୋଲି ଜଣାପଡ଼ିଛି । ସେ କହିଛନ୍ତି, ସ୍ୱତନ୍ତ୍ର ରିଲିଫ୍ କମିଶନର, ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଏ ସଂକ୍ରାନ୍ତରେ ଜଣାଯିବ । ଶିଶୁଙ୍କ ସୁରକ୍ଷା ବଳୟ ଭିତରେ ରଖିବାକୁ ଏସ୍‌ଓପି ଆଣିବାକୁ ସୁପାରିସ୍ କରାଯିବ । ଗତକାଲି ସମସ୍ତ ସିଡିଏମ୍‌ଓ, ଆରଏମଆରସି ନିର୍ଦ୍ଦେଶିକା, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ କମିଶନ ଅଧ୍ୟକ୍ଷାଙ୍କ ଆଲୋଚନା ହୋଇଥିଲା । ଶିଶୁମାନେ ଦୀର୍ଘଦିନ ହେଲା ଘରେ ରହି ମାନସିକ ଭାବେ ଚାପଗ୍ରସ୍ତ ହେଉଛନ୍ତି ।

ଶାରୀରିକ ବିକାଶରେ ମଧ୍ୟ ବାଧକ ହେବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି । ଏଥିଲାଗି ଅଗ୍ରାଧିକାର ଭିତ୍ତିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ପରାମର୍ଶ ଦିଆଯିବ । ଦିନେ ଛଡ଼ା ଦିନେ ବା ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଆପଣାଇ (ରୋଲ୍ ନମ୍ବର ଅନୁସାରେ) ସ୍କୁଲ୍ ଖୋଲିହେବ ବୋଲି ସେ ମତ ଦେଇଛନ୍ତି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷାଦାନ ଲାଗି ଅନେକ ଅଭିଭାବକ ଏବଂ ଶିକ୍ଷାବିତମାନେ ମତ ରଖିଛନ୍ତି । ମାତ୍ର ବର୍ତ୍ତମାନର ପରିସ୍ଥିତିକୁ ଗୁରୁତ୍ୱ ଦେବା ସହ ପିଲାଙ୍କ ସ୍ୱାସ୍ଥ୍ୟକୁ ନଜର ଦେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ପ୍ରସ୍ତାବକୁ ଗଣଶିକ୍ଷା ବିଭାଗ କେତେ ଗୁରୁତ୍ୱ ଦେବ ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଗତ କିଛି ଦିନ ହେଲା ଠ-୧୮ ବର୍ଷ ବୟସ ପିଲାଙ୍କ ଠାରେ ସଂକ୍ରମଣ ବଢ଼ିଚାଲିଛି । ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଥିବାବେଳେ ଏବେଠୁ ମାତ୍ର ୪ ଦିନରେ ୪ଠଠରୁ ଅଧିକ ଶିଶୁ-କିଶୋର ସଂକ୍ରମିତ ହୋଇସାରିଲେଣି ।

ଏଭଳି ସ୍ଥିତିରେ ପ୍ରାଥମିକ ଶ୍ରେଣୀ କିପରି ଖୋଲିବ ଏବଂ ପିଲାମାନେ ବିଦ୍ୟାଳୟ ଆସି କିପରି ପାଠ ପଢ଼ିବେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କରୋନା ମହାମାରୀ ଭୟରେ ଦେଢ଼ ବର୍ଷ ହେଲା ପିଲାମାନେ ସ୍କୁଲ୍‌କୁ ଯାଇନାହାନ୍ତି । ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଥିଲେ ହେଁ ଏହା ଶ୍ରେଣୀ ଶିକ୍ଷାଦାନର ବିକଳ୍ପ ହୋଇପାରିନି । ତୃତୀୟ ଲହର ଭୟ ଭିତରେ ଯଦି ସରକାର ପ୍ରାଥମିକ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେହି ଅନୁସାରେ ଶିଶୁଙ୍କ ସୁରକ୍ଷା ଲାଗି ବ୍ୟାପକ ବନ୍ଦୋବସ୍ତ କରିବାକୁ ପଡ଼ିବ ବୋଲି ଅଭିଭାବକମାନେ ମତ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶରେ ପ୍ରାଥମିକ ଶ୍ରେଣୀ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଅଗଷ୍ଟ ୨୩ରୁ ସେଠାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking