27.1 C
Bhubaneswar
Thursday, April 25, 2024
Homeଓଡିଶାକଲବଲ କରୁଛି ଡ଼େଙ୍ଗୁ

କଲବଲ କରୁଛି ଡ଼େଙ୍ଗୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ କଲବଲ କରୁଛି ଡେଙ୍ଗୁ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ରୋଗୀଙ୍କ ସଂଖ୍ୟା ୧୪୭୦କୁ ବୃଦ୍ଧିପାଇଥିବାବେଳେ ୧୫ ଶହ ମୁହାଁ ହୋଇଛି । ଦୈନିକ ୫୦ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ପିଡ଼ୀତ ହେଉଥିବା ସାମ୍ନାକୁ ଆସୁଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ବିଏମ୍‌ସି  ତଥ୍ୟ ମୂତବାକ, ମଶା ବୃଦ୍ଧିର ଆଶଙ୍କା ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ସଫେଇ କରାଯାଇଛି । ୫୩,୬୬୪ ସ୍ଥାନରୁ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ଏଥିସହ ୫୨,୩୫୪ ସ୍ଥାନରେ ଏଡ଼ିଶ୍ ମଶାର ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଛି । ହେଲେ ଏବେ ମଧ୍ୟ ବିଏମ୍‌ସି ତା’ର ସର୍ଭେଲାନ୍ସ ବଢ଼ାଇବାରେ ଅକ୍ଷମ ପାଲଟଇଛି । ସହରର ୨୦,୨୬୯ ଘରକୁ ସର୍ଭେଲାନ୍ସରେ ଆଣିଛି ।

ଯେଉଁଥିରେ ୮୬,୪୩୭ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି । ବିଏମ୍‌ସି ପକ୍ଷରୁ ସର୍ଭେଲାନ୍ସ ପ୍ରକ୍ରିୟା ଧିମା ହୋଇଥିବାରୁ ସଂକ୍ରମଣ ବୃଦ୍ଧିପାଉଥିବା ଅଭିଯୋଗ ହୋଇଛି। ଏହି ମଧ୍ୟରେ ସହରରୁ ୧୦୩୬ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବିଏମ୍‌ସି ସୁଚନା ଦେଇଛି । ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏବେ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍‌ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ମଶା ମାରିବାରେ ଅକ୍ଷମ ବିଏମ୍‌ସି
ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ କାମ ହେଉଛି ବିଏମ୍‌ସିର । ହେଲେ ବିଏମ୍‌ସିର ସ୍ୱାସ୍ଥ୍ୟ ବିଭାଗ ଏବେ ମଶା ମାରିବାକୁ ଏକ ପ୍ରକାର ଅକ୍ଷମ । ମାରିବା ତ ଦୂରରକଥା ମଶାଙ୍କୁ ଘଉଡାଇବା ପାଇଁ ବିଏମ୍‌ସି ପାଖରେ ଲୋକବଳ କି ସାଧନ ନାହିଁ । ସହରରେ ଧୂଆଁ ଛଡାଯିବା ଆଉ ଦେଖିବାକୁ ମିଳୁନାହିଁ । ନାଳ ନର୍ଦ୍ଦମା ସଫା ହେବ, ମଶାତେଲ ପଡିବା ଆଦି ସବୁ ଅତୀତ ହୋଇଗଲାଣି । ବିଏମ୍‌ସି କର୍ତ୍ତୃପକ୍ଷ କେବଳ କିଛି ଗଣମାଧ୍ୟମରେ ବିଜ୍ଞାପନ ଦେଇ କାମ ସାରିଦେଉଛନ୍ତି । ଲୋକେ ସଚେତନ ହେଲେ ଡେଙ୍ଗୁ ଦୂର ହେବବୋଲି ବିଜ୍ଞାପନ ଦେଉଥିବା ବିଏମ୍‌ସି କିନ୍ତୁ ନିଜେ ସଚେତନ ହୋଇପାରୁନାହିଁ । ପ୍ରଥମେ ରାଜଧାନୀର ଗୋଟିଏ ଦୁଇଟି ସ୍ଥାନରେ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳୁଥିଲା । ହେଲେ ଏବେ ସହରର ଗଳିକନ୍ଦିରେ ଡେଙ୍ଗୁ ମଶା ଉଡି ବୁଲୁଛନ୍ତି । ଏମାନଙ୍କୁ କିଭଳି ଘଉଡାଯିବ କିମ୍ବା ନିୟନ୍ତ୍ରଣ କରାଯିବ ସେ ନେଇ ବିଏମ୍‌ସି ସଚେତନ ଥିବାଭଳି ଲକ୍ଷ୍ୟ କରାଯାଉ ନାହିଁ ।

କାରଣ ଅସରାଏ ବର୍ଷା ହେଲେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିଲେ ବି ତାହାକୁ ନିଷ୍କାସନ କରାଯାଉ ନାହିଁ । ଦୀର୍ଘ ଦିନ ଧରି ଭୂତଖାନା ଅବସ୍ଥାରେ ପଡିଥିବା ପାର୍କ, ସ୍କୁଲ, କଲେଜ ଆଦି ଏବେ ଏଡିସ୍ ମଶାଙ୍କ ଏନ୍ତୁଡିଶାଳ ହୋଇଥିବାବେଳେ ଏଥିପ୍ରତି କାହାର ନଜର ନାହିଁ । ଅବସ୍ଥା ଏଭଳି ହୋଇଛି ଲୋକଙ୍କୁ ମଶାରୀ ପକାଇ ଶୋଇବାକୁ ଉପଦେଶ ଦେବା ଛଡା ବିଏମ୍‌ସି ପାଖରେ ଆଉ କିଛି ଉପାୟ ଥିବାଭଳି ଲକ୍ଷ୍ୟ କରାଯାଉନାହିଁ । ବିଏମ୍‌ସିର ଯାହାକୁ ଦେଖିବ ସିଏ କେବଳ ପ୍ରଚାରରେ ବ୍ୟସ୍ତ । କେତେବେଳେ ବିଏମ୍‌ସିର ଅଳିଆ ବୁହା ଗାଡିର ଫଟୋ ତ ଆଉ କେତେବେଳେ ଖତ ଦୋକାନ ଫଟୋ । ହେଲେ ସହରରୁ କିଭଳି ମଶା ବଂଶ ନିୟନ୍ତ୍ରଣ ହେବ ସେଥିପାଇଁ କିଛି ବ୍ୟବସ୍ଥା ନାହିଁ । ବିଏମ୍‌ସି ସ୍ୱାସ୍ଥ୍ୟ ବିଭାଗର ବାବୁମାନଙ୍କ ଦେଖାଦର୍ଶନ ମିଳୁନାହିଁ । ଅବସ୍ଥା ଯାହା ହେଲାଣି ଏଭଳି ସ୍ଥିତି ଜାରି ରହିଲେ ଭୁବନେଶ୍ୱର ଆଉ ଦିନ କେଇଟା ପରେ ଭାରତର ଡେଙ୍ଗୁ ରାଜଧାନୀର ମାନ୍ୟତା ପାଇବ ବୋଲି ସହରବାସୀ ଆଶଙ୍କା କଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking