32.1 C
Bhubaneswar
Thursday, May 2, 2024
Homeଓଡିଶାବିଶ୍ୱରଞ୍ଜନଙ୍କ ଡାକ୍ତର ହେବାର ସ୍ବପ୍ନକୁ କ'ଣ ମାରିଦେବ କି ଦାରିଦ୍ର୍ୟ ?

ବିଶ୍ୱରଞ୍ଜନଙ୍କ ଡାକ୍ତର ହେବାର ସ୍ବପ୍ନକୁ କ’ଣ ମାରିଦେବ କି ଦାରିଦ୍ର୍ୟ ?

ଯାଜପୁର : ଭବିଷ୍ୟତରେ ଡାକ୍ତର ହେବା ପାଇଁ ଆଖିରେ ଆଖିଏ ସ୍ବପ୍ନ ରଖି ପାଠ ପଢୁଥିବା ମେଧାବୀ ଛାତ୍ର ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ତଥା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ମାଣତିରୀ ଗ୍ରାମର ସ୍ବର୍ଗତ ବ୍ରଜକିଶୋର ସାହୁଙ୍କ ବଡ଼ ପୁଅ ବିଶ୍ବରଂଜନ ସାହୁଙ୍କ ସେହି ସ୍ବପ୍ନ ସମାଜରେ ସମସ୍ତଙ୍କ ଆଖି ସାମ୍ନାରେ ଆଜି ମରିଯିବାକୁ ବସିଛି । ସ୍ଥାନୀୟ ଓଡ଼ଙ୍ଗ ହାଇସ୍କୁଲର ଛାତ୍ର ଥିବା ବିଶ୍ବରଂଜନ ଚଳିତ ବର୍ଷ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ମୋଟ ୫୪୦ ନମ୍ବର(୯୦%) ରଖି ଏ-୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହେବା ସହ ରସୁଲପୁର ବ୍ଲକରେ ଏକ ନମ୍ବର ଛାତ୍ର ଭାବେ ନିଜକୁ ପ୍ରତିପାଦିତ କରିବାକୁ ସକ୍ଷମ ହୋଇଛନ୍ତି । ପରୀକ୍ଷା ପାଇଁ ସେ କଠିନ ପରିଶ୍ରମ କରି ପ୍ରସ୍ତୁତ ଚଳାଇ ଆସିଥିଲେ ମଧ୍ୟ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହୋଇ ନ ଥିଲେ ବି ପୂର୍ବ ପରୀକ୍ଷା ସବୁରେ ନିଜର ରେକର୍ଡ଼ ଆଧାରରେ ମିଳିଥିବା ନମ୍ୱରକୁ ନେଇ ତଥାପି ସେ ସନ୍ତୁଷ୍ଟ ଅଛନ୍ତି ।

ପରୀକ୍ଷା ଫଳକୁ ନେଇ ସିନା ସେ ସନ୍ତୁଷ୍ଟ ହୋଇ ଯାଇଛନ୍ତି; କିନ୍ତୁ ଏବେ ତ ଆଉ ଆଗକୁ ଭଲ କଲେଜରେ ପାଠ ପଢ଼ି ନିଜର ସ୍ବପ୍ନକୁ ପୂରଣ କରିବା ବାଟରେ ଏକ ବଡ଼ ପ୍ରାଚୀର ହୋଇ ଛିଡ଼ା ହୋଇଯାଇଛି ଅର୍ଥ ଏବଂ ପରିବାରର ଦାରିଦ୍ର୍ୟ । କାରଣ ତାଙ୍କ ବାପା ବ୍ରଜକିଶୋର ସାହୁ ୯ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ବାପା ବ୍ରଜକିଶୋର ଏକ ଟାଟା-ଏସିଇ ଗାଡ଼ି ଋଣ ସୂତ୍ରରେ ଆଣି ତାହାକୁ ନିଜେ ଚଳାଇ ପରିବାର ଚଲାଉଥିଲେ । ସେହି ଗାଡ଼ି ଚଳାଇ ଯାଉଥିବା ବେଳେ ଛତିଆ ନିକଟରେ ଅନ୍ୟ ଏକ ଗାଡ଼ି ସହିତ ଦୁର୍ଘଟଣା ଘଟିବାରୁ ତାଙ୍କ ମୃତ୍ୟୁ ଘଟିଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ସେହି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ୭୫ ହଜାର ଟଙ୍କାରେ ବିକ୍ରି କରିଦେଇ ଗାଡ଼ି ଉପରେ ଥିବା ବକେୟା ଋଣ ୬୦ ହଜାର ଟଙ୍କା ଶୁଝି ଋଣମୁକ୍ତ ହୋଇଥିଲେ । ଏହାପରେ ପରିବାରରେ ଆଉ କେହି ରୋଜଗାରିଆ ନାହାନ୍ତି କି ଚଳିବାକୁ ମଧ୍ୟ କୌଣସି ରୋଜଗାର ନାହିଁ; ଏମିତିକି ଗୁଣ୍ଠେ ଚାଷ ଜମି ମଧ୍ୟ ନାହିଁ ।

ଏଭଳି ସ୍ଥିତିରେ ଏବେ ନିଜର ବିଧବା ମା’ ବିମଳା ସାହୁ ଏବଂ ଦଶମ ଶ୍ରେଣୀରେ ପଢୁଥିବା ସାନ ଭାଇ ଚିତ୍ତରଞ୍ଜନଙ୍କ ସହ ନିଜ ପାଇଁ ଯେତେବେଳେ ଦିଓଳି ଗଣ୍ଡାଏ ଖାଇବାକୁ ଟଙ୍କା ନାହିଁ ତ ସେତେବେଳେ ନିଜେ ଆଗକୁ ପାଠ ପଢି ଯେ ନିଜର ସ୍ୱପ୍ନକୁ ରୂପାୟିତ କରିବାରେ ସକ୍ଷମ ହୋଇ ପାରିବେ; ତାଙ୍କୁ ଆଉ କାହିଁ ସେମିତି ଲାଗୁ ନ ଥିବା ନିଶ୍ଚିତ ହୋଇ ନିଜ ମନ ଭିତରେ ଉଠୁଥିବା କୋହକୁ ଚାପି ଧରି ନିଜ ଭାଗ୍ୟକୁ ମାନ ମାରି ଏକ ଅଭିମାନ ଭରା ଭାବ ନେଇ ସେ ଏବେ ଖାଲି ଭାଳି ହେଉଛନ୍ତି । ପରିସ୍ଥିତିର ଚାପରେ ଜଣେ ମେଧାବୀର ସ୍ବପ୍ନ ମରିଯିବା ଆଗରୁ ସରକାର, ଦାୟିତ୍ବବାନ ପ୍ରଶାସକ ଏବଂ ସଭ୍ୟ ସମାଜର ଆର୍ଥିକ ପ୍ରତିପତ୍ତି ସମ୍ପନ୍ନ ବଦାନ୍ୟ ସମାଜସେବୀମାନେ ତାଙ୍କର ସେହି ସ୍ବପ୍ନକୁ ସାକାର କରିବା ପାଇଁ ଏବେ ଆଗେଇ ଆସିବାର ଆବଶ୍ୟକତା ରହିଛି ।

ତା ସହିତ ଶିକ୍ଷା ବ୍ୟବସାୟ କରୁଥିବା ଯେକୌଣସି ଗୋଟିଏ ଘରୋଇ +୨ କଲେଜ୍ କର୍ତ୍ତୃପକ୍ଷ ମଧ୍ୟ କାଳ ବିଳମ୍ବ ନ କରି ଏଭଳି କ୍ଷେତ୍ରରେ ତାଙ୍କର ନୈତିକ ଦାୟିତ୍ବ ଦୃଷ୍ଟିରୁ ତାଙ୍କୁ ପୋଷ୍ୟ ଛାତ୍ର ଭାବେ କୋଳେଇ ନେଇ ତାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଆଗୁସାର ହେବା ଜରୁରୀ !
ବିଶ୍ବରଂଜନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନେକ ବ୍ୟକ୍ତି ବିଶେଷ ଏବଂ ବହୁ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଏମିତିକି ଗତ ସପ୍ତାହରେ ଯାଜପୁର ଜିଲ୍ଲାର ୬ଜଣ ଶାସକ ଦଳର ବିଧାୟକ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ପ୍ରତିଭାକୁ ତ ସ୍ଵୀକୃତି ଦେଇଥିଲେ । କିନ୍ତୁ ସେମାନେ କେହି ବି ବିଶ୍ବରଂଜନଙ୍କ ସ୍ବପ୍ନ ଏବଂ ସ୍ଵପ୍ନ ରାସ୍ତାରେ ତାଙ୍କ ପାଇଁ ରହିଥିବା ପ୍ରତିବନ୍ଧକ ସମ୍ପର୍କରେ ତାଙ୍କଠାରୁ ପଚାରି ବୁଝିବାକୁ ଚେଷ୍ଟା କରି ନଥିଲେ ।

ଯଦି ବି ବୁଝି ନ ଥିବେ; ତେବେ +୨ରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ପରିପ୍ରେକ୍ଷୀରେ +୨ ବିଜ୍ଞାନରେ ବିଶ୍ବରଂଜନଙ୍କ ନାମଲେଖା ଏବଂ ଡାକ୍ତରୀ ବିଦ୍ୟା ପଢ଼ିବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ସେ ଆବଶ୍ୟକ କରୁଥିବା କୋଚିଂ ନେଇ ତାଙ୍କ ପାଇଁ ସେମାନେ ଆବଶ୍ୟକ ବ୍ୟବସ୍ଥା କରିବା ଜରୁରୀ ହୋଇ ପଡିଛି । ତାହା ନ ହେଲେ କାଲି ଯଦି ବିଶ୍ବରଂଜନଙ୍କ ପାଠପଢାରେ ଡୋରି ବନ୍ଧା ହୋଇଯାଏ, ତେବେ ତାଙ୍କୁ ଦାଦନ ଖଟିବାକୁ ପଠାଇବା ଉଦ୍ଦେଶ୍ୟରେ ହିଁ ହୁଏତ ସମ୍ବର୍ଦ୍ଧିତ କରିଥିଲେ ବୋଲି ଭବିଷ୍ୟତରେ ସେହି ୬ଜଣ ଯାକ ବିଧାୟକଙ୍କୁ ଏମିତି ଅପବାଦ ମିଳିଲେ ସେଥିରେ କେହି ବି ଆଦୌ ଆଶ୍ଚର୍ଯ୍ୟ ହେବେ ନାହିଁ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking