30.1 C
Bhubaneswar
Sunday, May 5, 2024
Homeଓଡିଶାଦୁଃଖ ଦେଲା ମୌସୁମୀ : ଆଜିଠୁ ବର୍ଷା ନାହିଁ !

ଦୁଃଖ ଦେଲା ମୌସୁମୀ : ଆଜିଠୁ ବର୍ଷା ନାହିଁ !

ଭୁବନେଶ୍ୱର: କ୍ରମାଗତ ଭାବେ ନୈରାଶଜନକ ରହିଛି ମୌସୁମୀ । ପ୍ରବାହ ଦିନକୁ ଦିନ ଶିଥୀଳ ହେବାକୁ ଲାଗୁଥିବାବେଳେ ଆସନ୍ତା ୨୩ ଯାଏଁ ରାଜ୍ୟକୁ ବଡ଼ ବର୍ଷା ନାହିଁ । ବାୟୁମଣ୍ଡଳରେ ଲମ୍ବିଥିବା ମୌସୁମୀ ଜନିତ ନିମ୍ନଚାପ ରେଖା ସକାଶେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଛି । ଏହାଛଡ଼ା ଏବେ ରାଜ୍ୟରେ ବର୍ଷା ନେଇ କୌଣସି ୱାର୍ଣ୍ଣିଂ ନାହିଁ । ଏବେଠାରୁ ଅଭାବୀ ବର୍ଷାର ପରିମାଣ କ୍ରମଶଃ ବଢ଼ିବ । ଶୁକ୍ରବାର ସୁଦ୍ଧା ରାଜ୍ୟର ୨୬ ଜିଲ୍ଲାରେ ୨୯% ନିଅଣ୍ଟ ବର୍ଷା ରେକର୍ଡ ହୋଇଛି । ଦୁର୍ବଳ ମୌସୁମୀ ସକାଶେ ରାଜ୍ୟରେ ଚଳିତବର୍ଷ ବର୍ଷାର ପରିମାଣ ଅହେତୁକ ଭାବେ ହ୍ରାସ ପାଇଛି । ବିଗତ କିଛି ବର୍ଷରେ ରେକର୍ଡ ହୋଇଥିବା ଅଭାବୀ ବର୍ଷା ଅପେକ୍ଷା ଚଳିତ ବର୍ଷର ଅଭାବୀ ବର୍ଷା ପରିମାଣ ଅଧିକ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ସେପଟେ ଚଳିତବର୍ଷର ଅଗଷ୍ଟ ମାସରେ ରେକର୍ଡ ହୋଇଥିବା ବର୍ଷା ପରିମାଣ ଗତ କିଛି ଦଶନ୍ଧିର ସବୁଠାରୁ ଶୁଖିଲା ଥିବା ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସର ଦ୍ୱିତୀୟ ଭାଗରେ ହୋଇଥିବା ବର୍ଷା ନିଅଣ୍ଟ ପରିମାଣକୁ କିଛିଟା କମାଇଛି । ଅଗଷ୍ଟ ୧ରୁ ୧୮ ମଧ୍ୟରେ ହାରାହାରି ୧୫୯.୯ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ଅଗଷ୍ଟର ଏହି ସମୟରେ ଦେଶରେ ମାତ୍ର ୧୧୦ ମିଲିମିଟର ବର୍ଷା ହୋଇଛି । ଯାହାକି ୩୧% କମ୍ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ୧୮ ତାରିଖ ପରେ ହୋଇଥିବା ବର୍ଷା ଓ ଆଉ ଏକ ଲଘୁଚାପର ସମ୍ଭାବନା ବର୍ଷା ନିଅଣ୍ଟକୁ ଦୂର କରିବାରେ ସହାୟକ ହେବା ଆଶା କରାଯାଉଥିଲା । ହେଲେ ଲଘୁଚାପ ଦୁର୍ବଳ ହେବା ସକାଶେ ନିଅଣ୍ଟ ପରିମାଣ ଖସିବା ସମ୍ଭାବନା କମ୍ ଥିବା ପାଣିପାଗ ବିଶେଷଜ୍ଞ ୁମାଶଙ୍କର ଦାସ କହିଛନ୍ତି ।

ଅନ୍ୟପଟେ ଚଳିତ ମାସ ୧୭ ତାରିଖରେ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଯୋଗୁଁ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭଲ ବର୍ଷା ହୋଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୭/୨୮ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହେବ । ପୂର୍ବ ଲଘୁଚାପ ପରି ଏହି ଲଘୁଚାପଟି ମଧ୍ୟ ସାମାନ୍ୟ ଦୁର୍ବଳ ରହିବ । ଏହା ସତ୍ତ୍ୱେ ମଧ୍ୟ ଏହା ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଅଗଷ୍ଟରେ ଦେଖାଦେଇଥିବା ବର୍ଷା ନିଅଣ୍ଟ ଆହୁରି ଦୂର ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ନାହିଁ, ଜମି ଶୁଖିଲା ପଡ଼ିଛି । ଯାହା ଏବେ ରାଜ୍ୟର ଚାଷ କାର୍ଯ୍ୟରେ ମୁଖ୍ୟ ବାଧକ ସାଜିଥିବା ନଜରକୁ ଆସିଛି । ଗୁରୁବାର ରାଜ୍ୟର କିଛି ହାତଗଣତି ସ୍ଥାନରେ ପ୍ରାୟ ଶହେ ମିମି ବର୍ଷା ରେକର୍ଡ ହୋଇଛି । ସୃଷ୍ଟି ଲଘୁଚାପ ଏବେ ଛତିଶଗଡ଼ରେ ଦୁର୍ବଳ ହୋଇପଡ଼ିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଏହିମଧ୍ୟରେ ରାଜ୍ୟର ମାତ୍ର ୪ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ରେକର୍ଡ ହୋଇଛି, ହେଲେ ସେଠି ବି କିଛି ସ୍ଥିତି ଭଲ ନାହିଁ । ତେବେ ଜୁନ୍ ୧୦ରୁ ଏବେସୁଦ୍ଧା ରାଜ୍ୟରେ ମୋଟ ୫୭୪.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ୍ ବର୍ଷାଠୁ ୨୯% କମ୍ ରହିଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ଏହି ମଧ୍ୟରେ ରାଜ୍ୟକୁ ୪ ଥର ଲଘୁଚାପ ଆସିଛି । ହେଲେ ଜୁଲାଇ ୨୧ରେ ସୃଷ୍ଟି ଲଘୁଚାପ ବ୍ୟତୀତ ଅନ୍ୟ କୌଣସି ଲଘୁଚାପ ରାଜ୍ୟ ପାଇଁ ଭଲ ବର୍ଷା ଆଣିନଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ୨୬ ତାରିଖ ବେଳକୁ ଓଡ଼ିଶାରେ ଚାଷ ଅବସ୍ଥା ସାଂଘାତିକ ଥିବ । ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳକୁ ଛାଡ଼ିଦେଲେ ସାରା ଓଡ଼ିଶାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି । ଏବେ ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, ଝାରସୁଗୁଡାରେ ୪୨ ଓ ବଲାଙ୍ଗିରରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି ୧୩ରୁ ଊର୍ଦ୍ଧ୍ୱ ଜିଲ୍ଲାରେ ନିଅଣ୍ଟ ବର୍ଷା ପରିମାଣ ୩୦%ରୁ ୪୦% ମଧ୍ୟରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking