29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବିଶ୍ୱ ଜଳବାୟୁ କମିଟି ପକ୍ଷରୁ ବିଶ୍ୱକୁ ସତର୍କ ଘଣ୍ଟି

ବିଶ୍ୱ ଜଳବାୟୁ କମିଟି ପକ୍ଷରୁ ବିଶ୍ୱକୁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରାକୁ ନେଇ ଜାତିସଂଘ ଜଳବାୟୁ ପରିବର୍ତ୍ତନ ପକ୍ଷରୁ ଆସିଯାଇଛି ଚିନ୍ତନୀୟ ରିପୋର୍ଟ । ବିଶ୍ୱ ସାରା ସମସ୍ତ ଦେଶ ନିଜ ନିଜ ଦେଶର ଅଗ୍ରଗତି ପାଇଁ ପ୍ରକୃତିକୁ ବିଭିନ୍ନ ହିସାବରେ ଆଘାତ କରିବା ଭଳି କାର୍ଯ୍ୟକ୍ରମ କରିଚାଲିଛି । ସେଥିମଧ୍ୟରୁ ସହରୀକରଣ ହେଉଛି ପ୍ରଥମ । ଯାହା ପାଇଁ ବିଶ୍ୱରେ କମି ଚାଲିଛି ଜଙ୍ଗଲ ଏବଂ ବଢ଼ି ଚାଲିଛି ଅଙ୍ଗାକାମ୍ଳର ପରିମାଣ । ଯେତେ ସତର୍କତା ସୂଚନା ଦେଲେ ମଧ୍ୟ ସାରା ବିଶ୍ୱ ସେ ସବୁକୁ ହେୟ ମନେ କରିଚାଲିଛି । ଯେଉଁଥିପାଇଁ ତାହାର ଫଳ ସ୍ୱରୁପ ବର୍ତ୍ତମାନ ବିଭିନ୍ନ ଅନିୟମିତତା ଭାବେ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି । ହଠାତ ହଠାତ ଭୂସ୍ଖଳନ, ବନ୍ୟା, ବାତ୍ୟା ଏବଂ ତାପମାତ୍ରାରେ ବୃଦ୍ଧି ହେବାକୁ ଲାଗିଲାଣି । ଏହିଭଳି ହେୟ ମନେ କରିଚାଲିଲେ ପୃଥିବୀର ତାପ ମାତ୍ରା ଏତେ ମାତ୍ରାରେ ବଢ଼ିଯିବ ଯେ ମଣିଷ ସମାଜ ଏଠାରେ ବଞ୍ଚିବା ଅସମ୍ଭବ ହୋଇପଡ଼ିବ । ଏଥିପାଇଁ ପୃଥିବୀର ହାରା ହାରି ତାପମାତ୍ରା ବୃଦ୍ଧିକୁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ୧.୫ ଡିଗ୍ରି ସେଲସିୟସ ମଧ୍ୟରେ ରଖିବା ଲାଗି ବିଶ୍ୱର ପ୍ରଚେଷ୍ଟା କରାଯାଉଛି ।

ଏଭଳି ସମୟରେ ଜାତି ସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି(ଆଇପିସି) ପକ୍ଷରୁ ମିଳିଛି ଏକ ଚମକାଇ ଦେବା ଭଳି ରିପୋର୍ଟ । ରିପୋର୍ଟରୁ ଜଣା ପଡ଼ିଛି କି, ଆସନ୍ତା ୨୦ ବର୍ଷ ମଧ୍ୟରେ ପୃଥିବୀର ହାରାହାରି ତାପମାତ୍ରା ଯେକୌଣସି ପରିସ୍ଥିତିରେ ବି ୧.୫ ଡିଗ୍ରି ସେଲସିୟସ ବଢ଼ିଯିବ । ଅଧିକ ଦିନ ଗରମ ଏବଂ କମ୍ ଦିନ ଶୀତ ଅନୁଭୂତ ହେବ । ସମୁଦ୍ର ପତ୍ତନ ଦୃତ ବେଗରେ ଉପରକୁ ଉଠିବ । ହିମାଳୟ ପାର୍ବତ୍ୟାଞ୍ଚଳରେ ବାରମ୍ବାର ବିଶାଳକାୟ ବରଫ ଫାଟିବା ଭଳି ଘଟଣା ଦେଖିବାକୁ ମିଳିବ । ତେବେ ଭାରତ ବି ଏଥିରୁ ବାଦ ପଡ଼ିବ ନାହିଁ । ଅଧିକ ମାତ୍ରାରେ ବାତ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ଭାରତରେ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ବିଶ୍ୱର ଅଞ୍ଚଳଭିତ୍ତିରେ ଜଳବାୟୁ ପରିବର୍ତ୍ତନର ପ୍ରବାଭକୁ ଆଇପିସି ବିସୃତ ଭାବେ ଆକଳନ କରିଛି ।
ସମଗ୍ର ବିଶ୍ୱକୁ ୧୧ଟି ଅଞ୍ଚଳରେ ଭାଗ କରି ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ଉପରେ ଆକଳନ କରାଯାଇଛି । ଏସବୁ ବିପଦର ମାତ୍ରାକୁ ପୂର୍ବାନୁମାନ କରାଗଲେ ଏହାର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହି ରିପୋର୍ଟରେ ଯଦିବି କୌଣସି ନିର୍ଦ୍ଦିଷ୍ଟ ସହରଭିତ୍ତିକ ଆକଳନ କରାଯାଇନାହିଁ ତଥାପି ସମୁଦ୍ର ପତ୍ତନରେ ବୃଦ୍ଧି ଘଟିଲେ ଭାରତର ଦୀର୍ଘ ୭୫୧୭କିମି ବିଶିଷ୍ଟ ଲମ୍ବା ଉପକୂଳ ନିକଟରେ ଥିବା ତଳୁଆ ଅଞ୍ଚଳ ଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେବ । ଏଥିରେ ମୁମ୍ବାଇ, ଚେନ୍ନାଇ, କୋଚି, କୋଲକାତା, ସୁରତ ଓ ବିଶାଖପାଟଣା ଭଳି ବଡ଼ ବନ୍ଦର ଭିତ୍ତିକ ସହର ପ୍ରଭାବିତ ହୋଇପାରେ । ଏହା ଛଡ଼ା ଅନେକ ସହରର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ । ବଡ଼ ବଡ଼ ଧରଣର ବନ୍ୟା ବାରମ୍ବାର ଦେଖିବାକୁ ମିଳିବ । ଏହି ରିପୋର୍ଟ ଅନୁଯାୟୀ, ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ଶୂନ କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଗଲେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବହୁଳ ମାତ୍ରାରେ କମାଯାଇପାରିବ । ଏହା ଛଡ଼ା ମିଥେନ ଭଳି ବାୟୁ ପ୍ରଦୂଷଣ କାରୀ ଏବଂ ସବୁଜଗୃହ ଗ୍ୟାସ୍‌କୁ ନିୟନ୍ତ୍ରଣରେ ରଖାଗଲେ ଉଭୟ ଜଳବାୟୁ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ ବୋଲି କମିଟିର ସହ ଅଧ୍ୟକ୍ଷ ପାନମାଓ ଝାଇ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱର ବିଭିନ୍ନ ସ୍ଥାନରେ ଜଳବାୟୁ ସମେତ ବ୍ୟତିକ୍ରମ ତଥା ବିଭିନ୍ନ ସ୍ଥାନରେ ଆର୍ଦ୍ରତା, ଶୁଷ୍କତା, ପବନ ବହିବା, ବରଫପାତ ଭଳି ଅନେକ କିଛି ବ୍ୟତିକ୍ରମ ଦେଖିବାକୁ ମିଳିବ । ଜଳଚକ୍ରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଘଟିବ । ଯାହାଦ୍ୱାରା କିଛି ସ୍ଥାନରେ ମୂଷଳ ଧାରାରେ ବର୍ଷା ହେବ ଏବଂ ଏହାପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାବେଳେ କିଛି ସ୍ଥାନରେ ଲୋକଙ୍କୁ ମରୁଡ଼ିର ସାମ୍ନା କରିବାକୁ ପଡ଼ିବ । ସମୁଦ୍ର ପତ୍ତନ ଲଗାତାର ବୃଦ୍ଧି ପାଇବାରେ ଲାଗିବ ଯାହାଦ୍ୱାରା ତଳିଆ ଅଞ୍ଚଳରେ ବଡ଼ଧରଣର ବନ୍ୟା ଏବଂ ମୃତ୍ତିକା କ୍ଷୟ ହେବ । ଏହି ଭଳି ଘଟଣା ଶହେ ବର୍ଷରେ ଥରେ ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଏହିଭଳି ପରିସ୍ଥିତି ପ୍ରତିବର୍ଷ ଦେଖାଯିବ । ପୃଥିବୀରେ ରହିଥିବା ବରଫ ଚାଦର ତରଳିବା ଏବଂ ବାରମ୍ବାର ହିମସ୍ଖଳନ ଯୋଗୁଁ ସମୁଦ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଯଥା, ସମୁଦ୍ରରେ ତାପମାତ୍ରା ଏବଂ ଏସିଡ୍‌ର ମାତ୍ରା ବଢ଼ିବା ସହ ଅମ୍ଳଜାନର ସ୍ତର କମିବ । ଫଳରେ ଚଳିତ ଶତାବ୍ଦୀର ଅବଶିଷ୍ଟ ସମୟ ଗୁଡ଼ିକରେ ତାହାର ପ୍ରଭାବ ସମୁଦ୍ରର ପରିସଂସ୍ଥାନ ଏବଂ ତାହା ଉପରେ ନିର୍ଭରଶୀଳ ଲୋକମାନଙ୍କ ଉପରେ ଦେଖିବାକୁ ମିଳିବ ।
ଜାତିସଂଘର ମହାସଚିବ ଆଣ୍ଟୋନିୟ ଗୁଟେରସ୍ ଏହି ରିପୋର୍ଟକୁ ସତର୍କର ଘଣ୍ଟି ଭାବେ ମାନବ ସମାଜକୁ ଅଭିହିତ କରାଇଛନ୍ତି । ତାଙ୍କ କହିବାନୁସାରେ ଏହି ସତର୍କ ଘଣ୍ଟିଗୁଡ଼ିକୁ କର୍ଣ୍ଣପାତ କରାଯାଉନାହିଁ କି ମିଳୁଥିବା ପ୍ରମାଣ ଗୁଡ଼ିକୁ ଗ୍ରହଣ ମଧ୍ୟ କରାଯାଉନାହିଁ । ଜୀବାଶ୍ମ ଇନ୍ଧନ ଦହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଏବଂ ଲଗାତାର ଜଙ୍ଗଲ କ୍ଷୟ ଯୋଗୁଁ ପୃଥିବୀ ଶ୍ୱାସରୁଦ୍ଧ ହୋଇଗଲାଣି । ଯାହା କୋଟି କୋଟି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବିଶ୍ୱର ଲଗାତାର ତାପମାତ୍ରା ବୃଦ୍ଧି ଏଭଳି କ୍ଷତି ଘଟାଉଛି । ଯାହାକୁ ପରବର୍ତ୍ତୀ ସମୟରେ ସୁଧାରିବା କଷ୍ଟକର ହୋଇପଡ଼ିବ । ତେବେ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ରାଷ୍ଟ୍ର ଏବେଠୁ ମିଳିତ ଭାବେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଆଇପିସି ରିପୋର୍ଟକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି । ତେବେ ଧନୀ ଦେଶ ଗୁଡ଼ିକ ଏଥିପାଇଁ ପ୍ରଥମେ ପଦକ୍ଷେପ ନେବା ଜରୁରୀ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking