39.1 C
Bhubaneswar
Friday, April 26, 2024
Homeଓଡିଶାଶ୍ମଶାନରେ ମହିଳାଙ୍କ ଶବଦାହକୁ ବିରୋଧ : ୧୨ଘଣ୍ଟା ତହସିଲ କାର୍ଯ୍ୟାଳୟରେ ପଡ଼ିରହିଲା ଶବ

ଶ୍ମଶାନରେ ମହିଳାଙ୍କ ଶବଦାହକୁ ବିରୋଧ : ୧୨ଘଣ୍ଟା ତହସିଲ କାର୍ଯ୍ୟାଳୟରେ ପଡ଼ିରହିଲା ଶବ

ଖଣ୍ଡପଡ଼ା : ଜଣେ ମହିଳାଙ୍କ ଶବଦାହକୁ ନେଇ ଖଣ୍ଡପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖଣ୍ଡପଡ଼ା ବ୍ଲକ୍ ଅଧୀନ ବେଣାଗାଡିଆ ପଞ୍ଚାୟତ ପଥରଦ୍ୱାର ଗ୍ରାମ ଶ୍ମଶାନରେ ମୁରାରୀପୁର ଗ୍ରାମର ସମ୍ପୃକ୍ତ ମହିଳାଙ୍କ ଶବଦାହକୁ ଗ୍ରାମବାସୀ ବିରୋଧ କରିବାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ମୁରାରୀପୁର ଗ୍ରାମବାସୀ ୧୨ ଘଣ୍ଟା ଧାରଣା ଦେଇଥିଲେ । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟାରେ ମୁରାରୀପୁର ଗ୍ରାମର ରତନ ରାଉତଙ୍କ ପତ୍ନୀ ତଅପୋଇ ରାଉତ (୭୫)ଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାରବର୍ଗ ଶବଦାହ ନିମନ୍ତେ ପଥରଦ୍ୱାର ଗ୍ରାମ ନିକଟସ୍ଥ ଶ୍ମଶାନକୁ ମହିଳାଙ୍କ ଶବ ନେଇ ଯାଇଥିବା ବେଳେ ପଥରଦ୍ୱାର ଗ୍ରାମର କେତେକ ବ୍ୟକ୍ତି ସେଠାରେ ପହଞ୍ଚି ଶବଦାହକୁ ବିରୋଧ କରିଥିଲେ । ଫଳରେ ମୃତକଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନମାନେ ଶବଧରି ଗ୍ରାମକୁ ଫେରିଥିଲେ । ଗ୍ରାମରେ ଏ ନେଇ ଆଲୋଚନା ହେବା ପରେ ମୁରାରୀପୁର ଗ୍ରାମବାସୀ ଏ ସମ୍ପର୍କରେ ଖଣ୍ଡପଡ଼ା ତହସିଲଦାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ତହସିଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ମୁରାରୀପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗୁରୁବାର ରାତି ୧୨ଟାରେ ଶବ ଧରି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ରାତିସାରା ଉଜାଗର ରହି ଶବ ସହ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ । ଶୁକ୍ରବାର ପୂର୍ବାହ୍ନରେ ଖଣ୍ଡପଡ଼ା ତହସିଲଦାର ପାର୍ଥସାରଥୀ ହାଁସଦା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଥାନା ପୁଲିସ ଆଇଆଇସି ବିମଳ କୁମାର ମଲ୍ଲିକ, ଏସଡିପିଓ ଶ୍ରୀନିବାସ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ । ଆସନ୍ତା୧୪ ତାରିଖରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଖଣ୍ଡପଡ଼ା ତହସିଲ କର୍ତ୍ତୃପକ୍ଷ ଓ ଉଭୟ ଗ୍ରାମର ମୁଖିଆମାନଙ୍କ ଉପସ୍ଥିତିରେ ଶ୍ମଶାନ ଜାଗାକୁ ନେଇ ଦେଖା ଦେଇଥିବା ବିବାଦ ଶାନ୍ତିପୂର୍ଣ୍ଣ ସମାଧାନ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତତି ଦେବା ପରେ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ପରିସରରୁ ଶବ ଉଠାଇ ଧାରଣାରୁ ଓହରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ନିମନ୍ତେ ତହସିଲ ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରିଥିବା ବେଳେ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ପ୍ରକାଶଥାଉକି ଦୀର୍ଘବର୍ଷ ଧରି ଶ୍ୱଶାନ ଜାଗାକୁ ନେଇ ମୁରାରୀପୁର ଓ ପଥରଦ୍ୱାର ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking