32.1 C
Bhubaneswar
Friday, April 26, 2024
Homeଓଡିଶାପଡିକାର୍ଡରେ ଜିନିଷ ସଂଗ୍ରହ ପାଇଁ ୩ ଗ୍ରାମବାସୀ ଚାଲୁଛନ୍ତି ୨୨ କିଲୋମିଟର

ପଡିକାର୍ଡରେ ଜିନିଷ ସଂଗ୍ରହ ପାଇଁ ୩ ଗ୍ରାମବାସୀ ଚାଲୁଛନ୍ତି ୨୨ କିଲୋମିଟର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକରେ ବହୁ ଆଦିବାସୀ ଗ୍ରାମ ଦୁର୍ଗମ ପାହାଡ ଅଞ୍ଚଳରେ ରହିଛି । ଏହି ସବୁ ଗ୍ରାମର ଲୋକମାନଙ୍କୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ପାହାଡ଼ ପଥରେ ଦଶରୁ କୋଡ଼ିଏ କିଲୋମିଟର ଚାଲିବାକୁ ପଡୁଛି । ଏହି ବ୍ଲକର ବୁରାତାଲ ପଞ୍ଚାୟତର ବହୁ ଗ୍ରାମକୁ ପକ୍କା ରାସ୍ତା ନାହିଁ । ପଞ୍ଚାୟତର ୩ଟି ଗ୍ରାମର ଲୋକମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ୨୨ କିଲୋମିଟର ଚାଲି ବାକୁ ପଡୁଛି । ଏହି ୩ଟି ଗ୍ରାମ ମହଲିମ୍ବ, ହରଡ଼ାପାଟୁ ଏବଂ ନୂଆସାହି ବୋଲି ଜଣାପଡ଼ିଛି । ଏହି ୩ଟି ଗ୍ରାମ ପାହାଡ଼ ଉପରେ ରହିଛି । ପଞ୍ଚାୟତ ଠାରୁ ଏହି ୩ଟି ଗ୍ରାମର ଦୂରତା ୧୫ କିଲୋମିଟର ଅଟେ । ତେବେ ବୁରାତାଲ ପଞ୍ଚାୟତ କେନ୍ଦ୍ର ସ୍ଥଳରେ ପୂର୍ବରୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ହେଉଥିଲା । ତେବ ପାହାଡ ଉପରେ ପଞ୍ଚାୟତ ଥିବା ଯୋଗୁଁ ଲୋକଙ୍କ ଯାତାୟତ ପାଇଁ ଭଲ ରାସ୍ତା ଟିଏ ପୂର୍ବରୁ ନଥିବା ଯୋଗୁଁ ପାହାଡ ତଳ ଡୁଡୁକା ବାଡ ନିକଟରେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଲୋକମାନେ ଡୁଡୁକା ବାଡ ନିକଟକୁ ଆସି ପଞ୍ଚାୟତ ସ୍ତରରେ ମିଳୁଥିବା ସୁବିଧା ପାଉଥିଲେ । ତେବେ ଡୁଡୁକା ବାଡ ଠାରୁ ପଞ୍ଚାୟତର ବହୁ ଗ୍ରାମ ଦୂରରେ ଅବସ୍ଥିତ । ତେବେ ମହଲିମ୍ବ ସହିତ ଏହି ଗ୍ରାମ ନିକଟରେ ଥିବା ଅନ୍ୟଗ୍ରାମର ଲୋକମାନେ ପଡିକାର୍ଡରେ ଜିନିଷ ସଂଗ୍ରହ କରିବା ପାଇଁ ୧୧ କିଲୋମିଟର ଯାଇ ଜିନିଷ ଧରି ପୁଣି ସେହି ରାସ୍ତାରେ ଫେରିବାକୁ ପଡୁଛି । ଏହି ତିନୋଟି ଗ୍ରାମକୁ ପାହାଡ଼ ତଳ ଗୁଜୁଲିଙ୍ଗୀ ନିକଟରୁ ରାସ୍ତା ନିର୍ମାଣ କରାଯାଇ ଅଧାରେ ଅଟକିଛି । ଏବେ ବିଭିନ୍ନ ସମୟରେ ବର୍ଷା ଯୋଗୁଁ ରାସ୍ତା ଖାଲ ଖମା ହୋଇ ଜାତାୟତରେ ଅସୁବିଧା ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣପାଇଁ କତ୍ତୃପକ୍ଷଙ୍କୁ ଗ୍ରାମବାସୀ ବାରମ୍ବାର ନିବେଦନ କରିବା ସତ୍ତ୍ୱେ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏହି ତିନି ଗ୍ରାମର ଲୋକମାନେ ପଡି କାର୍ଡରେ ଜିନିଷ ସଂଗ୍ରହ ଭତ୍ତା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଡୁଡୁକାବାଡ ଆସି ଥାଆନ୍ତି । ତେବେ ଜିନିଷ ସଂଗ୍ରହରେ ବିଳମ୍ବ ହେଲେ ଫେରିବା ବେଳେ ରାତି ହୋଇଗଲେ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଛି । ତେବେ ପାହାଡ ଉପରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଆଗୁଆ ସୁବିଧା ଯୋଗାଇ ଦେଲେ ଲୋକଙ୍କ ଫେରିବା ବେଳେ ସୃଷ୍ଟି ହେଉଥିବା ଅସୁବିଧା ଦୂର ହୋଇପାରିବ । ଅନ୍ୟପକ୍ଷରେ ଏହି ତିନୋଟିଗ୍ରାମକୁ ରାସ୍ତା ସଂଯୋଗ କରିବା ସହିତ ପୂର୍ବରୁ ନିର୍ମାଣ କରାଯାଇଥିବା ରାସ୍ତା ମରାମତି କରି ପକ୍କା କରାଗଲେ ଲୋକଙ୍କ ଯାତାୟତ ସମସ୍ୟା ଦୂର ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking