28.1 C
Bhubaneswar
Saturday, April 27, 2024
Homeଓଡିଶାପହଂଚି ପାରୁନି ସରକାରୀ ଯୋଜନା : ପଲିଥିନ ତଳେ ବିତୁଛି ୯ଜଣଙ୍କ ଜୀବନ

ପହଂଚି ପାରୁନି ସରକାରୀ ଯୋଜନା : ପଲିଥିନ ତଳେ ବିତୁଛି ୯ଜଣଙ୍କ ଜୀବନ

ଉଦଳା : ସବୁ ଘର ହେବ ପକ୍କା ଘର । ସରକାରୀ ଯୋଜନା ଗୋଟିଏ ପଟେ ତ ସାଧାରଣ ଲୋକର ଜୀବନ ଅନ୍ୟ ପଟେ । ଏମିତି ଏକ ଉଦାହରଣ ଦେଖଯାଇଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଖଲାଡ଼ି ପଂଚାୟତ ରାଇଦାଣ୍ଡିଆ ଗ୍ରାମର ନରେନ୍ଦ୍ର ଦେହୁରୀଙ୍କ କ୍ଷେତ୍ରରେ । ୯ ଜଣ ପରିବାର ସଦସ୍ୟଙ୍କ ସହ ପଲିଥିନ ତଳେ ବିତାଉଛନ୍ତି ଜୀବନ । ଘର କହିଲେ ପଲିଥିନ ଝୁପୁଡ଼ିଟିଏ । ଖରା, ବର୍ଷା, ଶୀତ କାକର ସବୁକୁ ସେହି ପଲିଥିନ ହିଁ ଭରସା ।
ଫାନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଉଦଳା ତହସିଲ ପକ୍ଷରୁ ଗୋଟିଏ ପଲିଥିନ ମିଳିଥିଲା । ସେହି ପଲିଥିନରେ ଝୁପୁଡ଼ି ବନାଇ ୯ ସଦସ୍ୟଙ୍କୁ ନେଇ ରହୁଛନ୍ତି ନରେନ୍ଦ୍ର । ପରଘରେ କାମ କଲେ ଚୁଲି ଜଳେ । ତେବେ ନିଜର ଅବସ୍ଥାନ ସମ୍ପର୍କରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ନରେନ୍ଦ୍ର ପାଇଁ ସରକାରୀ ଯୋଜନା ସୁବିଧା କରାଇବାକୁ ଉଦଳା ତହସିଲଦାରଙ୍କୁ କହିଥିଲେ। ତେବେ ବର୍ତମାନ ସୁଦ୍ଧା ନରେନ୍ଦ୍ରଙ୍କ ଅବସ୍ଥାରେ ସୁଧାର ଆସିନଥିବା ନଜରକୁ ଆସିଛି । ନା ଅଛି ପିନ୍ଧିବାକୁ ଭଲ ଲୁଗା ନା ଅଛି ଶୀତବସ୍ତ୍ର ।
ପ୍ରବଳ ଶୀତ କାକରରେ କାଠଜାଳି ଜାଡ଼ରୁ ନିଜକୁ ରକ୍ଷା କରୁଛନ୍ତି । ସରକାରୀ ଯୋଜନାରୁ ବହୁ ଦୂରେ ଥିବା ନରେନ୍ଦ୍ରଙ୍କ ଦୟନୀୟ ଅବସ୍ଥା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ବାବଦରେ ଉଦଳା ବିଡିଓ ଦେବଯାନୀ ଭୂୟାଁ କହନ୍ତି, ନରେନ୍ଦ୍ରଙ୍କ ବିଷୟରେ ପୂର୍ବରୁ ସୂଚନା ନଥିଲା । ସୂଚନା ମିଳିବା ପରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ସରକାରୀ ନିୟମ ଭିତରେ ସାହାଯ୍ୟ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି । ନରେନ୍ଦ୍ରଙ୍କ ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡ଼ିବ ଓ ତାଙ୍କ ଅବସ୍ଥା ସୁଧୁରିବ ତାହା ଏବେ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking