38.1 C
Bhubaneswar
Friday, April 26, 2024
Homeଓଡିଶାୟୁନିଟ୍‌-୨ ଫଳ ବଜାରକୁ ଆସୁନାହାନ୍ତି ବ୍ୟବସାୟୀ: ଦୋକାନ ନଖୋଲିଲେ ଆବଣ୍ଟନ ରଦ୍ଦ କରିବ ବିଏମସି

ୟୁନିଟ୍‌-୨ ଫଳ ବଜାରକୁ ଆସୁନାହାନ୍ତି ବ୍ୟବସାୟୀ: ଦୋକାନ ନଖୋଲିଲେ ଆବଣ୍ଟନ ରଦ୍ଦ କରିବ ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲଡିଂ ନିକଟରେ ନିର୍ମିତ ଫଳ ବଜାର ଦୀର୍ଘ ଦିନ ପରେ ଖୋଲାଯାଇଥିଲେ ଫଳ ବ୍ୟବସାୟୀ ଏଠାରେ ଫଳ ବିକ୍ରୟ କରିବା ପରିବର୍ତ୍ତେ ପୂର୍ବ ପରି ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି । ତେବେ ବ୍ୟବସାୟୀମାନଙ୍କୁ ମିଳିଥିବା ଅନୁରୂପ ସ୍ଥାନରେ ଅଗଷ୍ଟ ମାସ ସୁଦ୍ଧା ଫଳ ବିକ୍ରୟ ନକଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଏଠାରେ ସ୍ଥାନ ମିଳିବ ନାହିଁ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଥିଲେ । ତେବେ କଣ୍ଟ ପୂରଣ ହୋଇଥିଳେ ମଧ୍ୟ ବ୍ୟବସାୟୀମାନେ ମାର୍କେଟ କମ୍ପେ୍ଲକ୍ସରେ ବେପାର ଆରମ୍ଭ କରିନଥିବାରୁ ବିଏମସି ପକ୍ଷରୁ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୨ ତାରିଖ ମଧ୍ୟରେ ନିଜ ନିଜ ଦୋକାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାନଗଲେ ବ୍ୟବସାୟୀଙ୍କ ଆବଣ୍ଟନ ରଦ୍ଦ କରାଯିବା ବୋଲି ବିଜ୍ଞପ୍ତିରେ ସୂଚାଇଦିଆଯାଇଛି । ଏହାସହ ବିଏମସିକୁ ବ୍ୟବସାୟୀମାନେ ଦେଇଥିବା ଅମାନତ ରାଶି ବ୍ୟାଜାପ୍ତ କରାଯିବ ବୋଲି ଏଥିରେ ଦର୍ଶାଯାଇଛି । ସେହିପରି ଭବିଷ୍ୟତ ଉକ୍ତ ବ୍ୟବସାୟୀଙ୍କୁ କୌଣସି ଦୋକାନ ଗୃହ ଆବଣ୍ଟନ କରାଯିବ ନାହିଁ ବୋଲି ବିଜ୍ଞପ୍ତି ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।
ସୂଚନା ଥାଉ କି, ୟୁନିଟ୍‌-୨ରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ନିର୍ମିତ ତିନି ମହଲା ବିଶିଷ୍ଟ କୋଠାରେ ଥିବା ୭୮ ଜଣ ବ୍ୟବସାୟୀ ଫଳ ବିକ୍ରି ପାଇଁ ସ୍ଥାନ ପାଇଛନ୍ତି । ଏଥପାଇଁ ସେମାନଙ୍କୁ ବର୍ଗଫୁଟ୍ ପିଛା ୩୫ଟଙ୍କା ଲେଖାଏଁ ମାସିକ ଦେୟ ଦେବାକୁ ପଡ଼ିବ । ପ୍ରତ୍ୟେକ ମହଲାରେ ୮ଫୁଟ୍ ଦୀର୍ଘ ୧୦ଫୁଟ୍ ପ୍ରଶସ୍ତ ମାପ କରୁଥିବା ୨୪ କୋଠରୀ ରହିଛି । ୧.୯୨ କୋଟି ବ୍ୟୟରେ ପ୍ରାୟ ୪ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି । ତେବେ ପ୍ରତି ମହଲାରେ ୨ଟି ଲେଖାଏଁ କରି ମୋଟ୍ ୬ଟି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି । ସେହିପରି ଏଠାରେ ଭୂତଳ ପାର୍କିଂର ବନ୍ଦୋବସ୍ତ କରାଯାଇଥିବା ସୂଚନା ରହିଛି । ତେବେ ଏଠାରେ ଫଳ ବିକ୍ରିପାଇଁ ପୂର୍ବରୁ ବ୍ୟବସାୟୀ ଚିହ୍ନଟ ହୋଇସାରିଥିଲେ ମଧ୍ୟ ବ୍ୟବସାୟୀ ଏଠାକୁ ଆସୁନାହାନ୍ତି । ରାସ୍ତାରେ ଫଳ ବିକ୍ରି କରିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି କ୍ୟାପିଟାଲ୍ ଥାନା ସମ୍ମୁଖରେ ବ୍ୟବସାୟ କରୁଥିବା ଫଳ ବ୍ୟବସାୟୀଙ୍କୁ ଏଠାରେ ସ୍ଥାନ ମିଳିଥିଲା । ସୂଚନା ଥାଉ କି, ଉଭୟ ୟୁନିଟ୍‌-୧ ଓ ୟୁନିଟ୍‌-୨ ଅଞ୍ଚଳରେ ପ୍ରାୟ ୨୫୦ ବ୍ୟବସାୟୀ ଫଳ ବିକ୍ରି କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ଭେଣ୍ଡିଂ ଜୋନ୍ ସୁବିଧା ପାଇଥିବାବେଳେ ଅନେକ ହାଟ ମଧ୍ୟରେ ସ୍ଥାନ ପାଇଛନ୍ତି । ତେବେ ଶତାଧିକ ବ୍ୟବସାୟୀ ଠେଲାଗାଡ଼ିରେ ରାସ୍ତାକଡ଼ରେ ଫଳବିକ୍ରି କରୁଛନ୍ତି । ଏହି କ୍ରମରେ ଦୈନିକ ୮୦ଟନ୍‌ରୁ ଅଧିକ ଫଳ ବିକ୍ରୟ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking