30.1 C
Bhubaneswar
Saturday, April 27, 2024
Homeଓଡିଶାଜିଲ୍ଲା ପୋଲିସକୁ କ୍ରାଇମବ୍ରାଞ୍ଚର ଏସ୍‌ଓପି : ଫୁଟିବା ପରେ ନିଦ ଭାଙ୍ଗିଲା

ଜିଲ୍ଲା ପୋଲିସକୁ କ୍ରାଇମବ୍ରାଞ୍ଚର ଏସ୍‌ଓପି : ଫୁଟିବା ପରେ ନିଦ ଭାଙ୍ଗିଲା

ଭୁବନେଶ୍ୱର:  ବହୁଚର୍ଚ୍ଚିତ ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ପରେ କ୍ରାଇମବ୍ରାଞ୍ଚର ନିଦ ଭାଙ୍ଗିଛି । ଥାନା ମାଲଖାନାରେ ବିସ୍ଫୋରକ ଓ ଦହନଶୀଳ ପଦାର୍ଥ ରଖିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି । ଏନେଇ ସବୁ ଜିଲ୍ଲାପୁଲିସକୁ କ୍ରାଇମବ୍ରାଞ୍ଚ ଚିଠି ପଠାଇଛି । ଖାମଖିଆଲି ନହୋଇ ସତର୍କତା ଅବଲମ୍ବନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ଥାନାରେ ପୁଲିସ କର୍ମଚାରୀମାନେ କାର୍ଯ୍ୟ କରିବା ସହ ସାଧାରଣଲୋକ ମଧ୍ୟ ଯିବାଆସିବା କରନ୍ତି । ବିଭିନ୍ନ ସ୍ଥାନରୁ ବିସ୍ଫୋରକ ପଦାର୍ଥ ଜବତ ହେବା ପରେ ଥାନା ମାଲଖାନାରେ ରଖାଯାଇଥାଏ । ତେଣୁ ପୁଲିସ କର୍ମଚାରୀ ଓ ସାଧାରଣଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରତିଷେଧକ ଆପଣାଇବାକୁ ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଥାନା ମାଲଖାନାରେ ଏଭଳି ଦହନଶୀଳ ପଦାର୍ଥ ରଖାଯିବ ନାହିଁ । ଅତି ଜରୁରି ପରିସ୍ଥିତିରେ ଏହାକୁ ରଖିହେବ । ହେଲେ ଏଥିପାଇଁ ବମ୍‌ସ୍କ୍ୱାଡ୍‌ଙ୍କ ଅନୁମତି ନେବାକୁ ପଡ଼ିବ । ସେମାନେ ବିସ୍ଫୋରକ ପରୀକ୍ଷା ପରେ ଥାନାରେ ରଖାଯାଇପାରିବ । ଯେପର୍ଯ୍ୟନ୍ତ ବମ୍‌ସ୍କ୍ୱାଡ୍ ଦ୍ୱାରା ବିସ୍ଫୋରକ ପରୀକ୍ଷା କରାନଯାଇଛି । ସେଗୁଡ଼ିକୁ ଥାନା ବାହାରେ ସୁରକ୍ଷିତ ଭାବେ ରଖିବାକୁ ପଡ଼ିବ । ବିସ୍ଫୋରକ ପଦାର୍ଥ ଦୀର୍ଘଦିନ ଥାନାରେ ରହିବ ନାହିଁ । ଏହାକୁ ବମ୍‌ସ୍କ୍ୱାଡ୍ ବା ଅନ୍ୟ ସଂସ୍ଥା ଦ୍ୱାରା ନଷ୍ଟ କରାଯିବା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଏନେଇ ଜିଲ୍ଲାର ଏସ୍‌ଡିପିଓମାନେ ନିଜ ଅଧିନରେ ଥିବା ଥାନାକୁ ଗସ୍ତ କରି ମାଲଖାନା ଯାଞ୍ଚ କରିବେ ।

ଏହାସହ ବିସ୍ଫୋରକ ତଥ୍ୟକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେନେଇ ପ୍ରସ୍ତୁତି କରିବେ । ଏହିସବୁ ଆସନ୍ତା ୫ତାରିଖ ସୁଦ୍ଧା ସାରିବାକୁ ଜିଲ୍ଲା ଏସ୍‌ପି ସେମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଉଲ୍ଲେଖଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତି ୧୨ଟା ୧୫ରୁ ସାଢେ୧୨ଟା ମଧ୍ୟରେ ବଳଙ୍ଗା ଥାନା ପରିସରରେ ଏକ ବିରାଟ ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ । ତତ୍ ସହିତ ସମେସ୍ତ ଘର ବାହାରକୁ ବାହାରି ଏଣେ ତେଣେ ବୁଲି ଥିଲେ । କେଉଁଠାରେ କ’ଣ ଘଟିଲା ତାହାକୁ ନେଇ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିଲେ । ସେହି ସମୟରେ ଥାନା ନିକଟରୁ ପାଟି ଶୁଭିବାରୁ ସ୍ଥାନୀୟ ଲୋକେ ଥାନା ଅଭିମୁଖେ ଯାଇଥିଲେ । ଏହି ବିସ୍ଫୋରଣ ଥାନା ମାଲଖାନା ପରିସରରେ ଥିବା ବିସ୍ଫୋରକ ପଦାର୍ଥରୁ ଘଟିଥିଲା ।

ଯାହାଫଳରେ ଥାନାର ଛାତ ଓ କାନ୍ଥ ଭୁଶୁଡି ପଡିଛି । ଏପରିକି ସମସ୍ତ ଜିନିଷପତ୍ର ମଧ୍ୟ ଛିଟିକି ପଡିଛି । ହେଲେ ରାତି ଡ୍ୟୁଟିରେ ଥିବା କନେଷ୍ଟବଳ ଶଦ୍ଦ ଶୁଣି ଥାନା ବାହାରକୁ ଆସିଯାଇଥିବାରୁ ସେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଥିଲେ । ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ପୁରୀ ଏସ୍‌ପି କନୱାର ବିଶାଲ ସିଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶ୍ରୀ ସିଂ ଘଟଣାର ତଦନ୍ତ ରିପୋର୍ଟ ପାଇବା ପରେ ଥାନା ଏଏସ୍‌ଆଇ ତଅପୋଇ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ।

ଉକ୍ତ ଥାନାର ମାଲଖାନା ଦାୟିତ୍ୱରେ ଏସ୍‌ଆଇ ଶ୍ରୀ ନାୟକ ଥିଲେ । କିନ୍ତୁ ନୂତନ ଭାବରେ ଥାନାରେ ଯୋଗଦେଇ ଥିବା ଥାନାଅଧିକାରୀଙ୍କୁ ମାଲଖାନାରେ ଦୀର୍ଘଦିନ ଧରି ଜବତ ହୋଇଥିବା ବିସ୍ଫୋରକ ପଦାର୍ଥ ସମ୍ପର୍କରେ ଅବଗତ କରାଇନଥିଲେ । ତେଣୁ ତାଙ୍କର ଅବହେଳା ଓ ମନୋମୁଖି କାର୍ଯ୍ୟ ଯୋଗୁଁ ଥାନା ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ଏଥିଲାଗି ସେ ସମ୍ପୂର୍ଣ୍ଣ ଦାୟୀ ବୋଲି ତଦନ୍ତ ଅଧିକାରୀ ଅତିରିକ୍ତ ଏସ୍‌ପି ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡିଛି । ଅନ୍ୟ ପଟେ କ୍ରାଇମବ୍ରାଞ୍ଚ ଜାରି କରିଥିବା ଏସ୍‍ଓପି ଆଗାମୀ ଦିନରେ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking