28.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନତିନି ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏହି ଅଭିନେତା ....

ତିନି ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏହି ଅଭିନେତା ….

ମୁମ୍ବାଇ : ବଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିବା ପ୍ରତ୍ୟେକ କଳାକାରଙ୍କ ଲାଗି ଏକ ସ୍ୱପ୍ନ ଅଟେ । ଅନେକ ଅତି ସହଜରେ ଏହି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥାଆନ୍ତି । କିନ୍ତୁ ଅନେକଙ୍କ ଲାଗି ଏହି ଯାତ୍ରା ଏତେ ସହଜ ହୋଇନଥାଏ । ବହୁ ସଂର୍ଘଷ ପରେ କେତେକ କଳାକାର ଏହି ଇଣ୍ଡଷ୍ଟ୍ରିର ଅଂଶ ହୋଇଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଅଭିନୟ ପିଲାଠୁ ବୟସ୍କ ସମସ୍ତଙ୍କୁ ପାଗଳ କରିଛି ।

କିନ୍ତୁ କ୍ୟାରିୟର ଆରମ୍ଭ ବେଳେ ବାରମ୍ବାର ରିଜେକ୍ସନ୍ ଯୋଗୁଁ ସେ ଥରେ ନୁହେଁ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ପରେ ଅତୁଟ ମନୋବଳ ସହ ଆଗକୁ ବଢିଥିଲେ । ଯାହାର ଫଳ ଆଜି ସଫଳତା ତାଙ୍କ ପାଦ ତଳେ ରହିଛି । ଆମେ କହୁଛୁ ଫ୍ୟାମିଲି ମ୍ୟାନ୍ ଅର୍ଥାତ୍ ମନୋଜ ବାଜପେୟୀଙ୍କ  କଥା । ଯିଏ ଆଜି ତାଙ୍କର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି ।

ବିହାରର ଏକ ଛୋଟ ଗାଁ ବେଲୱାରେ ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ ଏକ କୃଷକ ପରିବାରରେ ମନୋଜ ବାଜପେୟୀଙ୍କ ଜନ୍ମ । ମନୋଜ କେବଳ ନଅ ବର୍ଷ ବୟସରେ ଅଭିନେତା ହେବାକୁ ନିଷ୍ପତ୍ତି ନେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ମନୋଜ ବାଜପେୟୀଙ୍କ ଜନ୍ମ ପରେ ତାଙ୍କୁ ନେଇ କରାଯାଇଥିବା ଭବିଷ୍ୟବାଣୀ ଏବେ ସତ ହୋଇଛି ।

ଯେତେବେଳେ ଜ୍ୟୋତିଷ ଅଭିନେତାଙ୍କ ଜାତକ ଦେଖିଥିଲେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଏହି ପିଲା ଭବିଷ୍ୟତରେ ଜଣେ ନେତା କିମ୍ବା ଅଭିନେତା ହେବ । ଆଜି ଜ୍ୟୋତିଷଙ୍କ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ନିଜର ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ ମନୋଜ  ଅଭିନୟ ଜଗତରେ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ବର୍ତ୍ତମାନ ସମୟରେ ମନୋଜ ବାଜପେୟୀଙ୍କୁ କୌଣସି ପରଚୟର ଆବଶ୍ୟକତା ନାହିଁ । କିନ୍ତୁ ଅଭିନେତାଙ୍କ ଯାତ୍ରା ଏତେ ସହଜ ନଥିଲା ।

ଅଭିନେତା ନିଜେ ତାଙ୍କ ସଂଘର୍ଷର କାହାଣୀ ଅନେକ ଥର କହିଛନ୍ତି। ସେ କୁହନ୍ତି, ‘ମୁଁ ଜଣେ କୃଷକର ପୁଅ। ବିହାରର ଏକ ଛୋଟ ଗାଁରେ ମୋର ଜନ୍ମ । ପାଞ୍ଚ ଭାଇ ଭଉଣୀଙ୍କ ସହିତ ମୁଁ ବଡ଼ ହୋଇଛି । ପିଲାଦିନରୁ ସିନେମା ପାଇଁ ମୋର ଦୁର୍ବଳତା ରହିଥିଲା । ବାସ୍ତବରେ, ଆମ ଜୀବନଶୈଳୀ ବହୁତ ସରଳ ଥିଲା, କିନ୍ତୁ ଯେତେବେଳେ ବି ଆମେ ସହର ଯାଉଥିଲୁ, ଆମେ ଫିଲ୍ମ ନିଶ୍ଚୟ ଦେଖୁଥିଲୁ । ସେ ସମୟ ପ୍ରତ୍ୟେକ ପିଲା ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସ ଥିଲେ ଏଥିରେ ମୁଁ ମଧ୍ୟ ସାମିଲ ଥିଲି ।

ଏହି କାରଣରୁ ମୁଁ ୧୭ ବର୍ଷ ବୟସରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେବା ପରେ ଥିଏଟର ଆରମ୍ଭ କରିଥିଲି” । ସେ ଆଉ ମଧ୍ଯ କହିଛନ୍ତି ଯେ, “ସିନେମା ଜଗତରେ ସ୍ଥାନ ପାଇବା ଏତେ ସହଜ ନଥିଲା। NSDରେ ଆବେଦନ କରିବା ପରେ ମୁଁ ତିନି ତିନି ଥର ରିଜେକ୍ଟ ହୋଇଥିଲି । ଏହି ସମୟରେ ମୋର ମାନସିକ ଅବସ୍ଥା ଭଲ ନଥିଲା । ମୁଁ ତିନିଥର ଆତ୍ମହତ୍ୟା ଉଦ୍ୟମ କରିଥିଲି । ଏଭଳି ପରିସ୍ଥିତିରେ ମୋର ସାଙ୍ଗମାନେ ମୋ ପାଖରେ ଶୋଉଥିଲେ, ମୋତେ କେବେ ଏକୁଟିଆ ଛାଡୁନଥିଲେ । ସେ ଆଉ ମଧ୍ୟ କହିଛନ୍ତି, ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ମୋ ଫଟୋ ଚିରି ଦେଇଥିଲେ । ଗୋଟିଏ ଦିନରେ ମୋଠାରୁ ତିନୋଟି ପ୍ରୋଜେକ୍ଟ ଛଡ଼ାଇ ନିଆଗଲା” । ଏମିତି କି, “ପ୍ରଥମ ସଟରେ ମୋତେ ସେଟରୁ ଗ୍ରେଟ ଆଉଟ କୁହାଯାଇଥିଲା ।

ଏହି ସମୟରେ ମୋ ପାଖରେ ଘର ଭଡ଼ା ଏମିତି କି ଗୋଟିଏ ବଡ଼ା ପାଉଁ ଖାଇବାକୁ ମଧ୍ୟ ଟଙ୍କା ନଥିଲା । ଏହାପରେ ମୁଁ ମୁମ୍ବାଇ ଆସିଥିଲି। ପ୍ରାୟ ୪ ବର୍ଷ ଧରି ସଂଘର୍ଷ କରିବା ପରେ ମହେଶ ଭଟ୍ଟଙ୍କ ଟିଭି ଧାରାବାହିକରେ କାମ ମିଳିଥିଲା। ସେହି ସମୟ ଗୋଟିଏ ଏପିସୋଡ଼ ଲାଗି ମୋତେ ୧୫୦୦ ଟଙ୍କା ମିଳୁଥିଲା । ଏଥିରେ ମୋ କାମ ଲକ୍ଷ୍ୟ କରାଯାଉଥିଲା । ପରେ ବଲିଉଡ ଚଳଚ୍ଚିତ୍ର ସତ୍ୟରେ କାମ ପାଇଥିଲି । ବାସ୍, ଏହା ମୋ ଜୀବନରେ ଟର୍ଣ୍ଣ ପଏଣ୍ଟ ଥିଲା” ।

ମନୋଜ ୨୦୨୧ ମସିହାରେ ମୁମ୍ବାଇ ଆନ୍ଧେରୀରେ ଏକ ୧୯ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟ କିଣିଥିଲେ, ଯେଉଁଠାରେ ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ରୁହନ୍ତି । ଏହା ବ୍ୟତୀତ ଅଭିନେତାଙ୍କ ନିକଟରେ ବହୁ କାର କଲେକ୍ସନ ମଧ୍ଯ ରହିଛି, ଯାହାର ମୂଲ୍ୟ ଏକ କୋଟିରୁ ଅଧିକ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୋଜଙ୍କ ମୋଟ ସଂପତ୍ତି ମୂଲ୍ୟ ୧୧୮ କୋଟି ଟଙ୍କା ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking