32.1 C
Bhubaneswar
Thursday, May 9, 2024
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡ୍‌ସିର ୨୭ତମ 'ବୋର୍ଡ ଅଫ୍ ଡାଇରେକ୍ଟର୍ସ' ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡ୍‌ସିର ୨୭ତମ ‘ବୋର୍ଡ ଅଫ୍ ଡାଇରେକ୍ଟର୍ସ’ ବୈଠକ

ଭୁବନେଶ୍ୱର : ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡ୍‌ସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓମ୍ବାଡସି ସହାୟତାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ଓମ୍ବାଡ୍‌ସି ସିଇଓ ଜି ରାଜେଶଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ଓମ୍ବାଡ୍‌ସି ସିଇଓ ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ । ଓମ୍ବାଡ୍‌ସି ସିଇଓ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି । ପଞ୍ଚାୟତିରାଜ ଓ ପାନୀୟଜଳ, ସ୍କୁଲ ଓ ଗଣଶିକ୍ଷା, ଗୃହ ଏବଂ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି । ଓମ୍ବାଡ୍‌ସି ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯାଉଛି।

ଏହି ପ୍ରକଳ୍ପ ଭିତରୁ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯେଉଁସବୁ ସଫଳତା ମିଳିଛି ସେ ବିଷୟରେ ସିଇଓ ଜି ରାଜେଶ ବୈଠକରେ କହିଥିଲେ । ଏହାସହ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସିଏଏମପିଏ ପାଣ୍ଠିର ବିନିଯୋଗ ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ମଧ୍ୟ ବୋର୍ଡକୁ ଓମ୍ବାଡସି ସିଇଓ ସୂଚନା ଦେଇଥିଲେ । ଏହାଛଡ଼ା ବୈଠକରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଲାଗୁ ହେବାକୁ ଥିବା ୮ଟି ନୂତନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଏକ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଓମ୍ବାଡସି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ୨୦୨୨-୨୩ ବର୍ଷ ଲାଗି ଓମ୍ବାଡସିର ଆନୁଆଲ ରିପୋର୍ଟ, ସୂଚନା ପୁସ୍ତିକା ଏବଂ ସ୍ୱୱତନ୍ତ୍ର ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା । ଓମ୍ବାଡ୍‌ସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ସରକାରୀ ଆଇଟିଆଇ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ନବୀକରଣ କରାଯାଉଛି । ଏହାସହ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି । ତା\’ଛଡ଼ା ରାସ୍ତା ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହିତ ଲୋକଙ୍କ ଜୀବିକା ପାଇଁ ମାଛଚାଷ, ଛେଳି ଓ ବ୍ରଏଲର କୁକୁଡ଼ା ପାଳନ ଆଦିକୁ ପ୍ରୋତ୍ସାହନ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓକୁ ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ସହ ଓମ୍ବାଡ୍‌ସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking