30.1 C
Bhubaneswar
Monday, May 6, 2024
Homeଓଡିଶା୭ରୁ ବଢ଼ିବ ତାପମାତ୍ରା, ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ

୭ରୁ ବଢ଼ିବ ତାପମାତ୍ରା, ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ

ଭୁବନେଶ୍ବର : ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଆକାଶ ନିର୍ମଳ ରହିବା ଯୋଗୁଁ ତାପମାତ୍ରା ମଧ୍ୟ ବଢ଼ିବ। ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବ ଓ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ। ତାପମାତ୍ରା ପ୍ରାୟ ୩ ଡିଗ୍ରିରୁ ଅଧିକ ବଢ଼ିପାରେ। ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ ଡିଗ୍ରିରୁ ଅଧିକ ବଢ଼ିବ। ୧୧ ବା ୧୨ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରି, ଅନୁଗୁଳ, ତାଳଚେର, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼ ଓ କାଲିମେଳାରେ ୩୯ ଡିଗ୍ରିରୁ ଅଧିକ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରି ଓ ଚାନ୍ଦବାଲିରେ ୩୭ ଡିଗ୍ରି ହୋଇପାରେ। ହୁଏତ ‌କେତେକ ସ୍ଥାନରେ ପାରଦ ୪୦ ଡିଗ୍ରି ଛୁଇଁପାରେ।

ଭୁବନେଶ୍ବର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ। କୁହୁଡ଼ି ଜାରି ରହିବ। ତେବେ ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିପାରେ। ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢ଼ିବ। ଏଣୁ ପନିପରିବା ଏବଂ ରବି ଫସଲ ଆବଶ୍ୟକମତେ ଜଳସେଚନ କରନ୍ତୁ ବୋଲି ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଭାରତ ମହାସାଗରର ମଧ୍ୟଭାଗରେ ରହିଥିବା ଅବପାତ ଏବେ ଶ୍ରୀଲଙ୍କା ଓ ତାମିଲନାଡୁ ଉପରେ ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ବିଶେଷ ଭାବେ ଶ୍ରୀଲଙ୍କା ଓ ତାମିଲନାଡୁ ଉପରେ ରହିବ। ଓଡ଼ିଶା ଉପରେ ‌ଏହାର କୌଣସି ପ୍ରଭାବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking