36.1 C
Bhubaneswar
Sunday, May 19, 2024
Homeଓଡିଶାଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଙ୍ଗ, ଏକମାସ ଭିତରେ ନିଷ୍ପତ୍ତି ନିଅ: ହାଇକୋର୍ଟ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଙ୍ଗ, ଏକମାସ ଭିତରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ: ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ୍ ଭଳି ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନ୍‌କୁ ଦରଖାସ୍ତ ଭାବେ ଗ୍ରହଣ କରି କର୍ତ୍ତୃପକ୍ଷ ବିଚାର କରିବା ସହିତ ଏହି ପ୍ରସଙ୍ଗରେ ଏକମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ଆବେଦନର ଶୁଣାଣି କରି ଏପରି ନିିର୍ଦ୍ଦେଶ ଦେଇଛନ୍ତିି । ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ହ୍ୱିଲ୍ ଚେୟାର୍‌ରେ ଯାତାୟାତ କରୁଛନ୍ତି । ସେ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ହ୍ୱିଲ୍ ଚେୟାର୍ ଉପରେ ନିର୍ଭର କରୁଥିବା ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବାରମ୍ବାର ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସେ ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିବାବେଳେ ଶ୍ରୀଜିଉଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ସବୁବେଳେ ଚାହିଁ ବସିଥାନ୍ତି । କିନ୍ତୁ ଶ୍ରୀମନ୍ଦିରରେ କୌଣସି ରାମ୍ପ୍ ନଥିବାରୁ ସେ ହ୍ୱିଲ୍ ଚେୟାର୍ ମାଧ୍ୟମରେ ଭିତରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାରୁ ବଞ୍ôଚତ ହେଉଛନ୍ତି । ଅନ୍ୟ ଦିବ୍ୟାଙ୍ଗମାନେ ମଧ୍ୟ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ପ୍ରସଙ୍ଗରେ ସମାନ ଅସୁବିଧା ଭୋଗ କରୁଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ କେଉଁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ତାହା ଉଲ୍ଲେଖ କରାଯାଇଛି । ଏଥିରେ ଦିବ୍ୟାଙ୍ଗମାନେ ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଦିବ୍ୟାଙ୍ଗଙ୍କ ମନ୍ଦିର ଭିତରକୁ ଯିବାଆସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ପ୍ରବେଶ ଓ ପ୍ରସ୍ଥାନ ପଥରେ ରାମ୍ପ୍ ନଥିବାରୁ ହ୍ୱିଲ୍ ଚେୟାର୍‌ରେ ଯିବା ସମ୍ଭବପର ହେଉନି ।

ପରୋକ୍ଷରେ ଦିବ୍ୟାଙ୍ଗଙ୍କୁ ମନ୍ଦିର ପ୍ରବେଶ ଓ ଶ୍ରୀଜଗନ୍ନାଥ ଦର୍ଶନରୁ ବାରଣ କରାଯାଇଛି । ଏପରି କରାଯିବା ଦିବ୍ୟାଙ୍ଗ ବ୍ୟକ୍ତିବିଶେଷକଙ୍କ ପ୍ରତି ପାତରଅନ୍ତର ଘଟଣା । ଏହା ଦ୍ୱାରା ଦିବ୍ୟାଙ୍ଗଙ୍କ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା ଉଲ୍ଲଙ୍ଘନ କରାଯାଉଛି । ଦିବ୍ୟାଙ୍ଗଙ୍କ ମନ୍ଦିର ପ୍ରବେଶ ପାଇଁ ଉପଯୁକ୍ତ ବନ୍ଦୋବସ୍ତ କରିବା ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତବ୍ୟ ହୋଇଥିବାବେଳେ ଏହା ପାଳନରେ ଅବହେଳା କରାଯାଉଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଶ୍ରୀମନ୍ଦିର ପରିସରକୁ ହ୍ୱିଲ୍ ଚେୟାର୍‌ରେ ଦିବ୍ୟାଙ୍ଗ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି କଟକଣା ନାହିଁ ।

ଏଭଳି ସ୍ଥିତିରେ ଏହି ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ । ଦିବ୍ୟାଙ୍ଗଙ୍କ ସ୍ୱାଭିମାନ ଓ ସମ୍ମାନ ରକ୍ଷାକୁ ସବୁକ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପ୍ରସଙ୍ଗରେ ମଧ୍ୟ ଏହା ପାଳନ ହେବା ଉଚିତ୍ । ଶ୍ରୀମନ୍ଦିର ପରିସରକୁ ରାମ୍ପ୍ ନିର୍ମାଣ କରାଯାଇ ହ୍ୱିଲ୍ ଚେୟାର୍ ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପ୍ରବେଶ ସୁବିଧା କରାଯିବା, ଶ୍ରୀଜିଉମାନଙ୍କ ସ୍ପଷ୍ଟ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ହ୍ୱିଲ୍ ଚେୟାର୍‌ରେ ଥିବା ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯିବା, ଶ୍ରୀମନ୍ଦିର ପରିସରରେ ହ୍ୱିଲ୍ ଚେୟାର୍ ଚଳାଚଳ ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ସହାୟତା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking