24.1 C
Bhubaneswar
Thursday, May 9, 2024
Homeଓଡିଶାସ୍କୁଲ ଶିକ୍ଷାଦାନରେ ସୁଧାର ପାଇଁ ବ୍ଲୁପ୍ରିଣ୍ଟ : ଯାଞ୍ଚ ହେବ ଶିକ୍ଷକଙ୍କ ଦକ୍ଷତା, ଦୁର୍ବଳଥିଲେ କାର୍ଯ୍ୟାନୁଷ୍ଠାନ

ସ୍କୁଲ ଶିକ୍ଷାଦାନରେ ସୁଧାର ପାଇଁ ବ୍ଲୁପ୍ରିଣ୍ଟ : ଯାଞ୍ଚ ହେବ ଶିକ୍ଷକଙ୍କ ଦକ୍ଷତା, ଦୁର୍ବଳଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଶିକ୍ଷାଦାନରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଏବଂ ମାଟ୍ରିକରେ ପାସ୍‌ହାର ବୃଦ୍ଧି ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁପ୍ରିଣ୍ଟ । ଏନେଇ ଖୁବ୍‌ଶୀଘ୍ର ରାଜ୍ୟରେ ଥିବା ସବୁ ସରକାରୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ କରାଯିବ । ବିଷୟ ଭିତ୍ତିକ ଶିକ୍ଷକଙ୍କ ବରିଷ୍ଠତା, ଶିକ୍ଷାଗତଯୋଗ୍ୟତା ସାଙ୍ଗକୁ ଶିକ୍ଷାଦାନ ଶୈଳୀକୁ ଅନୁଧ୍ୟାନ କରାଯିବ । ଏହି ପ୍ରକ୍ରିୟାରେ ଯେଉଁମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ ଦୁର୍ବଳ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ତେବେ ଖୁବ ଶୀଘ୍ର ରାଜ୍ୟର ସରକାରୀ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରୁ ୧୭ହଜାର ଶିକ୍ଷକଙ୍କୁ ରିଫ୍ରେସର କୋର୍ସ ମାଧ୍ୟମରେ ପାରଙ୍ଗମ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେବେ ୨୦୨୧ଅକ୍ଟୋବରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ଯୋଜନା ରହିଛି । ସରକାରୀ ସ୍କୁଲଗୁଡ଼ିକରେ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ଯେପରି ସହଜ ଏବଂ ସରଳ ଭାବେ ପଢ଼ାଇବେ ସେଥିପାଇଁ ଏହି ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ, ଏଣିକି ରାଜ୍ୟର ସବୁ ସରକାରୀ ସ୍କୁଲରେ ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଉପରେ ନଜର ରହିବ । ଏନେଇ ଆସନ୍ତା ଶିକ୍ଷାବର୍ଷରୁ କଟକଣା କଡ଼ାକଡ଼ି ହେବ । ଏହି ବ୍ୟବସ୍ଥା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯିବ । ଛାତ୍ରଛାତ୍ରୀ ଯେପରି ଶ୍ରେଣୀ ପାଠପଢ଼ା ପ୍ରତି ଆକୃଷ୍ଟ ହେବେ ଏବଂ ସହଜ ଭାବେ ବୁଝିପାରିବେ ସେଥିଲାଗି ଗୁରୁତ୍ୱ ଦିଆଯିବ ।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବିଗତ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା । ପୁରୁଣା ଢ଼ାଞ୍ଚାରେ ଶ୍ରେଣୀରେ ପାଠପଢ଼ା ହେଉଥିବା ବେଳେ ଅନେକ ସମୟରେ ପରୀକ୍ଷା ପୂର୍ବରୁ କୋର୍ସ ଶେଷ ହୋଇପାରୁନଥିଲା । ଯାହାଫଳରେ ପୂର୍ବରୁ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀ ପାଠପଢ଼ା ଅପେକ୍ଷା ଟ୍ୟୁସନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ଯାହାର ପ୍ରଭାବ ପରୀକ୍ଷାରେ ପଡୁଥିଲା । ତେଣୁ ସ୍କୁଲରେ ଶ୍ରେଣୀ ପଢ଼ାକୁ ଅଧିକ ଗୁରୁତ୍ୱ ଦେବା ସହ ଶିକ୍ଷକମାନେ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ସ ଶେଷ କରିବେ ସେଥିଲାଗି ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ ୯୦ହଜାରରୁ ଅଧିକ ଶିକ୍ଷକଙ୍କୁ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାକୁ ଯୋଜନା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୭ହଜାର ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯେଉଁଥିରେ ଗଣିତ, ବିଜ୍ଞାନ, ଇଂରାଜୀ ବିଷୟରେ ଅତିରିକ୍ତ ୧୫ଘଣ୍ଟାର ପ୍ରଶିକ୍ଷଣ ରହିବ । ଏନେଇ ଜିଲ୍ଲାୱାରୀ ସ୍କୁଲଗୁଡିକରୁ ଶିକ୍ଷକଙ୍କୁ ଚୟନ କରାଯିବା ସହ ବରିଷ୍ଠତା ଭିତ୍ତିରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ଏହି ପ୍ରଶିକ୍ଷଣ ଦେବା ଲାଗି ଏସ୍‌ସିଇଆର୍‌ଟି, ଓସେପା ଏବଂ ବିଭାଗ ପ୍ରଶିକ୍ଷକଙ୍କ ସମେତ ବାହାର ରାଜ୍ୟର ୮ଜଣ ଟ୍ରେନର ରହିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦୁର୍ଗାପୂଜା ଏବଂ ଡିସେମ୍ବରରେ ୨ଟି ପର୍ଯ୍ୟାୟରେ ପୁଣି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ଯେଉଁ ଖର୍ଚ୍ଚ ହେବ ତାହା ସମାଗ୍ରିକ ଯୋଜନାରେ ମିଳିଥିବା ଅନୁଦାନରୁ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking