ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତଦେହଟି ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କ ଘରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁସାରେ, କିଛି ମାସ ପୂର୍ବେ ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଘର ଛାଡ଼ି ଚାଲିଯାଇଥିଲେ । ପରେ ଉଭୟ ଫେରି ଆସି ଏକାଠି ରହୁଥିବା ଜଣାପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ନାବାଳିକାଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ।










