28.8 C
Bhubaneswar
Monday, July 27, 2026
Homeଓଡିଶାପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେହାନ୍ତ ସୁଶାନ୍ତ ସିଂହ ଥିଲେ ସାଲିସ ବିହୀନ ରାଜନେତା: ବିଜେଡି

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେହାନ୍ତ ସୁଶାନ୍ତ ସିଂହ ଥିଲେ ସାଲିସ ବିହୀନ ରାଜନେତା: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ଦେହାନ୍ତ ହୋଇଛି । ଶଙ୍ଖ ଭବନରେ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ଅପୂରଣୀୟ କ୍ଷତି । ସେ ଜଣେ ସାଲିସ ବିହୀନ ରାଜନେତା ଭାବରେ ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ୩ ଥରର ବିଧାୟକ ଥିଲେ । ଏହାସହିତ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପଶ୍ଚିମ ଓଡ଼ିଶାର ଟାଣୁଆ ଜନନେତା ଓ ସୁସଙ୍ଗଠକ ଭାବେ ତାଙ୍କର ପରିଚୟ ରହିଛି । ସେ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି । ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶୋକ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହ ଜଣେ ଦକ୍ଷ ସଂଗଠକ, ଜନପ୍ରିୟ ଜନନେତା ଓ ନିଷ୍ଠାପର ଜନସେବକ ଥିଲେ । ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ବିକାଶ ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ । ତାଙ୍କର ବିୟୋଗ ବିଜୁ ଜନତା ଦଳ ପାଇଁ, ପଶ୍ଚିମ ଓଡ଼ିଶା ଏବଂ ସମଗ୍ର ରାଜ୍ୟ ନିମନ୍ତେ ଏକ ଅପୂରଣୀୟ କ୍ଷତି । ଦଳକୁ ସୁଦୃଢ଼ କରିବାରେ ତଥା ଲୋକଙ୍କ ସେବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଶଙ୍ଖ ଭବନ ଠାରେ ବିଧାୟକ, ବରିଷ୍ଠ ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଅର୍ପଣ କରି ସ୍ୱର୍ଗତ ଶ୍ରୀ ସିଂହଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲେ । ଏହି ଅବସରରେ ବରିଷ୍ଠ ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଶ୍ରୀ ପ୍ରତାପ ଜେନା, ଉପସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସ, ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀମତୀ ସୁଜାତା ରାଉତ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡା, ବରିଷ୍ଠ ଉପସଭାପତି ଶ୍ରୀ ନିରଞ୍ଜନ ପୂଜାରୀ, ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ଅମାତ, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳବନ୍ତରାୟ, ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ, ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ, ବିଧାୟକ ଶ୍ରୀ ଯୋଗେଶ ସିଂ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ପୂର୍ବତନ ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା, ସାଧାରଣ ସମ୍ପାଦକ ଶ୍ରୀ ମନ୍ମଥ ରାଉତରାୟ, ଦୁର୍ଗା ସାମନ୍ତରାୟ, ଭାରତୀ ସିଂ, ବିପ୍ଳବ ପାତ୍ର, ନିହାର ବେହେରା, କୌଳାସ କୁମାର ମୁଖୀ, ଇଲା ସ୍ୱାଇଁ, ରିଜୱାନ ବେଗମ୍, ଶୁଭ୍ରଜିତ ପାଢୀ, ନିଳମାଧବ ମହାନ୍ତି, ଆଶିଷ ସାହୁ, ଅଫତାବ ଆଲାମ୍ ଖାନ, ମନୋଜ ସେନାପତି, ସୌମ୍ୟ ରଂଜନ ତି୍ରପାଠୀ, ପୃଥ୍ୱୀରାଜ ପଣ୍ଡା, ବିକ୍ରମ ରଂଜିତ ପଟ୍ଟନାୟକ, ରକି ଦାସ, ଅଂଶୁ ତ୍ରିପାଠୀ, ଏନ୍.ଏମ୍ ରାଓ ପ୍ରମୁଖ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ସ୍ୱର୍ଗତ ଶ୍ରୀ ସିଂହ ଲୋକଙ୍କ ଅଗାଧ ଆସ୍ଥା ଓ ଭଲପାଇବା ଅର୍ଜନ କରିଥିଲେ । ଯାହା ଫଳରେ ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ କ୍ରମାଗତ ଭାବେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ଏଥିସହିତ ମନ୍ତ୍ରୀ ମଧ୍ୟ ହୋଇ ବିଭିନ୍ନ ଜନହିତକର ପଦକ୍ଷେପ ଗ୍ରହଣରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ସମଗ୍ର ରାଜନୈତିକ ଜୀବନରେ ସେ କୃଷକ, ଶ୍ରମିକ, ଯୁବବର୍ଗ, ମହିଳା ଓ ସମାଜର ଅବହେଳିତ ବର୍ଗର ସ୍ୱାର୍ଥ ପାଇଁ ସର୍ବଦା ସଂଗ୍ରାମ କରିଥିଲେ । ତାଙ୍କର ସରଳତା, ସାଦାସିଧା ଜୀବନଶୈଳୀ, ସାଂଗଠନିକ ଦକ୍ଷତା ଏବଂ ନିଷ୍ଠାପର ଜନସେବା ତାଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଅତ୍ୟନ୍ତ ସମ୍ମାନୀତ ନେତାର ପରିଚୟ ଦେଇଥିଲା । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

୧୭ ମାର୍ଚ୍ଚ ୧୯୭୩ରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଏକ ଅତି ସାଧାରଣ ଘରେ ଜନ୍ମ ଗ୍ରହଣ କରିଥିଲେ । ଦୁର୍ନୀତି ବିରୁଦ୍ଧରେ ଲଢ଼ିବାର ପ୍ରବୃତ୍ତି ତାଙ୍କୁ ରାଜନୀତି ଭିତରକୁ ଟାଣି ଆଣିଥିଲା । ସଂଘର୍ଷରୁ ସଫଳତା ପାଇ କ୍ରମାଗତ ୩ ଥର ବିଧାୟକ ହୋଇଥିଲେ । ଗୁରୁତର ଅସୁସ୍ଥତା ସତ୍ତ୍ୱେ ମେଡିକାଲ ବେଡ଼ରୁ ମଧ୍ୟ ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ଶେଷରେ ତାଙ୍କର ଦେହାନ୍ତ ହୋଇଛି । ଏହି ଶୋକସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ବିଭିନ୍ନ ସଂଗଠନର ପଦାଧିକାରୀ ଓ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ । ଉପସ୍ଥିତ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking