ପିପିଲି : ପିପିଲି-ଜଟଣୀ ରାସ୍ତାର ମଠସାହି ନିକଟରେ ସୋମବାର ଏକ ପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତା ମହିଳାଙ୍କ ପରିଚୟ ଜଣା ପଡ଼ିନଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି।ଟ୍ରକଟି ଜଟଣୀରୁ ପଥର ବୋଝେଇ କରି ପିପିଲି ଅଭିମୁଖେ ଆସୁଥିବା ବେଳେ ମଠସାହି ଗ୍ରାମ୍ୟଛକ ନିକଟରେ ଜଣେ ମହିଳାଙ୍କ ଉପରେ ଚଢି ଯାଇଥିଲା। ପରେ ଟ୍ରକଟି ଦ୍ରୁତ ଗତିରେ ପିପିଲି ଅଭିମୁଖେ ଆସୁଥିବା ବେଳେ ପିପିଲି ସାପ୍ତାହିକ ହାଟ ସମ୍ମୁଖରେ ବିଦ୍ୟୁତ ବିଭାଗର ଏକ ବୋଲେରୋ ଜିପକୁ ଧକ୍କା ଦେଇଥିଲା। ଖବର ପାଇ ପିପିଲି ପୁଲିସ ଉକ୍ତ ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଆମ୍ବୁଲାନ୍ସ ଯୋଗେ ଉକ୍ତ ମହିଳାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।










