ନୂଆଦିଲ୍ଲୀ: ୟୁକ୍ରେନର ଓଡେସା ବନ୍ଦର ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ବିଦେଶ ମନ୍ତ୍ରଣାଳୟ ସୋମବାର ଭାରତରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ ଡ. ଓଲେକଜାଣ୍ଡର ପୋଲିଶଚୁକ୍ଙ୍କୁ ସମନ ଜାରି କରିଛି। ଏହି ଜାହାଜରେ ୪ ଜଣ ଭାରତୀୟ ନାଗରିକ ଥିଲେ। ଶନିବାର କୃଷସାଗରରେ ଓଡେସା ବନ୍ଦର ନିକଟରେ ଏମ୍ଭି ଏଜିଏନ୍ ରାଗନାର ଉପରେ ଆକ୍ରମଣ ହୋଇଥିଲା। ୨୦୨୨ରେ ରୁଷ୍-ୟୁକ୍ରେନ୍ ବିବାଦ ଆରମ୍ଭ ହେବା ପରଠାରୁ କୃଷ୍ଣସାଗରରେ ବାରମ୍ବାର ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେଉଛି। ଜୁଲାଇ ୧୮ ତାରିଖରେ ବାଣିଜ୍ୟିକ ଜାହାଜ ଏମ୍ଭି ଓମୋର୍ଫି ଉପରେ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସାମୁଦ୍ରିକ ନୌ ସୁରକ୍ଷା, ନୌଚାଳନା ସ୍ୱାଧୀନତା ଓ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ଆକ୍ରମଣର ପ୍ରତିକୂଳ ପ୍ରଭାବକୁ ଗୁରୁତ୍ୱ ଦେଇ ମନ୍ତ୍ରଣାଳୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିବା ସହିତ କଠୋର ଶବ୍ଦରେ ଘଟଣାର ନିନ୍ଦା କରିଛି। ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ନେଇ ଭାରତର ଦୃଢ଼ ଚିନ୍ତାକୁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ରାଷ୍ଟ୍ରଦୂତଙ୍କୁ ଅନୁରୋଧ କରାଯାଇଥିଲା। ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ, ୪ ଭାରତୀୟ ନାବିକଙ୍କ ମଧ୍ୟରେ ଦୁଇଜଣ ସଦସ୍ୟ ସୁରକ୍ଷିତ ଅଛନ୍ତି ଓ ଦୁଇ ଜଣ ସମ୍ପର୍କରେ ସୂଚନାକୁ ଅପେକ୍ଷା କରାଯାଇଛି।










