ସମ୍ବଲପୁର: ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବଢ଼ିଚାଲିଛି ପାଣିର ପ୍ରବାହ । ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ମୋଟ ୧୬ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ସର୍ବଶେଷ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ବନ୍ଧ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରୁଛନ୍ତି । ହୀରାକୁଦରୁ ଅଧିକ ପରିମାଣରେ ପାଣି ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି ।ଲଗାତାର ବର୍ଷା ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ଅନୁଯାୟୀ ଆହୁରି ଗେଟ୍ ଖୋଲାଯିବ କି ନାହିଁ, ସେନେଇ ବନ୍ଧ କର୍ତ୍ତୃପକ୍ଷ ନିୟମିତ ସମୀକ୍ଷା କରୁଛନ୍ତି ।









