ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ନୂଆଦିଲ୍ଲୀରେ ଚାଲିଥିବା ଛାତ୍ର ଆନେ୍ଦାଳନର ସମାଧାନ ବର୍ବରୋଚିତ ଆକ୍ରମଣ ନୁହେଁ ବରଂ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ହେବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନକୁ ବିକୃତ କରିବାର ପ୍ରୟାସକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଦେଶରେ ପରୀକ୍ଷା ସୁପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ପଦୁଟିଏ ନ କହି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମନ୍ତବ୍ୟକୁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ କାଉଣ୍ଟର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଜି ଶଙ୍ଖ ଭବନରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଉପସଭାପତି ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା ସାମ୍ବାଦିକ ମାନଙ୍କ ସହ ବାର୍ତ୍ତାଳାପ କରି କହିଥିଲେ ଯେ, ନିଜ ସମସ୍ୟାକୁ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । କିନ୍ତୁ ଭର୍ତ୍ତୃହରି ମହତାବ ରାଜନୈତିକ ଉଦେ୍ଦଶ୍ୟ ରଖି ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଦେଶର ରାଜଧାନୀରେ ଦେଖାଦେଇଥିବା ଏହି ଅସନ୍ତୋଷ ସମଗ୍ର ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି । ଗତ କିଛି ମାସ ଧରି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଏବଂ ନିଜ ଭବିଷ୍ୟତକୁ ସ୍ୱର ଉତ୍ତୋଳନ କରିଆସୁଥିଲେ । କିନ୍ତୁ ସରକାର ସେମାନଙ୍କ ଦାବିକୁ ଶୁଣି ସମାଧାନ କରିବା ପରିବର୍ତ୍ତେ ନୀରବ ରହିଲେ, ଯାହାଫଳରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଲା । ଗତ ୧୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୯୯ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପ୍ରାୟ ୬.୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । କୋଟି କୋଟି ଯୁବକଯୁବତୀଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ । ଦିଲ୍ଲୀରେ ଚାଲିଥିବା ଛାତ୍ର ଆନେ୍ଦାଳନ କୌଣସି ରାଜନୈତିକ ଦଳର ଆନୁଷ୍ଠାନିକ କାର୍ଯ୍ୟକ୍ରମ ନଥିଲା । ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ପରେ ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ସରକାରଙ୍କ ଦାୟିତ୍ୱ । ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶବିରୋଧୀ ଏବଂ ପାକିସ୍ତାନ ଓ ଚୀନ୍ର ଏଜେଣ୍ଟ ବୋଲି ଅଭିହିତ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଶିକ୍ଷା ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରିବାରେ ସରକାର ବିଫଳ ହେଲେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଏହାର ନୈତିକ ଦାୟିତ୍ୱ ନେବାକୁ ପଡ଼ିବ । ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଦେବା ଉଚିତ୍ । କଟକର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜଣେ ଜନପ୍ରତିନିଧିଙ୍କ ପାଇଁ ଶୋଭନୀୟ ନୁହେଁ । ନିଜର ଦାବି ଉପସ୍ଥାପନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶଦ୍ରୋହୀ ବୋଲି ବର୍ଣ୍ଣନା କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିରୋଧୀ । ପ୍ରତ୍ୟେକ ନାଗରିକ, ବିଶେଷକରି ଯୁବପିଢ଼ି, ନିଜର ଅଭିଯୋଗ ପ୍ରକାଶ କରିବା ଏବଂ ସରକାରଙ୍କଠାରୁ ଦାୟିତ୍ୱଶୀଳ ପ୍ରତିକ୍ରିୟା ଆଶା କରିବା ସାମ୍ୱିଧାନିକ ଅଧିକାର ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ସମଗ୍ର ଦେଶରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିବା ପରିବର୍ତ୍ତେ ଶ୍ରୀ ଭର୍ତ୍ତୃହରି ମହତାବ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଭିନ୍ନ ଦିଗକୁ ନେବାକୁ ଚେଷ୍ଟା କରିଛନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗଣତାନ୍ତ୍ରିକ ମୂଲ୍ୟବୋଧର ସପକ୍ଷରେ ରହିଆସିଛନ୍ତି । ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରିଆସିଛନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିବୃତି ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ନଥିଲା । ସେ କେବଳ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବାକୁ ଅନୁରୋଧ କରିଥିଲେ । ଭର୍ତ୍ତୃହରି ମହତାବ ୭ ଥର ସାଂସଦ ଭାବେ ଜନପ୍ରତିନିଧିତ୍ୱ କରିଛନ୍ତି, ସେଥିମଧ୍ୟରୁ ୬ ଥର ବିଜୁ ଜନତା ଦଳରୁ ସାଂସଦ ହୋଇଛନ୍ତି । ସେ ସମୟରେ ନବୀନ ପଟ୍ଟନାୟକଙ୍କୁ ଭୂୟଂଶୀ ପ୍ରଶଂସା କରୁଥିଲେ, କିନ୍ତୁ ଆଜି ବିଜେପିରୁ ସାଂସଦ ହୋଇ ଏଭଳି ମନ୍ତବ୍ୟ ଦେଉଛନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି ମହତାବ ।










