ଭୁବନେଶ୍ୱର: ଭାରତବର୍ଷର ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା ଏବଂ ସମସ୍ତ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ କାରଣରୁ ଆମ ଦେଶର ଗଣତନ୍ତ୍ର ଆଜି ଅକ୍ଷୁର୍ଣ୍ଣ ରହିଛି। କିନ୍ତୁ ଦୁଃଖର ବିଷୟ ଯେ, ସମ୍ବିଧାନ ପ୍ରଣୟନରେ ବାବାସାହେବ ଆମ୍ବେଦକରଙ୍କ ପ୍ରମୁଖ ଭୂମିକା ଥିବା ସତ୍ତ୍ୱେ ତତ୍କାଳୀନ କଂଗ୍ରେସ ତାଙ୍କୁ ଅପମାନିତ କରିବାରେ କୌଣସି ପ୍ରକାର କମି କରିନଥିଲେ। ଏପରି ପରିସ୍ଥିତି ସୃଷ୍ଟି କରାଯାଇଥିଲା ଯେ, ସେ ତତ୍କାଳୀନ ନେହେରୁଙ୍କ ମନ୍ତ୍ରିମଣ୍ଡଳରୁ ଆଇନ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଭାରତୀୟ ସମ୍ବିଧାନର ପ୍ରଣେତା ଡଃ ବି.ଆର. ଆମ୍ବେଦକରଙ୍କୁ କଂଗ୍ରେସ ଦଳ ବାରମ୍ବାର ଅପମାନିତ କରିଥିଲା ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଆଜି ଦେଶବ୍ୟାପୀ ୭୭ତମ ସମ୍ବିଧାନ ଗୈାରବ ଦିବସ ପାଳନ କରାଯାଉଛି । ସମ୍ବିଧାନ ଓ ଗଣତନ୍ତ୍ରକୁ ନିଜ ସ୍ୱାର୍ଥ ପାଇଁ ବାରମ୍ବାର ଅପମାନିତ କରିଥିବା କଂଗ୍ରେସ ଦଳ ଏବଂ ଏହାର ନେତାମାନେ ସମ୍ବିଧାନର ସୁରକ୍ଷା କଥା କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ୧୯୫୨ ମସିହାର ସାଧାରଣ ନିର୍ବାଚନ କଥା ଉଲ୍ଲେଖ କରି କହିଛନ୍ତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବାବାସାହେବ ଆମ୍ବେଦକର ବମ୍ବେର ଉତ୍ତର-ମଧ୍ୟ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ କଂଗ୍ରେସ ତାଙ୍କୁ ବିରୋଧ କରିଥିଲା। ଏହା ସହିତ ନିର୍ବାଚନରେ ୭୪,୩୦୩ ଖଣ୍ଡ ଭୋଟକୁ ନାକଚ କରାଇ ଷଡ଼ଯନ୍ତ୍ର ପୂର୍ବକ ତାଙ୍କୁ ପରାଜିତ କରାଯାଇଥିଲା। ସେହି କାରଣରୁ ୧୪,୫୬୧ ଭୋଟରେ ଆମ୍ବେଦକରଙ୍କୁ ପରାସ୍ତ କରି ପାର୍ଲିଆମେଣ୍ଟ ଯିବାର ରାସ୍ତା ବନ୍ଦ କରାଯାଇଥିଲା। କେବଳ ସେତିକି ନୁହେଁ, ୧୯୫୬ ମସିହାରେ ତାଙ୍କ ଦେହାନ୍ତ ହେଲା। ଦିଲ୍ଲୀରେ କଂଗ୍ରେସର ଗୋଟିଏ ପରିବାରର ସ୍ମୃତିସ୍ୱରୁପ ସମାଧି ପାଇଁ ଏକର ଏକର ଜମି ଦିଆଯାଇଥିବା ବେଳେ ଆମ୍ବେଦକରଙ୍କ ସ୍ମାରକୀ ପାଇଁ ଇଞ୍ଚେ ବି ଜମି ଦିଆଯାଇନଥିଲା । ଏପରିକି ତାଙ୍କୁ ଭାରତରତ୍ନ କି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇନଥିଲା। ସମ୍ବିଧାନକୁ ହତ୍ୟା କରିବାର ସର୍ବାଧିକ ପ୍ରୟାସ କଂଗ୍ରେସ ସମୟରେ ହିଁ ହୋଇଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି ଯେ, ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ, କୋର୍ଟଙ୍କ ନିର୍ଦ୍ଦେଶ ମାନିବା ପରିବର୍ତ୍ତେ ୧୯୭୫ ମସିହା ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା। ବିରୋଧୀ ନେତା ଓ ସାମ୍ବାଦିକମାନଙ୍କୁ ଜେଲରେ ଭର୍ତ୍ତି କରାଯିବା ସହ ସମ୍ବିଧାନର ଆତ୍ମା କୁହାଯାଉଥିବା “ମୁଖବନ୍ଧ’ରେ ପରିବର୍ତ୍ତନ କରାଯାଇଥିଲା ଏବଂ ନ୍ୟାୟପାଳିକା ଉପରେ ଅଙ୍କୁଶ ଲଗାଯାଇଥିଲା। କଂଗ୍ରେସ ଶାସନ ସମୟରେ ନିର୍ବାଚନ କମିଶନର ଓ ମୁଖ୍ୟ ବିଚାରପତିମାନଙ୍କୁ ଅବସର ପରେ ଦଳରୁ ଟିକେଟ ଦେଇ ସାଂସଦ ଓ କେନ୍ଦ୍ରମନ୍ତ୍ରୀ କରାଯାଇଥିବାର ସମସ୍ତେ ଦେଖିଛନ୍ତି । ନିରପେକ୍ଷତା ଥିଲେ ଏପ୍ରକାର କାର୍ଯ୍ୟ କାହିଁକି କରୁଥିଲେ? ସେମାନଙ୍କ ସମୟରେ ଯେଉଁ ପ୍ରଧାନମନ୍ତ୍ରୀ ଯାହାକୁ ନିର୍ବାଚନ କମିଶନର ଚାହୁଁଥିଲେ ସେ ହିଁ ନିର୍ବାଚନ କମିଶନର ହେଉଥିଲା। ଏହା ବ୍ୟତୀତ ବେନିୟମ ଭାବେ ସର୍ବାଧିକ ଥର ରାଷ୍ଟ୍ରପତି ଶାସନ ଜାରୀ କରି ଅଣ-କଂଗ୍ରେସ ନିର୍ବାଚିତ ସରକାରଗୁଡ଼ିକୁ ଭଙ୍ଗାଯାଇଛି। ତେଣୁ କଂଗ୍ରେସ ହିଁ ସର୍ବାଧିକ ଥର ସମ୍ବିଧାନର ହତ୍ୟା କରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏସଆଇଆର ପ୍ରସଙ୍ଗରେ ଜବାବ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଦେଶରେ ୧୦ ଥର ଏସଆଇଆର ହୋଇଛି । ବର୍ତ୍ତମାନ ପଶ୍ଚିମବଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ହେଉଛି, ତେଣୁ ଏହା ଉପରେ ପ୍ରଶ୍ନ ଉଠାଇବା ଅର୍ଥ ସୁପ୍ରିମକୋର୍ଟଙ୍କ ଉପରେ କଂଗ୍ରେସର ଭରସା ନାହିଁ। ବୁଥ୍ ସ୍ତରରେ କଂଗ୍ରେସ ପାଖରେ ବି.ଏଲ୍.ଏ ଦେବାକୁ ଲୋକ ନାହାନ୍ତି । ଯେଉଁ ଦଳ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ଓ ଯାହା ଗୋଟିଏ ପରିବାର ପାଖରେ ବନ୍ଧା ପଡ଼ିଛି, ସେହି କଂଗ୍ରେସ ଦଳ ମୁହଁରେ ସମ୍ବିଧାନର କଥା ଶୋଭା ପାଏ ନାହିଁ। ଅନ୍ୟପଟେ ବିଜେପି ସମ୍ବିଧାନ ଆଧାରରେ ସାଙ୍ଗଠନିକ ନିର୍ବାଚନ ଓ ଦଳ ପରିଚାଳନା କରୁଛି ବୋଲି ଶ୍ରୀ ତ୍ରିପାଠୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।










