20.1 C
Bhubaneswar
Thursday, November 26, 2026
Homeଓଡିଶାଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬

ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬

ଭୁବନେଶ୍ଵର; ଜୀବନରେ ଦୁଃଖ ଓ ଦୁର୍ଦ୍ଦିନ ଆସିଲେ ଅନେକେ ଭାଙ୍ଗି ପଡ଼ନ୍ତି । ହେଲେ କେତେକ ମଣିଷ ଦୁଃଖକୁ ଶକ୍ତିରେ ପରିଣତ କରି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନରେ ମଧ୍ୟ ଆଶାର ଆଲୋକ ଭରିଦିଅନ୍ତି । ଏଭଳି ଜଣେ ଦୃଢ଼ମନା ମହିଳା ହେଉଛନ୍ତି ମହାମାୟା ତେଜାନୀ । ବିବାହର ମାତ୍ର ପାଞ୍ଚ ବର୍ଷ ପରେ ସ୍ୱାମୀଙ୍କୁ ହରାଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ିନାହାନ୍ତି । ବରଂ ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଖଦି ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାକୁ ନିଜ ଜୀବନର ବ୍ରତ କରିଛନ୍ତି । ମହାମାୟାଙ୍କ ଖଦି ପ୍ରତି ଏହି ନିଷ୍ଠା ପଛରେ ରହିଛି ଏକ ଗୌରବମୟ ପାରିବାରିକ ଇତିହାସ । ତାଙ୍କ ଜେଜେବାପା ତଥା ବାଲିକୁଦା ଗାନ୍ଧୀ ଭାବେ ପରିଚିତ ହରେକୃଷ୍ଣ ବିଶ୍ୱାଳ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ‘କୁଟି ଖାଅ, କାଟି ପିନ୍ଧ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଖଦି କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିଲେ । ସ୍ୱଦେଶୀ ଓ ସ୍ୱାବଲମ୍ବନର ଏହି ଆଦର୍ଶକୁ ସେ ନିଜ ପୁଅ ପ୍ରତାପ କେଶରୀ ବିଶ୍ୱାଳଙ୍କୁ ଶିଖାଇଥିଲେ । ପରିବାରର ଏହି ଐତିହ୍ୟ ଏକ ସମୟରେ ସଙ୍କଟରେ ପଡ଼ିଥିଲା । ପ୍ରତାପ କେଶରୀ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିବାବେଳେ କଥା କହିବାକୁ ଅସମର୍ଥ ହୋଇ ଠାରରେ ନିଜ ଝିଅ ମହାମାୟାଙ୍କୁ ଖଦି କାମକୁ ବଞ୍ଚାଇ ରଖିବାକୁ କହିଥିଲେ । ବାପାଙ୍କର ସେହି ନିରବ ଅନୁରୋଧ ମହାମାୟାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ବୋଲି ଲୁହ ଛଳଛଳ ଆଖିରେ କୁହନ୍ତି ମହାମାୟା ତେଜାନୀ । ଖଦିର ‘ଖ’ ଅକ୍ଷର ଜାଣିନଥିଲି ମାତ୍ର ଖଦି କାର୍ଯ୍ୟକୁ ନିଜର ଦାୟିତ୍ୱ ଓ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିନେଲି କୁହନ୍ତି ମହାମାୟା । “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ”ରେ ତାଙ୍କ ଷ୍ଟଲ ନିଆରା ଆକର୍ଷଣ ରଖୁଛି ।

ଏହି ଉଦ୍ୟମକୁ ସଂଗଠିତ ରୂପ ଦେବା ପାଇଁ ମହାମାୟା ଗଠନ କରିଛନ୍ତି ‘ଖଦି ଉଦ୍ୟୋଗ ମନ୍ଦିର’ । ଏଠାରେ ଖଦି ଉତ୍ପାଦନ ସହ ଅନେକ ମହିଳାଙ୍କୁ ରୋଜଗାରର ସୁଯୋଗ ମିଳୁଛି । ଅନୁଷ୍ଠାନରେ ୧୫ ଜଣ ମହିଳା ସୂତା କାଟୁଥିବାବେଳେ ୧୦ ଜଣ ତନ୍ତରେ ଲୁଗା ବୁଣୁଛନ୍ତି । ସେହିପରି ୨୦ ଜଣ ସିଲେଇ ମେସିନ୍‌ରେ ବିଭିନ୍ନ ପୋଷାକ ପ୍ରସ୍ତୁତ କରୁଛନ୍ତି । ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପକ୍ଷରୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ୨୦ଟି ସିଲେଇ ମେସିନ୍ ଯୋଗାଇ ଦିଆଯାଇଛି । ମହାମାୟାଙ୍କ ଏହି ଉଦ୍ୟମ କେବଳ ଏକ ପାରିବାରିକ ପରମ୍ପରାର ସୁରକ୍ଷା ନୁହେଁ, ବରଂ ଗାନ୍ଧୀଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଆଜିର ସମୟରେ ଜୀବନ୍ତ ରଖିବାର ଏକ ସାର୍ଥକ ପ୍ରୟାସ । ନିଜ ଦୁଃଖକୁ ପଛରେ ପକାଇ ଖଦି ମାଧ୍ୟମରେ ଅନେକ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ଆତ୍ମନିର୍ଭରଶୀଳତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ମହାମାୟା ତେଜାନୀ । ଜେଜେବାପାଙ୍କଠାରୁ ଆରମ୍ଭ ହୋଇଥିବା ସ୍ୱଦେଶୀର ସେହି ଚରଖା ଆଜି ମହାମାୟାଙ୍କ ହାତରେ ନୂଆ ଜୀବନ ପାଇଛି । ଏହା କେବଳ ସୂତା କାଟିବା କିମ୍ବା ଲୁଗା ବୁଣିବାର କାହାଣୀ ନୁହେଁ; ଏହା ହେଉଛି ସଂଘର୍ଷ, ସଂକଳ୍ପ, ପାରିବାରିକ ମୂଲ୍ୟବୋଧ ଓ ଆତ୍ମନିର୍ଭରତାର ଏକ ପ୍ରେରଣାଦାୟୀ କାହାଣୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking