22.1 C
Bhubaneswar
Thursday, November 26, 2026
Homeଓଡିଶାକୋଟପାଡ଼ ଘଟଣାରେ ପ୍ରଶାସନର ଏକପାଖିଆ ଓ ତରବରିଆ କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିନ୍ଦା

କୋଟପାଡ଼ ଘଟଣାରେ ପ୍ରଶାସନର ଏକପାଖିଆ ଓ ତରବରିଆ କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିନ୍ଦା

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ପାତ୍ରଗୁଡ଼ା ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣା ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନର ଅତ୍ୟନ୍ତ ତରବରିଆ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମିଡିଆ ବିଭାଗ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।ଗତ ନଭେମ୍ବର ୨୧ ତାରିଖରେ ପାତ୍ରଗୁଡ଼ା ଗ୍ରାମର ଦୁର୍ଯ୍ୟୋଧନ ହରିଜନଙ୍କ ଘର ଓ ପ୍ରାର୍ଥନା ଗୃହ (ଚର୍ଚ୍ଚ) ଉପରେ କିଛି ଅସାମାଜିକ ତତ୍ତ୍ୱ ଓ ଦୁର୍ବୃତ୍ତମାନେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏନେଇ ପୀଡ଼ିତ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଆଇନଗତ ପ୍ରକ୍ରିୟାରେ ଦୁର୍ବୃତ୍ତମାନଙ୍କୁ ଗିରଫ କରି ପୀଡ଼ିତ ପରିବାରକୁ ନ୍ୟାୟ ଓ ସୁରକ୍ଷା ଦେବା ପରିବର୍ତ୍ତେ, ପ୍ରଶାସନ ପରଦିନ ହିଁ ତରବରିଆ ଭାବେ ବୁଲଡୋଜର ଲଗାଇ ସମ୍ପୃକ୍ତ ଘର ଓ ଚର୍ଚ୍ଚକୁ ମାଟିରେ ମିଶାଇ ଦେଇଛି।

ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛିଡ଼ା କରିଛି:-

• ପୀଡ଼ିତଙ୍କୁ ଦଣ୍ଡ ଓ ଦୁର୍ବୃତ୍ତଙ୍କୁ ମାଫ: ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୀଡ଼ିତ ପରିବାରର ନିର୍ମାଣକୁ ଭାଙ୍ଗି ପ୍ରଶାସନ କାହା ଚାପରେ କାମ କରୁଛି?

* ଆଇନଗତ ପ୍ରକ୍ରିୟାର ଉଲ୍ଲଂଘନ: ବିନା ଉପଯୁକ୍ତ ତଦନ୍ତ ଏବଂ ପକ୍ଷ ରଖିବାର ଯଥେଷ୍ଟ ସମୟ ନ ଦେଇ ଏତେ କମ୍ ସମୟ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଶେଷ କରିବା ସାମ୍ବିଧାନିକ ଅଧିକାର ଓ ନ୍ୟାୟିକ ବ୍ୟବସ୍ଥାର ଘୋର ଅପମାନ।

* ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ କରିବାର ଷଡ଼ଯନ୍ତ୍ର: ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ସଂଖ୍ୟାଲଘୁ ଓ ଦଳିତ ପରିବାରଗୁଡ଼ିକ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପ୍ରଶାସନର ଏଭଳି ପକ୍ଷପାତମୂଳକ ଆଚରଣ ଦୁର୍ବୃତ୍ତମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଉଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଉଛି ଯେ, ଏହି ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ଭଙ୍ଗାରୁଜା କରିଥିବା ଅସାମାଜିକ ତତ୍ତ୍ୱମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଉ। ରାଜ୍ୟ ସରକାର ତୁରନ୍ତ ଏହି ତରବରିଆ ଓ ପ୍ରତିହିଂସାପରାୟଣ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନ କଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking