ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ କଣ୍ଢେଇନାଟ ଉତ୍ସବ ‘କଣ୍ଢେଇ ନାଟ : ଏକ ସଂସ୍କୃତି ଯାତ୍ରା’ ଆଜି ଉଦ୍ଯାପିତ ହୋଇଯାଇଛି। ନଭେମ୍ବର ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଏହି ଜାତୀୟ କଣ୍ଢେଇନାଟ ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଆଜିର ଉଦ୍ଯାପନୀ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, କଣ୍ଢେଇ ନାଟ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହି ଲୋକନାଟ୍ୟରେ ଆମ ପୌରାଣିକ କାହାଣୀ ଓ ସାମାଜିକ ବାର୍ତ୍ତାକୁ କଣ୍ଢେଇ ମାନଙ୍କ ମାଧ୍ୟମରେ ଏକ ନିଆରା ଢ଼ଙ୍ଗରେ ଦର୍ଶକମାନଙ୍କ ଆଗରେ ପରିବେଷଣ କରାଯାଏ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିବା ଜାତୀୟ କଣ୍ଢେଇ ନାଟ ଉତ୍ସବ-୨୦୨୬ରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ସାଂସ୍କୃତିକ ଦଳମାନେ ଅଂଶଗ୍ରହଣ କରିଥିଲେ। ଜାତୀୟ କଣ୍ଢେଇ ନାଟ ଉତ୍ସବରେ ସୂତା କଣ୍ଢେଇ, ଛାୟା କଣ୍ଢେଇ ନାଟ, କାଠି କଣ୍ଢେଇ ନାଟ, ରାବଣଛାୟା, ସମକାଳୀନ କଣ୍ଢେଇ ନାଟ, ସଖୀ କଣ୍ଢେଇ ନାଟ, ଡାଙ୍ଗେର ପୁତୁଲନାଟ, ଗୋପଲୀଳା କଣ୍ଢେଇ ନାଟ ଆଦି ପରିବେଷଣ କରାଯାଇଛି। କଣ୍ଢେଇ ନାଟର ସଂରକ୍ଷଣ ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଜାତୀୟ କଣ୍ଢେଇ ନାଟ ଉତ୍ସବର ଆୟୋଜନ କରିଥିବାରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକୁ ସାଧୁବାଦ ଜଣାଉଛି। ଆଗାମୀ ଦିନରେ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଓ ବିଦ୍ୟାଳୟମାନଙ୍କରେ ଯେପରି କଣ୍ଢେଇ ନାଟକର ଆୟୋଜନ କରାଯିବ ଏବଂ ଯୁବପିଢ଼ିଙ୍କୁ ଏଥିରେ ଯେପରି ସଂଶ୍ଲିଷ୍ଟ କରାଯାଇପାରିବେ ସେ ଦିଗରେ ଗୁରୁତ୍ୱାରୋପ କରାଯାଉଛି ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଆଜିର ଉଦ୍ଯାପନୀ ଦିବସରେ ଇଭାନ୍ ହେସ୍ଟିଙ୍ଗସ୍ ‘ସମକାଳୀନ ଛାୟା କଣ୍ଢେଇ ନାଟ’, ପଦ୍ମଶ୍ରୀ ରାମଚନ୍ଦ୍ର ପୁଲୁଭାର ‘ଥୋଲପଭାକୁଥୁ : ଛାୟା କଣ୍ଢେଇନାଟ’, ସ୍ବର୍ଗୀୟ କାଲୀକ୍ରିଷ୍ଣ ପୁତୁଲି ନାଚ ପାର୍ଟି ‘ଡାଙ୍ଗେର ପୁତୁଲନାଟ’ ରାବଣଛାୟା ନାଟ୍ୟ ସଂସଦ ‘ରାବଣଛାୟା’, ପରମେଶ୍ୱର ସିଂ ଓ ସାଥୀ ‘ସଖୀ କଣ୍ଢେଇନାଟ’, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ‘ସମକାଳୀନ କଣ୍ଢେଇ ନାଟ’ ପରିବେଷଣ କରିଥିଲେ। କଣ୍ଢେଇ ନାଟ ପରିବେଷଣ କରିଥିବା କଳାକାରମାନଙ୍କୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।










