ଭୁବନେଶ୍ୱର: ଓଡ଼ିଶାରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ରାଜ୍ୟରେ ଅଧାରୁ ଅଧିକ ମହିଳା ରକ୍ତହୀନତା ବା ଆନିମିଆରେ ଆକ୍ରାନ୍ତ। ବିଶେଷକରି ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ସ୍ଥିତି ଅଧିକ ଉଦ୍ବେଗଜନକ । ଏହି ବୟସ ବର୍ଗର ୫୯.୬ ପ୍ରତିଶତ ମହିଳା ରକ୍ତହୀନତାର ଶିକାର। ଜାତୀୟ ହାର ୫୫.୭ ପ୍ରତିଶତ ତୁଳନାରେ ଓଡ଼ିଶାରେ ଏହି ହାର ଅଧିକ ରହିଛି ।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଅଧୀନ ଜାତୀୟ ପୁଷ୍ଟି ଅନୁଷ୍ଠାନ (NIN) ପକ୍ଷରୁ କରାଯାଇଥିବା ସାମ୍ପଦା (SAMPADA) ସର୍ଭେ ୨୦୨୩-୨୫ରୁ ଏହି ତଥ୍ୟ ମିଳିଛି । ସର୍ଭେ ଅନୁଯାୟୀ, ୨୦ରୁ ୫୯ ବର୍ଷ ବୟସର ୫୩.୪ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ । ସେହିପରି ୧୫ରୁ ୪୯ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଏହି ହାର ୫୧.୩ ପ୍ରତିଶତ ରହିଛି। ଆଉ ୧୦ରୁ ୧୯ ବର୍ଷ ବୟସର ୪୫ ପ୍ରତିଶତ କିଶୋରୀ ମଧ୍ୟ ରକ୍ତହୀନତାର ଶିକାର ।
ଶିଶୁ ଓ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତାର ସ୍ଥିତି ରହିଛି । ୧୨ରୁ ୫୯ ମାସ ବୟସର ୩୫.୮ ପ୍ରତିଶତ ଶିଶୁ ଏଥିରେ ଆକ୍ରାନ୍ତ। ୫ରୁ ୯ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ଏହି ହାର ୨୧.୫ ପ୍ରତିଶତ । ଅନ୍ୟପଟେ ୧୦ରୁ ୧୯ ବର୍ଷ ବୟସର କିଶୋରଙ୍କ ମଧ୍ୟରେ ୧୭.୫ ପ୍ରତିଶତ ରକ୍ତହୀନତାର ଶିକାର । ପୁରୁଷଙ୍କ କ୍ଷେତ୍ରରେ ୨୦ରୁ ୫୯ ବର୍ଷ ବୟସରେ ଏହି ହାର ୨୨.୭ ପ୍ରତିଶତ ଥିବାବେଳେ ୬୦ ବର୍ଷରୁ ଅଧିକ ବୟସରେ ୪୬.୨ ପ୍ରତିଶତ ରହିଛି ।










