ଭୁବନେଶ୍ୱର : ବିଧାନସଭାରେ ଉଠିଲା ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ ଅର୍ଥ ହେରଫେର ପ୍ରସଙ୍ଗ । ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇନଥିବା ଏବଂ ଖର୍ଚ୍ଚର ହିସାବ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ତାଙ୍କ ଦାବିକୁ ଗ୍ରହଣ କରି ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତଦନ୍ତରେ ଅନିୟମିତତା ସାମ୍ନାକୁ ଆସିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରଶ୍ନକାଳରେ ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଫାଇଭ୍-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ସଠିକ୍ ହିସାବ ରହିଛି କି ନାହିଁ, ତାହାକୁ ନେଇ ସେ ପ୍ରଶ୍ନ କରିଥିଲେ । ପୂର୍ବ ସରକାର ସମୟରେ ସ୍କୁଲ ଭିତ୍ତିଭୂମି ପାଇଁ ଆସିଥିବା ଅର୍ଥର ସଠିକ୍ ବିନିଯୋଗ ହୋଇନଥିବା ଅଭିଯୋଗ କରି ସେ ତଦନ୍ତ ଦାବି କରିଥିଲେ ।
ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ CSR, ଓମ୍ବାଡ୍ସି ଫଣ୍ଡ ଏବଂ ମନରେଗା ଅର୍ଥ ବ୍ୟବହାର କରାଯାଇଥିଲା। ଏହି ଯୋଜନା ପାଇଁ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍ ସାର୍ଟିଫିକେଟ୍ (UC) ଦାଖଲ ହୋଇଥିବା ସୂଚନା ଦେଇଛନ୍ତି । ତେବେ ପ୍ରକୃତରେ କେତେ ଟଙ୍କାର UC ଦାଖଲ ହୋଇଛି, ସେ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏଯାଏଁ ସଂଗ୍ରହ କରାଯାଇ ପାରିନାହିଁ ।
ମନ୍ତ୍ରୀ ଆହୁରି କହିଛନ୍ତି, ନୂଆ ସରକାର ଶିକ୍ଷାର ବିକାଶ ପାଇଁ ନୂଆ ପଦକ୍ଷେପ ନେଉଛନ୍ତି । ତେବେ ପୂର୍ବ ସରକାର ସମୟରେ ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ଅର୍ଥ କେଉଁଠି ଏବଂ କିପରି ଖର୍ଚ୍ଚ ହୋଇଛି, ତାହାର ହିସାବ ଯାଞ୍ଚ କରାଯିବ। ତଦନ୍ତ ପରେ ଯଦି କୌଣସି ଅନିୟମିତତା ଜଣାପଡ଼େ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।










