ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ବିହାରର ରାଘୋପୁରରେ ନୀତୀଶ ସେତୁର ଉଦଘାଟନ କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ନାମିତ ଏହି ସେତୁ ଉଦ୍ଘାଟନ ପୂର୍ବରୁ ବିବାଦରେ ରହିଛି। ପ୍ରଧାନମନ୍ତ୍ରୀ ପାଟନାର କାଚ୍ଚି ଦରଘାରୁ ରାଘୋପୁର ଦେଇ ବୈଶାଳୀର ବିଦୁପୁର ପର୍ଯ୍ୟନ୍ତ ଗଙ୍ଗା ନଦୀ ଉପରେ ୪୨୮୦ କୋଟି ଟଙ୍କାରେ ନିର୍ମିତ ୯. ୭୬ କିମି ଲମ୍ବା ସେତୁ ଉପରେ କିଛି ସମୟ ପାଇଁ ଅଟକିଥିଲେ ଓ ଗାମୁଛା ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ।
ଏହି ଅବସରରେ ବିହାର ରାଜ୍ୟପାଳ ସୟଦ ଅତା ହସନେନ୍, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀ ଓ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ। ସେତୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବୈଶାଳୀ ଜିଲ୍ଲାର ରାଜାପାକରରେ ଅବସ୍ଥିତ ଜାଫରପଟ୍ଟି ଗ୍ରାମରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ରାଘୋପୁର ବିଧାୟକ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର କାର୍ଯ୍ୟକାରୀ ସଭାପତି ତେଜସ୍ୱୀ ଯାଦବଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ଯୋଗ ଦେଇ ନଥିଲେ।
ପ୍ରଧାନମନ୍ତ୍ରୀ ସେତୁରେ ପହଞ୍ଚିବା ପୂର୍ବରୁ ପାଟନା ବିମାନବନ୍ଦରରେ ନୀତୀଶ କୁମାରଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ସଡ଼କ ସଂଯୋଗ, ଶକ୍ତି, ସହରାଞ୍ଚଳ ଭିତ୍ତିଭୂମି, ଜଳସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କ୍ଷେତ୍ର ସହିତ ଜଡ଼ିତ ଅନ୍ୟାନ୍ୟ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ବିହାରରେ ସ୍ୱଚ୍ଛ ସାର୍ବଜନୀନ ପରିବହନକୁ ବୃଦ୍ଧି କରିବା ପାଇଁ ୧୦୦ ପିଏମ୍ ଇ-ବସ୍କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।










