କଲକାତା : ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀ ଦଳର ଏକାଧିକ ସଦସ୍ୟ ବିଦ୍ରୋହ କରି ଦଳ ଛାଡ଼ି ବିଜେପିରେ ଯୋଗଦେବା ସମ୍ପର୍କରେ ମୁହଁ ଖୋଲିଛନ୍ତି। ଏଥିସହ ସେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ମଙ୍ଗଳବାର କଲକାତାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଥିଲେ ଯେଉଁମାନେ ଦଳ ଛାଡ଼ି ଅଲଗା ରାସ୍ତା ବାଛୁଛନ୍ତି, ସେମାନେ ସିଧାସଳଖ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ନିର୍ବାଚନ ଲଢ଼ନ୍ତୁ। ଏତିକି ନୁହେଁ, ମମତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ନେତାମାନେ ଦଳ ଛାଡ଼ିସାରିଛନ୍ତି, ସେମାନଙ୍କ ପାଇଁ ପ୍ରତ୍ୟାବର୍ତ୍ତନର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ। ଯେଉଁମାନେ ବିଜେପିରେ ଯୋଗ ଦେଇଛନ୍ତି ତାହାକୁ ନେଇ ମୋର ଏଥିରେ କୌଣସି ଆପତ୍ତି ନାହିଁ। ସେମାନଙ୍କ ସ୍ଥାନ ନେବା ପାଇଁ ମୋ ପାଖରେ ବହୁତ ଲୋକ ଅଛନ୍ତି ବୋଲି ମମତା କହିଥିଲେ। ମମତା ରାମ ମନ୍ଦିରରେ ଦାନ ଅର୍ଥ ଆତ୍ମସାତ୍ ପ୍ରସଙ୍ଗ ଉଠାଇ କହିଛନ୍ତି, ବିଜେପି ଭଗବାନଙ୍କଠାରୁ ଟଙ୍କା ମଧ୍ୟ ଚୋରି କରିଛି।
ଦିନେ ବିଜେପିର ଭୋଟ ଜାଲିଆତିର ରହସ୍ୟ ଉନ୍ମୋଚନ ହେବ। ଦିଲ୍ଲୀରେ ଚାଲିଥିବା କକ୍ରୋଚ୍ ଜନତା ପାର୍ଟିର (ସିଜେପି) ଆନ୍ଦୋଳନ ବିଷୟରେ ସେ କହିଛନ୍ତି ଯେ, ଆବଶ୍ୟକ ହେଲେ ମୁଁ ବ୍ୟକ୍ତିଗତ ଭାବରେ ଆନ୍ଦୋଳନରେ ଅଂଶଗ୍ରହଣ କରିବି। ମୁଁ ଆରମ୍ଭରୁ ସେମାନଙ୍କୁ ସମର୍ଥନ କରିଆସିଛି ଏବଂ ଆଗକୁ ମଧ୍ୟ କରିବି। ଏହା ଉଲ୍ଲେଖନୀୟ ଯେ ଅଖିଳେଶ ଯାଦବ, ଅରବିନ୍ଦ କେଜରିୱାଲ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତା ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଏବଂ ପ୍ରତିବାଦକାରୀଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ବିରୋଧୀ ଏକତା ପାଇଁ ନିଜର ଆହ୍ୱାନକୁ ଦୋହରାଇ ସହିଦ ଦିବସରେ ଆୟୋଜିତ ଏକ ରାଲିରେ ମମତା କହିଛନ୍ତି, ସିପିଏମ ଏବଂ କଂଗ୍ରେସ ଏକାଠି କାମ କରିବା ଉଚିତ୍। ଆମକୁ ବିଜେପି ସହିତ ଲଢ଼ିବା ପାଇଁ ନିଜ ଭିତରେ ଥିବା ମତଭେଦକୁ ପାସୋରି ଦେବାକୁ ପଡ଼ିବ। ବିଜେପି ବିରୋଧରେ ଚାଲିଥିବା ଲଢ଼େଇ ଆମର ବ୍ୟକ୍ତିଗତ ଅହଂକାର ଅପେକ୍ଷା ବଡ଼। ମୁଁ ସମସ୍ତଙ୍କୁ ବିଜେପି ସହିତ ଲଢ଼ିବା ପାଇଁ ଏକତ୍ର ହେବାକୁ ନିବେଦନ କରୁଛି।










