38.1 C
Bhubaneswar
Wednesday, May 1, 2024
Homeଖେଳଜୋଶ୍ ବଟ୍‌ଲର୍‌ଙ୍କ ଆଗରେ ସୁନୀଲ୍ ନରେନ୍‌ଙ୍କ ଶତକ ଫିକା; କୋଲ୍‌କାତାକୁ ୨ ୱିକେଟ୍‌ରେ ହରାଇଲା ରାଜସ୍ଥାନ

ଜୋଶ୍ ବଟ୍‌ଲର୍‌ଙ୍କ ଆଗରେ ସୁନୀଲ୍ ନରେନ୍‌ଙ୍କ ଶତକ ଫିକା; କୋଲ୍‌କାତାକୁ ୨ ୱିକେଟ୍‌ରେ ହରାଇଲା ରାଜସ୍ଥାନ

କୋଲ୍‌କାତା: ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ମଙ୍ଗଳବାର ଅନୁଷ୍ଠିତ ଚଳିତ ଆଇପିଏଲ୍ ସିଜନ୍‌ର ସଂଘର୍ଷପୂର୍ଣ୍ଣ ୩୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୨ ୱିକେଟ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି । ସୁନୀଲ୍ ନରେନ୍‌ଙ୍କ ପ୍ରଥମ ଶତକ ସହାୟତାରେ କେକେଆର୍ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା । ଜବାବରେ ଜୋଶ୍ ବଟ୍‌ଲର୍‌ଙ୍କ ଚଳିତ ସିଜନ୍‌ର ଦ୍ୱିତୀୟ ଶତକ ବଳରେ ରାଜସ୍ଥାନ ରୟାଲ୍‌ସ ୮ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଏହି ବିଜୟ ଫଳରେ ରାଜସ୍ଥାନ ୭ଟି ମ୍ୟାଚ୍‌ରେ ୬ ବିଜୟ ସହ ୧୨ ପଏଣ୍ଟ୍ ନେଇ ଟେବଲ୍ ଶୀର୍ଷରେ କାଏମ୍ ଥିବାବେଳେ କୋଲ୍‌କାତା ଦ୍ୱିତୀୟ ସ୍ଥାନରେ ରହିଛି ।

୨୨୪ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଓଭର୍‌ରେ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍‌ଙ୍କ ୱିକେଟ୍ ହରାଇଥିଲା । ଯଶସ୍ୱୀ ୯ ବଲ୍‌ରୁ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୯ ରନ୍ କରିଥିବା ବେଳେ ବୈଭବ ଆରୋରାଙ୍କ ବଲ୍‌ରେ ଭେଙ୍କଟେଶ ଆୟର୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଏହାପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ମାତ୍ର ୧୨ ରନ୍ କରି ଫେରିଥିଲେ । ରିୟାନ୍ ପରାଗ ଅନ୍ୟତମ ଓପ୍ନର୍ ଜୋଶ୍ ବଟ୍‌ଲର୍‌ଙ୍କ ସହ ୫୦ ରନ୍‌ର ଭାଗୀଦାରି କରିବା ପରେ ହର୍ଷିତ ରାଣାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେ ୧୪ ବଲ୍‌ରେ ୪ ଚୌକା ଓ ୨ ଛକା ସହାୟତାରେ ୩୪ ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ଏହାପରେ ଧ୍ରୁବ ଜୁରେଲ୍ ମାତ୍ର ୨ ରନ୍ କରି ନରେନ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ଏହାପରେ ବରୁଣ ଚକ୍ରବର୍ତ୍ତୀ ଲଗାତାର ବଲ୍‌ରେ ଆର୍ ଅଶ୍ୱିନ (୮) ଏବଂ ଶିମରନ୍ ହେଟ୍‌ମେୟର (୦)ଙ୍କୁ ପ୍ୟାଭିଲିୟନ୍ ଫେରାଇ ରାଜସ୍ଥାନ ରନ୍ ସଂଗ୍ରହରେ ବ୍ରେକ୍ ଲଗାଇଥିଲେ । ୧୩ ବଲ୍‌ରେ ଗୋଟିଏ ଚୌକା ଓ ୩ ଛକା ସହାୟତାରେ ଧୂଆଁଧାର ୨୬ ରନ୍ କରିଥିବା ରୋଭ୍‌ମାନ୍ ପୱେଲ୍‌ଙ୍କୁ ନରେନ୍ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଟେଣ୍ଟ୍ ବୋଲ୍ଟ ଖାତା ଖୋଲିବା ପୂର୍ବରୁ ରନ୍‌ଆଉଟ୍ ହୋଇଥିଲେ । ଇତିମଧ୍ୟରେ ୧୫ତମ ଓଭର୍‌ରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଚୌକା ମାରି ଅର୍ଦ୍ଧଶତକ ପୂରଣ କରିଥିବା ଜୋଶ୍ ବଟ୍‌ଲର୍ ୬୦ ବଲ୍‌ରେ ୯ ଚୌକା ଓ ୬ ଛକା ବଳରେ ୧୦୭ ରନ୍ କରି ଅପରାଜିତ ରହିଥିଲେ । କୋଲ୍‌କାତା ପକ୍ଷରୁ ହର୍ଷିକ ରାଣା, ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ୍ ନରେନ୍ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଟସ୍ ହାରି ବ୍ୟାଟିଂ କରିଥିବା କେକେଆର୍‌ର ଆରମ୍ଭ ଭଲ ନଥିଲା । ଓପ୍ନର୍ ଫିଲ୍ ସଲ୍ଟ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସୁନୀଲ୍ ନରେନ୍‌ଙ୍କ ସହ ଯୋଗଦେଇ ଅଙ୍ଗକୃଶ ରଘୁବଂଶୀ ଇନିଂସ୍ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୮୫ ରନ୍‌ର ଭାଗୀଦାରି ହୋଇଥିଲା । ତେବେ ଏକାଦଶ ଓଭର୍‌ରେ କୁଲଦୀପ୍ ସେନ୍‌ଙ୍କ ଏକ ବଲ୍‌ରେ ଥାର୍ଡମ୍ୟାନ୍ ଅଞ୍ଚଳରେ ଆଭେସ୍ ଖାନ୍ ଏକ ଚମତ୍କାର ଫ୍ଲାଇଙ୍ଗ୍ କ୍ୟାଚ୍ ଧରି ଅଙ୍ଗକୃଶଙ୍କୁ ପ୍ୟାଭିଲିୟନ୍ ଫେରାଇ ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ଅଙ୍ଗକୃଶ ୧୮ ବଲ୍‌ରେ ୫ ଚୌକା ସହାୟତାରେ ୩୦ ରନ୍ କରିଥିଲେ । ୧୩ଶ ଓଭର୍‌ରେ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ (୧୧)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ୟୁଜବେନ୍ଦ୍ର ଚହଲ୍ କୋଲ୍‌କାତାକୁ ତୃତୀୟ ଝଟ୍‌କା ଦେଇଥିଲେ । ଆୟର୍‌ଙ୍କ ଆଉଟ୍ ପରେ ବ୍ୟାଟିଂ ପାଇଁ ଆସିଥିବା ଆନ୍ଦ୍ରେ ରସେଲ୍ ୧୫ତମ ଓଭର୍‌ରେ ଚୌକାମାରି ଟିମ୍‌ର ସ୍କୋର୍ ୧୫୦ ରନ୍‌ରେ ପହଞ୍ଚାଇଥିଲେ । ତେବେ ଆଭେସ୍ ଖାନ୍‌ଙ୍କୁ ଡିକ୍ କଭର୍ସରେ ଖେଳିବାକୁ ଯାଇ ରସେଲ୍ କ୍ୟାଚ୍ ଆଉଟ୍ ହୋଇଥିଲେ ।

ସେ ୧୦ଟି ବଲ୍‌ରୁ ୫ ଚୌକା ସହାୟତାରେ ୧୩ ରନ୍ କରିଥିଲେ । ଇତିମଧ୍ୟରେ ୨୯ ବଲ୍‌ରେ ଆଇପିଏଲ୍‌ର ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିବା ନରେନ୍ ଷୋଡ଼ଶ ଓଭର୍‌ରେ ଚହଲ୍‌ଙ୍କୁ ଚୌକାମାରି ୪୯ ବଲ୍‌ରେ ଶତକ ପୂରଣ କରିଥିଲେ । ଏହା ନରେନ୍‌ଙ୍କ ଆଇପିଏଲ୍ କ୍ୟାରିୟର୍‌ର ପ୍ରଥମ ଶତକ । ନରେନ୍ ୫୬ ବଲ୍‌ରେ ୧୩ ଚୌକା ଓ ୬ ଛକା ସହା ୧୦୯ ରନ୍ କରି ଆଉଟ୍ ହୋଇଥିଲେ । ଭେଙ୍କଟେଶ ଆୟର ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ରିଙ୍କୁ ସିଂହ ୯ ବଲ୍‌ରୁ ଗୋଟିଏ ଚୌକା ଓ ୨ ଛକା ସହାୟତାରେ ୨୦ ରନ୍ କରି ରମନଦୀପ୍ ସିଂହ (୧)ଙ୍କ ସହ ଅପରାଜିତ ରହିଥିଲେ । ନରେନ୍‌ଙ୍କ ଶତକ ବଳରେ କୋଲ୍‌କାତା ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଆଭେସ୍ ଖାନ୍ ଓ କୁଲଦୀପ୍ ସେନ୍ ଦୁଇଟି ଲେଖାଏଁ ଏବଂ ଟ୍ରେଣ୍ଟ୍ ବୋଲ୍ଟ ଓ ୟୁଜବେନ୍ଦ୍ର ଚଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking