32.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରାଯିବ : ମନ୍ତ୍ରୀ

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରାଯିବ : ମନ୍ତ୍ରୀ

ଭୁବନେଶ୍ୱର : ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧିକ ସଶକ୍ତ କରିବା ସହ ଭିତ୍ତିଭୂମିର ବିକାଶ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ମଙ୍ଗଳବାର ପୂର୍ବାହ୍ନର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁନର୍ଗଠିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ପ୍ରାଣୀମାନଙ୍କ ଉତ୍ପୀଡ଼ନ ଓ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଅମାନବୀୟ ଓ ବର୍ଜନୀୟ । ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ଅନୁପାଳନ ଓ ଯୋଜନାଗୁଡ଼ିକର ସଠିକ ରୂପାୟନ ଦିଗରେ ବୋର୍ଡ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି ।

ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ସହିତ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏଥି ସହିତ ବହୁଳ ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର. ରଘୁପ୍ରସାଦ କହିଲେ ଯେ ପୀଡ଼ିତ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ହେଲପ୍‌ଲାଇନ୍ ନମ୍ବର ଓ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସର ପ୍ରଚଳନର ବ୍ୟବସ୍ଥା କରାଯାଉଛି । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ସଦସ୍ୟ ସଚିବ ସ୍ମୃତିରଞ୍ଜନ ପ୍ରଧାନ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ପେଟ ସପ୍ ଓ ଡଗ୍ ବ୍ରିଡିଂ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପଂଜୀକରଣ ଓ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡଠାରୁ ସାର୍ଟିଫିକେଟ୍ ହାସଲ ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ ଦିଗରେ ପଦକ୍ଷେପ ନିଆଯାଇଛି ।

ବୋର୍ଡ ପକ୍ଷରୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବା ସହିତ ଅଧିକ ସଂଖ୍ୟକ ଅନୁଷ୍ଠାନ ଗଠନ ଦିଗରେ ପ୍ରୋତ୍ସାହିତ କରାଯାଉଛି । ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ଜିଲ୍ଲାସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଓ ପ୍ରାଣୀ ମଙ୍ଗଳ ଆଇନ ସଂପର୍କରେ ଅଭିଜ୍ଞ ନିରୀକ୍ଷକ ଓ କର୍ମଚାରୀଙ୍କୁ ଯାଞ୍ଚ ବ୍ୟବସ୍ଥାରେ ନିୟୋଜିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଜିଲ୍ଲାସ୍ତରରେ ଥିବା ସୋସାଇଟି ଫର ପ୍ରିଭେନ୍‌ସନ୍ ଟୁ ଆନିମଲସ୍‌କୁ ଅଧିକ ସୁଦୃଢ଼ କରାଯିବା ସହ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡରେ ପୂର୍ଣ୍ଣକାଳୀନ ଅଧିକାରୀ ଓ କର୍ମଚାରୀ ନିୟୋଜନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ବିଭିନ୍ନ ଗୋଶାଳା ଏବଂ ପ୍ରାଣୀ ମଙ୍ଗଳ ଅନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ଅନୁଦାନର ଅଡିଟ୍ ବ୍ୟବସ୍ଥା ଉପରେ ସଭ୍ୟମାନେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଓଡ଼ିଶା ଭେଟେରିନାରୀ କାଉନ୍‌ସିଲର ଡ. ବଳରାମ ମିଶ୍ର, ଭାରତୀୟ ଗୋ-ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥାର ପ୍ରଫୁଲ୍ଲ ବିଶୋଇ, ଗୁରୁ ଗୋବିନ୍ଦ ଗୋସେବା ଆଶ୍ରମର ଗୋପୀନାଥ କରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking