39.1 C
Bhubaneswar
Friday, April 26, 2024
Homeଅପରାଧମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

କନ୍ଧମାଳ : ଘାତକ ସାଜିଲା ପୁଅ। ସାମାନ୍ୟ ବଚସାକୁ ନେଇ ପୁଅ ନିଜ ଜନ୍ମକଲା ମା’କୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଞ୍ଜାବାଡ଼ି ପଞ୍ଚାୟତ ପାଡ଼ିଲିକିଆ ଉପର ସାହିରେ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ପ୍ରମା ପ୍ରଧାନ(୪୫) ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ହତ୍ୟାକାରୀ ପୁଅ ସୁନୀଲ ପ୍ରଧାନ(୨୫)କୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ଅଭିଯୁକ୍ତ ପୁଅ ସୁନୀଲକୁ ପୁଲିସ ଗିରଫ କରି ପଚରାଉଚରା କରୁଥିବା ଥାନା ଅଧିକାରୀ ଅନୀତା କିଡ଼ୋ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶନିବାର କୌଣସି କାରଣକୁ ନେଇ ମାଆ ପ୍ରମା ଓ ପୁଅ ସୁନୀଲଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ମା’ ବାଡ଼ିପଟେ କାମ କରିବା ପାଇଁ ଚାଲି ଯାଇଥିଲେ। ବାଡ଼ିପଟେ ବସି ପ୍ରମା ବାସନ ମାଜୁଥିବା ବେଳେ ଉତକ୍ଷିପ୍ତ ଅବସ୍ଥାରେ ଥିବା ସୁନୀଲ ଏକ ଟାଙ୍ଗିଆ ଧରି ପହଞ୍ଚିଥିଲା ଏବଂ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଅପ୍ରସ୍ତୁତ ପ୍ରମା ହଠାତ୍ ପୁଅର ଆକ୍ରମଣରୁ ବର୍ତ୍ତି ପାରି ନଥିଲେ। ସୁନୀଲ ଟାଙ୍ଗିଆରେ ପ୍ରମାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ମାରି ଚାଲିଥିଲା। ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚିବା ବେଳକୁ ପ୍ରମାଙ୍କ ରକ୍ତ ଜୁଡୁବୁଡୁ ଶରୀର ତଳେ ପଡ଼ି ରହିଥିଲା। ଘଟଣାସ୍ଥଳରେ ‌ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଭିଯୁକ୍ତ ସୁନୀଲ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିବା ସହ ଥାନାରେ ଖବର ଦେଇଥିଲେ। ମୃତ ପ୍ରମାଙ୍କ ସ୍ବାମୀ ଦ୍ବିତୀୟ ପତ୍ନୀଙ୍କ ସହ ପାଡ଼ିଲିକିଆ ତଳସାହିରେ ରହୁଥିବା ବେଳେ ଏଠାରେ କେବଳ ମାଆ ଓ ପୁଅ ରହୁଥିଲେ। ହେଲେ ସାମାନ୍ୟ ବଚସା ଯୋଗୁଁ କ୍ରୋଧର ବଶବର୍ତ୍ତୀ ହୋଇ ସୁନୀଲ ଏଭଳି କାଣ୍ଡ ଭିଆଇଛି ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି , ସେ ନେଇ ପୁଲିସ ତନାଘନା ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking