31.1 C
Bhubaneswar
Tuesday, May 7, 2024
Homeଓଡିଶାବାହାରେ କନ୍‌ସଲଟାନି୍ସ ବ୍ୟାନର, ଭିତରେ ଦେହବ୍ୟାପାର

ବାହାରେ କନ୍‌ସଲଟାନି୍ସ ବ୍ୟାନର, ଭିତରେ ଦେହବ୍ୟାପାର

ଭୁବନେଶ୍ୱର: ଝିଅମାନଙ୍କୁ ଚାକିରି ଦେବାକୁ କହି ଡାକୁଥିଲା । ପରେ ତାଙ୍କୁ ଦେହବେପାରରେ ନିୟୋଜିତ କରୁଥିଲା । ଏକ ବିଶାଳ କୋଠା ଭଡ଼ାରେ ନେଇ ବର୍ଷେହେବ ଏହି ସେକ୍ସ ରାକେଟ୍ ଚଳାଇ ଆସୁଥିଲା । କନ୍‌ସଲଟାନ୍ସି ସର୍ଭିିସ ଅଫିସ୍‌ର ବ୍ୟାନର ଲଗାଇ ଏଭଳି ଦେହବେପାର କରୁଥିଲା । ପୁଲିସ ଚଢ଼ଉ ପରେ ରଙ୍ଗଶାଳା ଫିକା ପଡ଼ିଯାଇଛି । ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ଦେଖିବାକୁ ମିଳିଛି । ପୁଲିସ ଚଢ଼ଉ କରି ଏହି ବିଶାଳକୋଠାରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ କନ୍‌ସଲଟାନ୍ସି ମାଲିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ରାଉରକେଲା ପାଢ଼ୀବସ୍ତିର ଲକ୍ଷ୍ମୀନାରାୟଣ ପଟ୍ଟନାୟକ(୩୮) । ତେବେ ପୁଲିସ ଚଢ଼ଉ ବେଳେ ସେଠାରୁ ଜଣେ ଗ୍ରାହକ ଉଲଗ୍ନ ଅବସ୍ଥାରେ ପାଚେରୀ ଡ଼େଇଁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ପ୍ଲଟ୍ ନଂ-୧୫୫୩ରେ ୟୁନିଟ୍‌-୬ ଅଞ୍ଚଳର ଜଣେ ମହିଳାଙ୍କ ଏକ ୩ମହଲା କୋଠା ରହିଛି । ସେହି କୋଠାକୁ ୨୦୨୦ ଅକ୍ଟୋବର ୧୯ତାରିଖରୁ ଅଭିଯୁକ୍ତ ଭଡ଼ାସୂତ୍ରରେ ନେଇଥିଲା । ସେଠାରେ କନ୍‌ସଲଟାନ୍ସି ସର୍ଭିସ୍ ଅଫିସ(ଇନ୍‌ସୁରାନ୍ସ, ଜିଏସ୍‌ଟି ଫିଲିଂ ଆଦି ଅନେକ କାର୍ଯ୍ୟ) କରିବ ବୋଲି ମାଲିକଙ୍କୁ କହିଥିଲା । ଏନେଇ ମାସିକ ୪୦ହଜାର ଟଙ୍କାରେ ଘରଭଡ଼ା ଛିଣ୍ଡିଥିଲା । ଏମିତିକି ମାଲିକ ଆଇନଗତ ଚୁକ୍ତି ମଧ୍ୟ କରିଥିଲେ । ଲକ୍ଷ୍ମୀନାରାୟଣ ସେହି ୩ମହଲା କୋଠାରେ ତଳମହଲାରେ ‘ଲକ୍ଷ୍ମୀ କନ୍‌ସଲଟାନ୍ସି’ ନାମରେ ଏକ ବ୍ୟାନର୍ ମାରିଥିଲେ । ଏହାସହ ସେଠାରେ ୩ରୁ ୪ଟି କମ୍ପ୍ୟୁଟର ଓ ସିଟ୍ ବ୍ୟବସ୍ଥା କରିଥିଲେ । ହେଲେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ସେକ୍ସ ରାକେଟ୍ ଥିଲା ।

ସେଠାରେ ପୁରୀ, ନୟାପଲ୍ଲୀ ଏବଂ ଏୟାରଫିଲ୍ଡ ଥାନା ଅଞ୍ଚଳର ୩ଜଣ ଯୁବତୀ ରହୁଥିଲେ । ଏମାନଙ୍କୁ ଚାକିରି ଦେବାକୁ କହି ଲକ୍ଷ୍ମୀନାରାୟଣ ନିୟମିତ ଦେହବେପାରରେ ଲଗାଇଥିଲା । ଏନେଇ ପୁରୀର ଯୁବତୀ ରବିବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ସୋମବାର ସକାଳେ ସେଠାରେ ଚଢ଼ଉ କରିଥିଲା । ଏତିକିବେଳେ ପୁଲିସ ସେଠାରୁ ୩ଜଣ ଯୁବତୀଙ୍କୁ କୋଠାର ଦ୍ୱିତୀୟ ମହଲାରୁ ଉଦ୍ଧାର କରିବା ସହ ଲକ୍ଷ୍ମୀକାନ୍ତକୁ ଗିରଫ କରିଥିଲା । ଏହାସହ ସେହି ଘରୁ ବିଭିନ୍ନ ପ୍ରକାର ଆପତ୍ତିଜନକ ସାମଗ୍ରୀ, ବ୍ୟାଙ୍କ ପାସବୁକ, ଚୁକ୍ତିପତ୍ର ଓ ଅନ୍ୟାନ୍ୟ ଜବତ ହୋଇଛି । ଲକ୍ଷ୍ମୀନାରାୟଣକୁ ଥାନାକୁ ଆଣି ପଚାରିବାରୁ ସେ ଟଙ୍କା କମେଇବା ପାଇଁ ଏହି ବାଟ ବାଛିଥିବା ସ୍ୱୀକାର କରିଛି ।

ଏମିତି ହେଲା ପର୍ଦ୍ଦାଫାସ
ଜଣେ ଯୁବତୀ ତାଙ୍କ ଘରୁ ରାଗିଯାଇ ଜୁଲାଇ ମାସରେ ଭୁବନେଶ୍ୱର ଚାଲିଆସିଥିଲେ । ଏଠାକୁ ଆସି ସେ ଚାକିରି ଖୋଜୁଥିଲେ । ଏତିକିବେଳେ ସେ ଲକ୍ଷ୍ମୀନାରାୟଣ ହାବୁଡ଼ରେ ପଡ଼ିଥିଲେ । ଲକ୍ଷ୍ମୀନାରାୟଣ ଚାକିରି ଦେବାକୁ କହି ଯୁବତୀଙ୍କୁ ସତ୍ୟବିହାରକୁ ନେଇଯାଇଥିଲା । ସେଠାରେ ତାକୁ କନ୍‌ସଲଟାନ୍ସି କାମରେ ନିୟୋଜିତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏମିତିକି ଅଫିସର ଉପର ମହଲାରେ ରହିବାକୁ ରୁମ୍ ଦେଇଥିଲା । ଏହାପରେ ଯୁବତୀ ଜଣକ ସେଠାରେ ରହିଥିଲେ । ହେଲେ ୨ଦିନ ପରେ ସେଠାକୁ ବଡ଼ବଡ଼ ଲୋକ ବା ଗ୍ରାହକମାନେ ଆସିଥିଲେ । ସେଠାରେ ଥିବା ଅନ୍ୟ ଯୁବତୀମାନେ ତାଙ୍କ ସହ ବାହାରକୁ ଯାଇଥିଲେ । ଏହାସହ କେତେକ ଗ୍ରାହକ ସେହି କୋଠାରେ ହିଁ ଯୁବତୀଙ୍କ ସହ ରାତି କଟାଇଥିଲେ । ଏହାଦେଖି ସମ୍ପୃକ୍ତ ଯୁବତୀ ଜଣକ ଡରିଯାଇଥିଲେ । ପରେ ଲକ୍ଷ୍ମୀନାରାୟଣ ସମ୍ପୃକ୍ତ ଯୁବତୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ବାଧ୍ୟ କରିଥିଲା । ହେଲେ ସେ ମନା କରିଦେଇଥିଲେ । ଏହାସହ ବାହାରେ ରହିବାକୁ କହିଥିଲେ । ହେଲେ ଲକ୍ଷ୍ମୀନାରାୟଣ ତାଙ୍କୁ ଅନ୍ୟସ୍ଥାନରେ ରହିବାକୁ ମନା କରିଥିଲା । ଏମିତିକି ଧମକ ମଧ୍ୟ ଦେଇଥିଲା । ଶେଷରେ ବାଧ୍ୟହୋଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଚଢ଼ଉ କରି କଳାକାରନାମାର ପର୍ଦ୍ଦାଫାସ କରିଛି ।

ବିଜ୍ଞାପନ ଦେଇ ଫସାଉଥିଲା
ଲକ୍ଷ୍ମୀନାରାୟଣ କନ୍ସଲଟାନ୍ସି ନାଁରେ ଯୁବତୀମାନଙ୍କ ପାଇଁ ଚାକିରି ଉପଲବ୍ଧ ଅଛି ବୋଲି ଓଏଲ୍‌ଏକ୍ସ, ବିଭିନ୍ନ ସୋସିଆଲ ମିଡିଆ, ଖବରକାଗଜରେ ବିଜ୍ଞାପନ ଦେଉଥିଲେ । ବିଜ୍ଞାପନ ଦେଖି ବିଭିନ୍ନ ଜିଲ୍ଲାରୁ ଯୁବତୀମାନେ ସେଠାକୁ ଚାକିରି କରିବା ଆଶାରେ ଆସୁଥିଲେ। ଏହାପରେ ସେ ଯୁବତୀମାନଙ୍କୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥିଲା । ନିରୀହ ଯୁବତୀ ଚାକିରି ପାଇବା ପାଇଁ ଅଫିସ ଆସିବା ପରେ ପ୍ରଥମେ ଭଲ ଦରମାରେ ଭଲ ଚାକିରି ମିଳିବ କହି ପ୍ରତିଶ୍ରୁତି ଦେଉଥିଲା । ପରେ ଯୁବତୀଙ୍କ ପରିସ୍ଥିତି ଦେଖି ଦେହ ବ୍ୟବସାୟରେ ସାମିଲ ପାଇଁ ବାଧ୍ୟ କରୁଥିଲା । ଏହିଭଳି କିଛି ଯୁବତୀମାନଙ୍କ ସହ ଲକ୍ଷ୍ମୀନାରାୟଣ ଶାରୀରିକ ସଂପର୍କ ମଧ୍ୟ ରଖିଥିବା ଜଣାପଡିଛି ।

ବେଶ୍ୟାଳୟ ଘୋଷଣା ହେବ!
ଏହି ସେକ୍ସରାକେଟ୍ ଠାବ ହେବା ପରେ ଉକ୍ତ ଘରକୁ ପୁଲିସ ବେଶ୍ୟାଳୟ ଘୋଷଣା କରିବାର ସମ୍ଭାବନା ରହିଛି । ଇମ୍‌ମୋରାଲ ଟ୍ରାଫିକ ପ୍ରତିରୋଧକ ଆଇନ ଅନୁସାରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ମେଡିକାଲ ଓ ଜନଗହଳିପୂର୍ଣ୍ଣ ସ୍ଥାନର ୧୦୦ମିଟର ଭିତରେ ଦେହବେପାର ହୋଇପାରିବ ନାହିଁ । ଏପରି ହେଲେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଶ୍ୟାଳୟ ଘୋଷଣା କରାଯିବାର ନିୟମ ରହିଛି । ବାସ୍ତବରେ ଏସମ୍ପର୍କରେ ଘର ମାଲିକ ଜାଣିଥିଲେ ନା ନାହିଁ, ତାଙ୍କ ଜାଣତରେ ଏସବୁ ଚାଲିଥିଲା କି, ଏଭଳି ଦିଗକୁ ନେଇ ତଦନ୍ତ କରାଯିବ । ପୁଲିସ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବ । କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଘରକୁ ବେଶ୍ୟାଳୟ ଘୋଷଣା ହେବ ବୋଲି ଜଣାପଡ଼ିଛି ।

ଫୁଲତୋଡ଼ା ଦେବାକୁ ଯାଉଥିଲେ ଯୁବତୀ
ଲକ୍ଷ୍ମୀନାରାୟଣର ଚେର୍ ବହୁତ୍ ଲମ୍ବା । ଏହି ସେକ୍ସ ରାକେଟ୍ ଚଳାଇବା ପଛରେ ଅନେକ ବଡ଼ବଡ଼ିଆଙ୍କ ହାତ ଥିବା ଶୁଣିବାକୁ ମିଳୁଛି । ଏହି ବଡ଼ବଡ଼ିଆଙ୍କ କାର୍ଯ୍ୟକ୍ରମରେ ଫୁଲତୋଡ଼ା ଦେବାକୁ ସୁନ୍ଦରୀ ଯୁବତୀଙ୍କୁ ଲକ୍ଷ୍ମୀନାରାୟଣ ହୋଟେଲ୍‌କୁ ପଠାଉଥିଲା । ପରେ ହୋଟେଲ୍‌ରେ ରାତିରେ ରହିବାକୁ ବାଧ୍ୟ କରାଯାଉଥିଲା । ଏମିତିକି ଲକ୍ଷ୍ମୀନାରାୟଣ ଉପାର୍ଜିତ ଟଙ୍କା ସବୁ ନେଇଯାଇ ଯୁବତୀଙ୍କୁ ମାସିକ ଆକାରରେ ଟଙ୍କା ଦେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking