28.9 C
Bhubaneswar
Sunday, May 5, 2024
Homeଖେଳବିଦେଶରେ ରୋହିତଙ୍କ ପ୍ରଥମ ଶତକ

ବିଦେଶରେ ରୋହିତଙ୍କ ପ୍ରଥମ ଶତକ


ଓଭାଲ୍‌: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ରେ ଭ୍ରମଣକାରୀ ଭାରତ ତା’ର ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି । ଦ୍ୱିତୀୟ ଦିନରେ ୫୬ ରନ୍‌ରେ ପଛୁଆ ଥିବା ଭାରତ ବିନା କୌଣସି କ୍ଷତିରେ ୪୩ ରନ୍ କରିଥିବା ବେଳେ ଶନିବାର ମ୍ୟାଚ୍‌ର ତୃତୀୟ ଦିନର ଖେଳ ଶେଷ ବେଳକୁ ୯୨ ଓଭର୍‌ରେ ୩ଟି ୱିକେଟ୍ ହରାଇ ୨୭୦ ରନ୍ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ବିରାଟ କୋହଲି ୨୨ ଓ ରବୀନ୍ଦ୍ର ଜାଡେଜା ୯ ରନ୍ କରି ଅପରାଜିତ ଅଛନ୍ତି । କୋହଲି ୪ଟି ଚୌକା ଲଗାଇଥିବା ବେଳେ ଜାଡେଜା ୨ଟି ଚୌକା ମାରିଛନ୍ତି । ଏହା ପୂର୍ବରୁ ଓପନର ରୋହିତ ଶର୍ମା ଚମକପ୍ରଦ ବ୍ୟାଟିଂ କରିବା ସହ ବିଦେଶ ମାଟିରେ ତାଙ୍କର ପ୍ରଥମ ଶତକ ପୂରଣ କରିଥିଲେ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୭୧ ରନ୍‌ରେ ଆଗୁଆ ରହିଛି ।

ବିନା କୌଣସି କ୍ଷତିରେ ୪୩ ରନ୍‌ରୁ ଶନିବାରର ଖେଳ ଆରମ୍ଭ କରିବା ପରେ ଦୁଇ ଭାରତୀୟ ଓପନରଙ୍କ ମଧ୍ୟରୁ ଲୋକେଶ ରାହୁଲ୍ ୬ଟି ଚୌକା ଓ ଗୋଟିଏ ଛକା ସହ ୪୬ ରନ୍ କରି ଆଉଟ୍ ହୋଇଥିଲେ । ସେତେବେଳକୁ ସେ ରୋହିତଙ୍କ ସହ ୮୩ ରନ୍ ଯୋଡ଼ିସାରିଥିଲେ । ରାହୁଲ୍ ଆଉଟ୍ ହେବା ପରେ ଇଂଲଣ୍ଡ ବୋଲରଙ୍କୁ ବେଶ୍ ଦୃଢ଼ତାର ସହ ଖେଳି ରୋହିତ ଓ ଚେତେଶ୍ୱର ପୂଜାରା ଦ୍ୱିତୀୟ ୱିକେଟରେ ୧୫୩ ରନ୍‌ର ବଡ଼ ଭାଗୀଦାରୀ କରିଥିଲେ ।

ତେବେ ରୋହିତ ତାଙ୍କର ଶତକ ପୂରଣ କରିବା ପରେ ବ୍ୟକ୍ତିଗତ ଭାବେ ୧୨୭ ରନ୍ କରିଥିବା ସରେ ଓଲି ରବିନସନ୍‌ଙ୍କ ଶିକାର ହୋଇଥିଲେ । ଏହା ପୂର୍ବରୁ ସେ ଟେଷ୍ଟ୍ କ୍ରିକେଟ୍‌ରେ ୩ ହଜାର ରନ୍ ପୂରଣ କରିସାରିଥିଲେ । ତାଙ୍କ ପରେ ପରେ ପୂଜାରା ମଧ୍ୟ ବିଦାୟ ନେଇଥବଲେ । ମାତ୍ର ୫ଟି ବଲ୍ ବ୍ୟବଧାନରେ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବାକୁ ଚେଷ୍ଟା କରିଥିଲା । ସେତେବେଳକୁ ପୂଜାରା ୯ଟି ଚୌକା ଜରିଆରେ ୬୧ ରନ୍ କରିଥିଲେ । ଏହାପରେ ଅଧିନାୟକ କୋହଲି ଓ ଜାଡେଜା ଚତୁର୍ଥ ୱିକେଟ୍‌ରେ ଅବିଭାଜିତ ୩୩ ରନ୍ ଯୋଡ଼ିଛନ୍ତି । ଇଂଲଣ୍ଡ ପକ୍ଷରୁ ରବିନସନ୍‌ଙ୍କୁ ୨ଟି ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking