27.1 C
Bhubaneswar
Tuesday, May 7, 2024
Homeବିଜିନେସ୍ବିକଶିତ ରାଷ୍ଟ୍ର ପାଲଟିବାକୁ ରିଜର୍ଭ ବ୍ୟାଙ୍କ୍‌ର ଆକଳନ; ୨୦୪୭ ପର୍ଯ୍ୟନ୍ତ ହାରାହାରି ୭.୬% ଅଭିବୃଦ୍ଧି ଜରୁରୀ

ବିକଶିତ ରାଷ୍ଟ୍ର ପାଲଟିବାକୁ ରିଜର୍ଭ ବ୍ୟାଙ୍କ୍‌ର ଆକଳନ; ୨୦୪୭ ପର୍ଯ୍ୟନ୍ତ ହାରାହାରି ୭.୬% ଅଭିବୃଦ୍ଧି ଜରୁରୀ

ମୁମ୍ବାଇ: ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବାକୁ ହେଲେ ବାର୍ଷିକ ହାରାହାରି ୭.୬ ପ୍ରତିଶତ ଅଭିବୃଦ୍ଧି ହାର ବଜାୟ ରଖିବାକୁ ପଡିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି । ରିଜର୍ଭ ବ୍ୟାଙ୍କ ତରଫରୁ ଜୁଲାଇ ମାସରେ ପ୍ରକାଶିତ ବୁଲେଟିନ୍ ‘ଓଦ୍ଭୟସବଅ୧୦୦’ରେ କୁହାଯାଇଛି ଯେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କଲେ ଏହି ଟାର୍ଗେଟ ନିଶ୍ଚିତଭାବେ କଷ୍ଟସାଧ୍ୟ । ୨୦୨୨ ଅଗଷ୍ଟ ୧୫ରେ ସ୍ୱାଧିନତା ପ୍ରାପ୍ତିର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପରବର୍ତ୍ତୀ ୨୫ ବର୍ଷ ଅର୍ଥାତ ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରଭାବେ ମାନ୍ୟତା ପ୍ରଦାନ କରିବାକୁ ତାଙ୍କ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।

ରିଜର୍ଭ ବ୍ୟାଙ୍କ ଇକୋନୋମିକ୍ ଆଣ୍ଡ୍ ପଲିସୀ ରିସର୍ଚ୍ଚ ବିଭାଗରେ କାର୍ଯ୍ୟରତ ହରେନ୍ଦ୍ର ବେହେରା, ଭି.ଧନ୍ୟା ଏବଂ କୁନାଲ ପ୍ରିୟଦର୍ଶୀଙ୍କ ଦ୍ୱାରା ରଚିତ ଏହି ବୁଲେଟିିନ୍‌ରେ ଉଲ୍ଲେଖ କରାଯାଇଛି ଯେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ମୁଣ୍ଡପିଛା ଆୟ ବୃଦ୍ଧି କରିବାକୁ ପଡିବ । ୨୦୨୨-୨୩ ଆର୍ôଥକବର୍ଷରେ ଭାରତର ଜିଡିପି ୭.୨ ପ୍ରତିଶତ ରହିଥିବାବେଳେ ୨୦୨୩-୨୪ ଆର୍ôଥକବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ଏହା ୬.୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ରୋଡ୍‌ମ୍ୟାପ୍ ଏହି ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି ବୋଲି ଲେଖକମାନେ କହିଛନ୍ତି । ଶିଳ୍ପ ଉଦ୍ୟୋଗକୁ ଶକ୍ତିଶାଳୀ କରିବା ସହ ଜିଡିପିରେ ଏହାର ଅଂଶଧନ ୨୫.୬ ପ୍ରତିଶତରୁ ୩୫ ପ୍ରତିଶତକୁ (୨୦୪୭ ସୁଦ୍ଧା) ବୃଦ୍ଧି କରାଯିବା ନିତାନ୍ତ ଜରୁରୀ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ ବିକଶିତ ରାଷ୍ଟ ଆଡକୁ ମୁହାଁଇବାକୁ ହେଲେ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତରେ କୃଷି ଓ ସେବା (ସର୍ଭିସେସ୍‌) କାର୍ଯ୍ୟକ୍ରମକୁ ଯଥାକ୍ରମେ ୪.୯ ଏବଂ ୧୩ ପ୍ରତିଶତକୁ ବୃଦ୍ଧି କରାଯିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଯାହାଫଳରେ ୨୦୪୭ ବେଳକୁ ଜିଡିପିରେ ସେମାନଙ୍କର ଅବଦାନ ଯଥାକ୍ରମେ ୫ ଓ ୬୦ ପ୍ରତିଶତକୁ ବୃଦ୍ଧି ପାଇବ । ପୁନଶ୍ଚ ବିକଶିତ ରାଷ୍ଟ୍ର ମାନ୍ୟତା ପାଇବାକୁ ହେଲେ ଦେଶର ମୁଣ୍ଡପିଛା ଜିଡିପି ୮.୮ ଗୁଣ ବୃଦ୍ଧି ପାଇବା ଜରୁରୀ ବୋଲି କୁହାଯାଇଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଜିଡିପି ୨୫୦୦ ଆମେରିକୀୟ ଡଲାର ଥିବାବେଳେ ୨୦୪୭ ସୁଦ୍ଧା ଏହା ୨୨,୦୦୦ ଡଲାରକୁ ବୃଦ୍ଧି କରିବାକୁ ପଡିବ । ଆଗାମୀ ୨୫ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ବୃଦ୍ଧି କରିବାକୁ ବିଭିନ୍ନ ଟାର୍ଗେଟ ପୂରଣ କରିବାକୁ ପଡିବ ବୋଲି କୁହାଯାଇଛି । ଏହି ପ୍ରକ୍ରିୟାରେ ଉପୁଜୁଥିବା ବାଧାବିଘ୍ନକୁ ସରକାରୀସ୍ତରରେ ମୁକାବିଲା କରିବାକୁ ପଡିବ । ଏଥିପାଇଁ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ବୃଦ୍ଧି କରାଯିବା ସହ ଉତ୍ପାଦନ ଅଭିବୃଦ୍ଧି ନିମନ୍ତେ ଶିକ୍ଷା, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଏବଂ ଟେକ୍ନୋଲୋଜି ସେକ୍ଟରରେ ଆବଶ୍ୟକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବୁଲେଟିନ୍‌ରେ ପ୍ରସ୍ତାବ ଦିଆଯାଇଛି ।

ଏଭଳି ରୂପାନ୍ତରୀକରଣ ପାଇଁ ସରକାର, ଘରୋଇ ଉଦ୍ୟୋଗ, ସିଭିଲ ସୋସାଇଟି ଏବଂ ନାଗରିକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ବଜାୟ ରହିବା ଜରୁରୀ ବୋଲି କୁହାଯାଇଛି । କୌଣସି ରାଷ୍ଟ୍ରକୁ ବିକଶିତ ରାଷ୍ଟ୍ରର ମାନ୍ୟତା ଦେବାକୁ ହେଲେ ଏକକ ମାନଦଣ୍ଡ ବ୍ୟବହାର କରାଯାଇନଥାଏ । ତେବେ ବିଶ୍ୱ ବ୍ୟାଙ୍କ ତରଫରୁ ମୁଣ୍ଡପିଛା ଆୟକୁ ଭିତ୍ତିକରି ସ୍ୱଳ୍ପ ଆୟକାରୀ, ସ୍ୱଳ୍ପ-ମଧ୍ୟମ ଆୟକାରୀ, ଉଚ୍ଚ-ମଧ୍ୟମ ଆୟକାରୀ ଏବଂ ଉଚ୍ଚ ଆୟକାରୀ ରାଷ୍ଟ୍ରଗୁଡିକୁ ତାଲିକାଭୁକ୍ତ କରାଯାଇଥାଏ । ବିଶ୍ୱ ବ୍ୟାଙ୍କର ବର୍ଗୀକରଣ ଅନୁଯାୟୀ ୨୦୨୨-୨୩ ସୁଦ୍ଧା ୧୩,୨୦୫ ଡଲାର ମୁଣ୍ଡପିଛା ଆୟ ଥିବା ରାଷ୍ଟ୍ରକୁ ଉଚ୍ଚ ଆୟକାରୀ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରାଯାଇଛି । ଅପରପକ୍ଷରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) ପକ୍ଷରୁ ରାଷ୍ଟ୍ରଗୁଡିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଗୋଟିଏ ‘ଆଡ୍‌ଭାନ୍ସଡ୍ ଇକୋନୋମିଜ୍‌’ ଏବଂ ଅନ୍ୟଟି ‘ଏମର୍ଜିଂ ମାର୍କେଟିଂ ଆଣ୍ଡ୍ ଡେଭେଲପିଙ୍ଗ୍ ଇକୋନୋମିଜ୍‌’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking