35.1 C
Bhubaneswar
Sunday, May 19, 2024
Homeଓଡିଶାବିଦ୍ୟାଳୟରେ ଆରମ୍ଭ ହେଲା ‘ହାଉସ୍ ସିଷ୍ଟମ’

ବିଦ୍ୟାଳୟରେ ଆରମ୍ଭ ହେଲା ‘ହାଉସ୍ ସିଷ୍ଟମ’

ଭୁବନେଶ୍ୱର: ଟି-ସାର୍ଟ ଓ ଘନନୀଳ ଟ୍ରାକ୍ ପ୍ୟାଣ୍ଟ୍‌ର ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍ ଉତ୍ସାହିତ । ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍‌, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ୍ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ପ୍ରୟାସ ଆରମ୍ଭ କରିଛି । ‘ହାଉସ୍ ସିଷ୍ଟମ’ ଅନୁସାରେ, ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି ।

ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତିଶୀଳ ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତ୍ତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା- ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ ‘ହାଉସ୍ ସିଷ୍ଟମ’ ସହାୟକ ହେବ । ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହୋଇଛି । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକରେ ୪ଟି ହାଉସ ଗଠନ କରାଯାଉଛି । ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀ, ପ୍ରତିଭା ଏବଂ ଲିଙ୍ଗଗତ ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖି ସମାନୁପାତରେ ୪ଟି ଦଳ ଗଠନ କରାଯାଉଛି । ୧୦୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଟି ହାଉସ୍ ବା ଦଳ ଗଠନ କରାଯାଉଛି । ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି ।

ପ୍ରାକୃତିକ ସମ୍ପଦ- ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲଗୁଡିକର ନାମକୁ ବ୍ୟବହାର କରାଯାଉଛି । ପାଠପଢ଼ା, ନେତୃତ୍ୱ ନେବାର କଳା, ବିଭିନ୍ନ କାର୍ଯ୍ୟକଳାପରେ ଦକ୍ଷ ଥିବା ଜଣେ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ହାଉସ୍‌ର ଅଧିନାୟକ(କ୍ୟାପଟେନ) ଭାବେ ମନୋନୀତ କରୁଛନ୍ତି । ଆଉ ଜଣେ ଉପଅଧିନାୟକ ଓ ଜଣେ ହାଉସ ପ୍ରତିନିଧି ଭାବେ ମଧ୍ୟ ମନୋନୀତ ହେଉଛନ୍ତି । ପ୍ରତି ସପ୍ତାହରେ ଗୋଟିଏ ପିରିୟଡରେ ହାଉସର ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି । ବୈଠକରେ ବିଭିନ୍ନ କାର୍ଯ୍ୟର ଯୋଜନା, କ୍ରିୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଉଛି । ପ୍ରତି ହାଉସ୍ ପାଇଁ ଜଣେ ଶିକ୍ଷକଙ୍କୁ ହାଉସ ମାଷ୍ଟର ଭାବେ ପ୍ରଧାନ ଶିକ୍ଷକ ନିୟୋଜିତ କରିଛନ୍ତି । ହାଉସ୍ ମାଷ୍ଟରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିନାୟକ କାର୍ଯ୍ୟକରୁଛନ୍ତି । ପ୍ରତି ବର୍ଷ ଭଲ କାମ କରିଥିବା ହାଉସ୍‌କୁ ‘ହାଉସ ଅଫ୍ ଦ ଇୟର’ର ଭାବେ ପୁରସ୍କୃତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking